18.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶହାଥରସ ଦଳାଚକଟା ଘଟଣା: ଆସିଲା ଏସ୍‌ଆଇଟି ରିପୋର୍ଟ; ବାବାଙ୍କୁ କ୍ଲିନ୍‌ଚିଟ୍‌, ଆୟୋଜକ କମିଟିକୁ ଟାର୍ଗେଟ୍‌

ହାଥରସ ଦଳାଚକଟା ଘଟଣା: ଆସିଲା ଏସ୍‌ଆଇଟି ରିପୋର୍ଟ; ବାବାଙ୍କୁ କ୍ଲିନ୍‌ଚିଟ୍‌, ଆୟୋଜକ କମିଟିକୁ ଟାର୍ଗେଟ୍‌

ହାଥ୍‌ରସ୍‌:  ଉତ୍ତରପ୍ରଦେଶ ହାଥରସ୍ ଜିଲ୍ଲା ଫୁଲୁରୀ ଗ୍ରାମରେ ସଂଘଠିତ ହୋଇଯାଇଥିବା ଦଳାଚକଟା ଘଟଣାରେ ଆସି ଏସ୍‌ଆଇଟି ରିପୋର୍ଟ ସାମ୍ନାକୁ ଆସିଛି । ତଦନ୍ତକାରୀ ଏସଆଇଟି ଟିମ୍ ପ୍ରସ୍ତୁତ କରିଥିବା ୩୦୦ ପୃଷ୍ଠାର ଏହି ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିବା ସୂଚନା ମିଳିଛି । ତେବେ ରିପୋର୍ଟରେ ଏସ୍‌ଆଇଟି, ସତ୍‌ସଙ୍ଗ ଆୟୋଜକ କମିଟି ଓ ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ନାଁକୁ ଏଥିରୁ ବାଦ୍ ଦେଇଥିବା ଦେଖିବାକୁ ମିଳିଛି । ସିଧାଅର୍ଥରେ କହିଲେ ଏସ୍‌ଆଇଟି ଏହି ପୁରା ଘଟଣାକ୍ରମରେ ଭୋଲେ ବାବାଙ୍କୁ କ୍ଲିନ୍‌ଚିଟ୍ ଦେଇଛି ।
ଏସ୍‌ଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୩୦୦ ପୃଷ୍ଠାର ଏହି ତଦନ୍ତ ରିପୋର୍ଟରେ ପ୍ରାୟ ୧୧୯ଜଣଙ୍କ ବୟାନ ମୁକସାକ୍ଷୀ ଭାବେ ରେକର୍ଡ କରିଛି । ଏସମସ୍ତ ବ୍ୟକ୍ତିବିଶେଷ ଦଳାଚକଟା ଘଟଣା ଦିନ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଏସ୍‌ଆଇଟି ଟିମ୍ ପକ୍ଷରୁ ସତ୍‌ସଙ୍ଗ କାର୍ଯ୍ୟକ୍ରମ ପାଇଁ ହାଥରସ ଡିଏମ୍‌, ଏସ୍‌ପି, ଏସ୍‌ଡିଏମ୍‌ଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ଏସ୍‌ଆଇଟି ଟିମ୍ ଏହି ପ୍ରଶାସନିକ ଅଧିକାରୀଙ୍କ ସହ ସତ୍‌ସଙ୍ଗ କାର୍ଯ୍ୟକ୍ରମ ପାଇଁ ମୁତୟନ ହୋଇଥିବା ପୁଲିସ୍ କର୍ମୀ, ଦଳାଚକଟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରବର୍ଗ ଓ ଗୁରୁତର ହୋଇଥିବା ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ କରିଥିବା ଏହି ତଦନ୍ତ ରିପୋର୍ଟରେ ଉଲ୍ଳେଖ କରିଛି । ଏସବୁ ସହ ଏସ୍‌ଆଇଟି ଟିମ୍ ନିଜ ତଦନ୍ତ ରିପୋର୍ଟରେ ଦର୍ଶାଇଛି ଯେ, ସତ୍‌ସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟିକୁ ଅନୁମତି ଦିଆଯାଇଥିବା ବେଳେ ବାସ୍ତବରେ ସେଦିନ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରିନଥିଲେ । ସତ୍‌ସଙ୍ଗରୁ ପ୍ରସ୍ଥାନ ମାର୍ଗ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ସଂକୁଚିତ ଥିଲା । ତରବରରେ ଏହି ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ । ଫଳରେ ଦଳଚକଟା ପରିସ୍ଥିତି ଉତ୍ପନ୍ନ ହୋଇଥିଲା ଏବଂ ଏଥିରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି । ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୁଲିସ କର୍ମୀ ଏହାକୁ ଗୁରୁତର ସହ ନେଇନଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ମୋଟାମୋଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବା ଆଳରେ ଏସ୍‌ଆଇଟି ସ୍ପଷ୍ଟ କରିଦେଇଛି ଯେ, ପ୍ରଶାସନିକ ଅଧିକାରୀମାନେ ସଠିକ୍ ଭାବେ ଯାଞ୍ଚ ନ କରି ସଭା ପାଇଁ ଅନୁମତି ଦେଇଥିବାରୁ ଏତେ ବଡ଼ ଏକ ଅଘଟଣ ଘଟିଗଲା । ସେହିପରି ଆଉ କିଛି ଦୋଷ ସତସଙ୍ଗ ଆୟୋଜକ କମିଟି ଉପରେ ମଧ୍ୟ ଏସ୍‌ଆଇଟି ଲଦିଛି, କିନ୍ତୁ ଯେଉଁ ବାବାଙ୍କ ପାଇଁ ଏସବୁ ଘଟିଛି ସେହି ବାବାଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏସ୍‌ଆଇଟି ।
ପ୍ରକାଶ, ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୭ରୁ ଅଧିକ ଲୋକ ଗିରଫ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରେ ବାବାଙ୍କ ଅତ୍ୟନ୍ତ ଖାସ୍ ଲୋକ ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକର ମଧ୍ୟ ସାମିଲ ରହିଛି । ସେହିପରି ଏହି ଦଳଚକଟା ଘଟଣା ପରେ ଉତ୍ତରପ୍ରଦେଶର ଜୁଡିସିଆଲ କମିଶନ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବହୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking