ଗୌଚର/ ଉତ୍ତରାଖଣ୍ଡ: ନିର୍ବାଚନୀ ପ୍ରଚାର ପରିପ୍ରେକ୍ଷୀରେ ଆଜି ଉତ୍ତରାଖଣ୍ଡର ଗୌଚର ଅଞ୍ଚଳରେ ଏକ ପ୍ରଚାର ରାଲିକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଚୀନ୍ ଏବଂ ପାକିସ୍ତାନ ତଥା ଆତଙ୍କବାଦ ସମ୍ପର୍କରେ ଏକ ଘରୋଇ ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଥିବା ରାଜନାଥ ସିଂହ ଆଜି ଏଠାରେ ବିରୋଧୀ କଂଗ୍ରେସକୁ ଅତ୍ୟନ୍ତ ଶାଣିତ ତଥା ମାର୍ଜିତ ପରିଭାଷାରେ ଭର୍ତ୍ସନା କରିଛନ୍ତି । ରାଜନାଥ କହିଛନ୍ତି, ସେ ଏବେ କେବଳ ଗୋଟିଏ କଥା ଭାବି ଭାବି ବେଶ୍ ଭୟଭୀତ ହୋଇପଡିଛନ୍ତି । ଆଉ ସେ କଥାଟି ହେଉଛି, ଡାଇନୋସର ଭଳି ବିଶାଳକାୟ ପ୍ରାଣୀ ଯେପରି ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଗଲେ, ଆଗାମୀ କିଛି ବର୍ଷ ମଧ୍ୟରେ କଂଗ୍ରେସ ମଧ୍ୟ ଠିକ୍ ସେହିପ୍ରକାରେ ନିଜ ଅସ୍ତିତ୍ୱ ହରାଇବ । ଏସମ୍ପର୍କରେ ଭାବିବା ବେଳକୁ ସେ ଭୟଭୀତ ହୋଇପଡୁଛନ୍ତି ବୋଲି ରାଜନାଥ କହିଛନ୍ତି ।
ରାଜନାଥ କହିଛନ୍ତି, କଂଗ୍ରେସ ଆଗାମୀ ଦିନରେ ଇତିହାସରେ ହିଁ ଲିପିବଦ୍ଧ ହୋଇ ରହିଯିବ । ଯେତେବେଳେ ଆଗାମୀ ପୀଢ଼ିଙ୍କ ସମ୍ମୁଖରେ ଆମେ କଂଗ୍ରେସର ନାମ ନିଆଯିବ ସେତେବେଳେ ସେମାନେ ପଚାରିବେ, କିଏ? କାରଣ କଂଗ୍ରେସର ଜଣ ଜଣ କରି ସବୁନେତା ଏବେ ଦଳ ଛାଡିବାରେ ଲାଗିଛନ୍ତି ଏବଂ ସେମାନେ ଆସି ବିଜେପିରେ ସାମିଲ ହେଉଛନ୍ତି । ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ କଂଗ୍ରେସ ନେତା, କର୍ମୀ, ସମର୍ଥକ ସବୁ ବିଜେପିରେ ସାମିଲ ହେବେ । କାରଣ ସେମାନଙ୍କ ମଧ୍ୟରେ କଂଗ୍ରେସ ପ୍ରତି ବିଶ୍ୱାସ ତୁଟୁଥିବା ବେଳେ ବିଜେପି ପ୍ରତି ବିଶ୍ୱାସ ବୃଦ୍ଧି ପାଇଛି । ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହି ପ୍ରକ୍ରିୟା ଆହୁରି ବ୍ୟାପକ ହେବ ।
ରାଜନାଥଙ୍କ କହିବାନୁସାରେ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ରହିଛି । କଂଗ୍ରେସ ନେତାମାନେ ପରସ୍ପର ମଧ୍ୟରେ ପ୍ରତ୍ୟହ ଲଢ଼େଇ କରୁଛନ୍ତି । ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ସୋ’ ବିଗ୍ ବସ୍’ରେ ପ୍ରତିଯୋଗୀମାନେ ଯେପରି ଟିଆରପି ପାଇବା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ କରନ୍ତି ଠିକ୍ ସେହିପରି କଂଗ୍ରେସରେ ଚାଲିଛି । ସିଧାସଳଖ କହିଲେ କଂଗ୍ରେସ ପାର୍ଟି ଏବେ ଅନ୍ୟତମ ବିଗ୍ ବସ୍’ ସୋ’ ପାଲଟିଛି । କଂଗ୍ରେସର ତୁଙ୍ଗନେତା ନିଜ ପଦ ଓ କ୍ଷମତା ପାଇଁ ଲାଳାୟିତ ରହିଛନ୍ତି । ସେମାନେ ଦେଶ ତଥା ଦେଶବାସୀଙ୍କ ସମ୍ପର୍କରେ ଚିନ୍ତା କରିବା ଅପେକ୍ଷା ନିଜ ସ୍ୱାର୍ଥ ସାଧନ କରିବାରେ ଲାଗିଛନ୍ତି । ଆଉ ସବୁଠୁ ବଡ଼କଥା ହେଉଛି ଦେଶବାସୀ ଏସବୁକୁ ବେଶ୍ ଭଲଭାବେ ନୀରିକ୍ଷଣ ତଥା ଅନୁଧ୍ୟାନ କରୁଛନ୍ତି । ଫଳରେ ଗତ ଦୁଇ ଥର ଦେଶବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ୨୦୨୪ରେ ମଧ୍ୟ ପରାଜିତ ହେବାକୁ ଯାଉଥିବା ଏପରି ଦଳର ସ୍ଥିତି କେତେ ଦିନ ଯାଏ ତିଷ୍ଠି ପାରିବ ତାହା କେବଳ ସମୟ କହିବ । ପ୍ରକାଶ, ରାଜନାଥ ଆଜି ଏଠାରେ ବିଜେପି ପ୍ରାର୍ଥୀ ଅନୀଲ ବାଲୁନିଙ୍କ ପାଇଁ ପ୍ରଚାର କରିବାକୁ ଆସି ଜନସାଧାରଣଙ୍କୁ ଭୋଟ୍ ଭିକ୍ଷା କରିଥିଲେ । ଏହି ଅବସରରେ ରାଜନାଥ ସିଂହ, ମୋଦୀ ସରକାରଙ୍କ ଗତ ୧୦ ବର୍ଷର ଶାସନକାଳ ମଧ୍ୟରେ ନିଆଯାଇଥିବା ବିଭିୁନ୍ନ ଜନହିତକର ଯୋଜନା ସମ୍ପର୍କରେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ, ଅନ୍ୟ ଦେଶମାନଙ୍କ ସହ ଭାରତର କୂଟନୈତିକ ସମ୍ପର୍କ ମଜବୁତ୍ ହେବା ସମ୍ପର୍କରେ, ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଢ଼ୁଥିବା ଦବ୍ଦବା ସମ୍ପର୍କରେ, ଆତଙ୍କବାଦ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ, ଅର୍ଥନୀତିକୁ ଅଧିକ ମଜବୁତ୍ କରାଯିବା ପାଇଁ ଗ୍ରହଣ କରାଯାଉଥିବା ନୀତିନିୟମ ସମ୍ପର୍କରେ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ମୋଦୀଙ୍କ ବଢ଼ୁଥିବା ସମର୍ଥନ ସମ୍ପର୍କରେ ସୂଚନା ଦେଇଥିଲେ ।