ନୂଆଦିଲ୍ଲୀ: ନ୍ୟାସନାଲ୍ କମିଶନ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ (ଏନ୍ସିପିସିଆର୍) ପକ୍ଷରୁ କରାଯାଇଥିବା ସୁପାରିଶ ଆଧାରରେ କେନ୍ଦ୍ର ସରକାର ‘ବର୍ଣ୍ଣଭିଟା’ ଭଳି ପିଲାମାନଙ୍କ ପ୍ରିୟ ପାନୀୟକୁ ହେଲ୍ଥ ଡ୍ରିଙ୍କ୍ସ ଶ୍ରେଣୀରୁ ତୁରନ୍ତ ବାଦ୍ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଫଳରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି ରହିଛି । ମନ୍ତ୍ରଣାଳୟ ବର୍ଣ୍ଣଭିଟା ଏବଂ ଅନ୍ୟାନ୍ୟ ପାନୀୟକୁ ହେଲ୍ଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟାଇଥିବା ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀରେ ସୂଚୀତ କରିଛି ।
ପ୍ରକାଶ, ଏନ୍ସିପିସିଆର୍ ଦ୍ୱାରା ହେଲ୍ଥ୍ ଡ୍ରିଙ୍କ୍ସ ଉପରେ କରାଯାଇଥିବା ପରୀକ୍ଷା ନୀରିକ୍ଷା ପରେ ଏହି ନିର୍ଦ୍ଦେଶାଳବଳୀ ଜାରି କରାଯାଇଛି । ଏନ୍ସିପିସିଆର କର୍ତ୍ତୃପକ୍ଷଙ୍କ ଅନୁସାରେ ଯାଞ୍ଚ୍ ସମୟରେ କୌଣସି ହେଲ୍ଦି ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ ତତ୍ତ୍ୱ ନଥିବା ପ୍ରମାଣ ମିଳିଥିଲା । ବିଶେଷକରି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପ୍ରଭାବୀ ବୋଲି ଦାବି କରୁଥିବା ପାନୀୟ ବର୍ଣ୍ଣଭିଟାରେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣର ସୁଗାର ଲେଭଲ୍ ରହିଥିବା ଜଣାପଡିଛି । ଏହି ପରିମାଣର ସୁଗାର ଲେବଲ୍କୁ ପିଲାମାନଙ୍କ ସ୍ୱାସ୍ଥ୍ୟପକ୍ଷେ କଦାପି ହିତକର ବୋଲି ବିବେଚନା କରାଯାଇପାରିବନି । ସୁତରାଂ ବର୍ଣ୍ଣଭିଟାକୁ ହେଲଥ୍ ଡ୍ରିଙ୍କସ ବର୍ଗରୁ ବାଦ୍ ଦିଆଯିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଥିଲା । ସେହିପରି ଖାଦ୍ୟ ମାନଦଣ୍ଡ ପାଳନ କରୁନଥିବା ଅନ୍ୟ କେତେକ ପାନୀୟକୁ ମଧ୍ୟ ହେଲଦି ଡ୍ରିଙ୍କ୍ସ୍ ଶ୍ରେଣୀରୁ ବାଦ୍ ଦିଆଯିବାକୁ ସୁପାରିଶ କରାଯାଇଥିଲା ବୋଲି ଏନ୍ସିପିସିଆର ଦର୍ଶାଇଛି ।
ପ୍ରକାଶ, ଏହାପୂର୍ବରୁ ଏପ୍ରିଲ ପ୍ରାରମ୍ଭରେ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ସମସ୍ତ ଇ-ବାଣିଜ୍ୟ (ଏଫ୍ବିଓ)କୁ ନିଜ ୱେବ୍ସାଇଟ୍ରେ ବିକ୍ରି ହେଉଥିବା ସମସ୍ତ ଖାଦ୍ୟ ପଦାର୍ଥର ସଠିକ୍ ମାନକ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏଫ୍ଏସ୍ଏସ୍ଏଆଇ ଆକ୍ଟ-୨୦୦୬ ନିୟମ ଅନୁଯାୟୀ ସ୍ୱାସ୍ଥ୍ୟ ପାନୀୟର କୌଣସି ସରକାରୀ ପରିଭାଷା ନାହିଁ । ତେବେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଚଳିତ ମାସରେ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକୁ ଡାଏରୀ ଉତ୍ପାଦ ପ୍ରୋଟିନ୍ଯୁକ୍ତ ପାନୀୟଗୁଡ଼ିକୁ ହେଲ୍ଥ ଡ୍ରିଙ୍କସ୍ ଭାବେ ଲେବ୍ଲିଂ ନକରିବାକୁ ନିର୍ଦ୍ଦେଶ ଦେଇଥିଲା ।
ସୂଚନାଯୋଗ୍ୟ ଜଣେ ୟୁଟ୍ୟବ୍ର ଏକ ଭିଡିଓ ଜାରି କରିଥିଲେ ଏବଂ ଏଥିରେ ସେ ବର୍ଣ୍ଣଭିଟାରେ ମାତ୍ରାଧିକ ସୁଗାର (ଚିନି) ଲେବ୍ଲ ସହ କୋକୋଆ ଉପାଦାନ ଏବଂ ଚକୋଲେଟ୍ ରଙ୍ଗ ଦେଖାଇବା ପାଇଁ କ୍ଷତିକାରକ ରଙ୍ଗର ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ୟୁଟ୍ୟୁବରଜଣକ କହିଥିଲେ ଏସବୁ ଉପାଦାନ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି । ଏପରିକି ପିଲାମାନଙ୍କ ଠାରେ କ୍ୟାନ୍ସର ଭଳି ରୋଗ ସୃଷ୍ଟି ହେବାର ମଧ୍ୟ ଏହା ଅନ୍ୟତମ କାରଣ ହୋଇପାରେ । ୟୁଟ୍ୟୁବ୍ରେ ଏହି ଭିଡିଓ ଭାଇରାଲ୍ ହେବା ପରେ ପରେ ବର୍ଣ୍ଣଭିଟାକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ଏହା ଉପରେ ଏନ୍ସିପିସିଆର୍ ପରୀକ୍ଷା କରିବା ସହ ରିପୋର୍ଟ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ଏହାକୁ ହେଲଦି ଡ୍ରିଙ୍କ୍ସ ବର୍ଗରୁ ବାଦ୍ ଦେଇଛନ୍ତି ।