ନୂଆଦିଲ୍ଲୀ: ଅନେକ ସମୟରେ ସମାଜରେ କିଛି ଅଜବ ପ୍ରକାରର ଶିଶୁ ଜନ୍ମଗ୍ରହଣ କରିଥାନ୍ତି । କେତେବେଳେ ଦୁଇଟି ଯମଜ ସନ୍ତାନଙ୍କ ମୁଣ୍ଡ ଲାଗିଥାଏ ତ ଆଉ କେତେବେଳେ ଶିଶୁଙ୍କର ୨ ବଦଳରେ ୪ ଗୋଡ଼, ୩ ହାତ ଥାଏ । ସମାଜରେ ଏଭଳି ଶିଶୁ ଜନ୍ମ ନେଇଥିବାର ଉଦାହରଣ ରହିଛି । ଆପଣ ଲାଞ୍ଜ ଥିବା ଶିଶୁ ସମ୍ପର୍କରେ କେବେ ଶୁଣିଛନ୍ତି କି ? ଏମିତି ଏକ ଶିଶୁ ତେଲେଙ୍ଗାନାରେ ଜନ୍ମ ନେଇଛି । ଯାହାର ଲାଞ୍ଜକୁ ଡାକ୍ତର ସଫଳତାର ସହିତ ସର୍ଜରୀ କରି ଶରୀରକୁ ଅଲଗା କରିଛନ୍ତି । ୨୦୨୩ ଅକ୍ଟୋବରରେ ଜଣେ ମହିଳା ଲାଞ୍ଜ ଥିବା ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ବୟସ ବଢିବା ସାଙ୍ଗକୁ ଶିଶୁର ଲାଞ୍ଜ ମଧ୍ୟ ବଢୁଥିଲା । ଯେତେବେଳେ ଶିଶୁକୁ ୩ମାସ ହେଲା, ସେତେବେଳେ ଲାଞ୍ଜର ଲମ୍ବ ୧୫ ସେମି ହୋଇଥିଲା । ଏହାକୁ ଦେଖି ପିତାମାତା ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ।
ଏପରି ଅସାଧାରଣ ଶିଶୁକୁ ନେଇ ଦମ୍ପତି ୟାଦଦ୍ରି ଭୁବନଗିରି ଜିଲ୍ଲାର ବିବିନଗର ସ୍ଥିତ ଏମ୍ସ ହସ୍ପିଟାଲକୁ ଆଣିଥିଲେ । ଏମ୍ସର ଏକ ଡାକ୍ତରୀ ଟିମ ଶିଶୁର ଶରୀରରୁ ଲାଞ୍ଜକୁ ସର୍ଜରୀ ଦ୍ୱାରା ଅଲଗା କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଏହି ବିରଳ ସର୍ଜରୀ କରାଯାଇଥିବା ଗତ ସୋମବାର ଡାକ୍ତର ପୁଣି ଶିଶୁର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ଏହି ସର୍ଜରୀ ବେଶ ଜଟିଳ ଥିଲା ବୋଲି କହିଛନ୍ତି ଏମ୍ସର ଜଣେ ମୁଖପାତ୍ର । ଏହି ବିରଳ ସର୍ଜରୀ ଡକ୍ଟର ଶଶାଙ୍କ ପଣ୍ଡାଙ୍କ ନେତୃତ୍ୱରେ ସମ୍ପନ୍ନ କରାଯାଇଥିଲା । ଶିଶୁର ଲାଞ୍ଜ ମେରୁଦଣ୍ଡ ସହିତ ସଂଯୋଗ କରୁଥିଲା । ଅସ୍ତ୍ରୋପଚାରରେ ତିଳେ ମାତ୍ର ତ୍ରୁଟି ଶରୀରରେ ସ୍ନାୟୁଗତ କ୍ଷତିର ଆଶଙ୍କା ରହିଥିଲା । ଯାହାକି ଡାକ୍ତରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା । କିନ୍ତୁ ଅତି ସାବଧାନର ସହିତ ଶିଶୁର ଅସ୍ତ୍ରୋପଚାର କରି ଶରୀରରୁ ଲାଞ୍ଜକୁ ବାହାର କରାଯାଇଥିଲା । ଏହି ଅସ୍ତ୍ରୋପଚାର ପାଇଁ ଅଢେଇ ଘଣ୍ଟା ସମୟ ଲାଗିଥିଲା । ଏବେ ଶିଶୁକୁ ୬ମାସ ହୋଇଥିବା ବେଳେ ସେପରି କୌଣସି ସ୍ନାୟୁଗତ ସମସ୍ୟା ଦେଖିବାକୁ ମିଳିନାହିଁ ବୋଲି ଏମ୍ସର ମୁଖପାତ୍ର କହିଛନ୍ତି ।










