ଭୁବନେଶ୍ୱର: କମିଶନରେଟ୍ ପୁଲିସକୁ ଚକମା ଦେଇ ଗତ ୧ ମାସ ହେବ ବିଭିନ୍ନ ରାଜ୍ୟରେ ଘୁରି ବୁଲୁଥିବା କୁଖ୍ୟାତ ବନ୍ଧୁକ ଓ ବ୍ରାଉନସୁଗାର ଡିଲର ସୁବ୍ରତ ଓରଫ ବବୁଲ ଖୁଣ୍ଟିଆକୁ ଗତ ରାତିରେ ଯାଜପୁର ବାଲିଚନ୍ଦ୍ରପୁରରରୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ ଟିମ । ତାଠାରୁ ଏକ ମୋବାଇଲ ଓ ଏକ ସ୍କୁଟି ଜବତ କରାଯାଇଛି । ଗତ ମାର୍ଚ୍ଚ ମାସ ୨୨ ତାରିଖରେ ୨ ଜଣ ମହିଳାଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ ଟିମ । ସେମାନଙ୍କ ଠାରୁ ୨୬ ଲକ୍ଷ ଟଙ୍କାର ୨୫୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ, ମାର୍ଚ୍ଚ ୨୬ ତାରିଖରେ ମଧ୍ୟ ୨ ଜଣ ବନ୍ଧୁକ ବେପାରୀକୁ ଗିରଫ କରାଯାଇ ସେମାନଙ୍କ ଠାରୁ ୫ଟି ବନ୍ଧୁକ ଓ ୨୪ଟି ଗୁଳି ଜବତ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ଏମାନଙ୍କ ମାଷ୍ଟର ମାଇଣ୍ଡ ହେଉଛି ସରକନ୍ତରାର ବବୁଲ ଖୁଣ୍ଟିଆ । ବବୁଲ ସବୁବେଳେ ଉତ୍ତର ପ୍ରେଦଶ, ମଧ୍ୟ ପ୍ରେଦଶ ଓ ଝାରଖଣ୍ଡ ରାଜ୍ୟରେ ବୁଲିବା ସହ ସେଠାରୁ ଚୋରାରେ ବନ୍ଧୁକ, ଗୁଳି, ବ୍ରାଉନସୁଗାରକୁ ଓଡ଼ିଶା ଆଣି ଭୁବେନଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ମହିଳା ଓ ପୁରୁଷ ବେପାରୀମାନଙ୍କ ସହ କାରବାର ଚଳାଉଥିଲା । ଏହି ସମୟରେ ୪ ଜଣ ସହଯୋଗୀ ପୁଲିସ ହାବୁଡରେ ପଡ଼ିବା ପରେ ବବୁଲ ଏକ ମାସ ହେବ ରାଜ୍ୟ ବହାରକୁ ଫେରାର ହୋଇଯାଇଥିଲା । ଯାହାକି ପୁଲିସ ତାକୁ ଧରିବା ଅସମ୍ଭବ ହୋଇଥିଲା । ହେଲେ ପୁଲିସ ବବୁଲକୁ ଧରିବାକୁ ମାସେ ହବ ଜାଲ ବିଛାଇଥିବା ବେଳେ ତାର ମୋବାଇଲ ଟ୍ରାକିଂରେ ରହିଥିଲା । ଏହି ସମୟରେ ଗତ କାଲି ଅଭିଯୁକ୍ତ ବବୁଲ ଓଡ଼ିଶା ଆସି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ନିଜକୁ ଜେଣ ସପ୍ଟୱେର ଇଞ୍ଜିନିୟର ପରିଚୟ ଦେଇ ଏକ ଘର ଭଡା ନେଇ ରହୁଥିବା ସ୍ପେଶାଲ କୟାଇମ୍ ୟୁନିଟ୍ ମୁଖିଆ ଜାଣିବାକୁ ପାଇଥିଲେ । ପରେ ଏକ ଟିମ୍ ରାତାରାତି ଯାଜପୁର ଯାଇ ଅଚାନକ ଚଢ଼ାଉ କରି ବବୁଲ ରୁମରେ ଶୋଇଥିବା ବେଳେ ମାଡି ବସିଥିଲେ । ପରେ ତାକୁ ଆଜି ଭୁବେନଶ୍ୱର ଆଣି କୋର୍ଟ ଚାଲାଣ କରାଯାଇଛି । ବବୁଲର ଚେର ଆଉ କେଉଁ ରାଜ୍ୟକୁ ଲମ୍ବିଛି ଏବଂ ତା ସହ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି ତାହା ଜାଣିବାକୁ ତାକୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି ।