ବ୍ରସେଲ୍ସ: ୟୁକ୍ରେନ ଏବଂ ରୁଷ୍ ମଧ୍ୟରେ ପୁଣିଥରେ ଘନୀଭୂତ ହେଉଥିବା ଯୁଦ୍ଧ ପରିସ୍ଥିତି ଏବେ ସମଗ୍ର ୟୁରୋପ ପାଇଁ ବିପଦ ପାଲଟିଛି । ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ, ରୁଷ୍ ଏବେ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ଆଶଙ୍କା କରାଯାଉଛି ଯେ, ରୁଷ୍ ଯେକୌଣସି ସମୟରେ ୟୁକ୍ରେନ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କର ଟାର୍ଗେଟ୍ ଏବେ କେବଳ ୟୁକ୍ରେନ ନୁହେଁ ବରଂ ୟୁକ୍ରେନ୍କୁ ସାହାଯ୍ୟ କରୁଥିବା ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ହେବେ । ଅର୍ଥାତ୍ ପୁତିନ୍ ଏବେ ଖୁଲମ୍ଖୁଲ୍ଲା ଆମେରିକା ତଥା ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଧମକ ଦେଇଛନ୍ତି । ପୁତିନ୍ଙ୍କ ଏପ୍ରକାର ଧମକକୁ ଦୃଷ୍ଟିରେ ରଖି ୟୁରୋପୀୟ ଦେଶଗୁଡ଼ିକ ଚିନ୍ତିତ ହୋଇପଡିଛନ୍ତି । ପରିସ୍ଥିତି ଏବେ ଏପରି ହୋଇଛି ଯେ, ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ୟୁରୋପୀୟ ସଦସ୍ୟ ଦେଶଗୁଡ଼ିକୁ ସମ୍ଭାବ୍ୟ ରୁଷ୍ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ସେମାନଙ୍କର ବାୟୁ ପ୍ରତିରକ୍ଷା କ୍ଷମତାକୁ ୫ଗୁଣ ବୃଦ୍ଧି କରିବାକୁ ଅନୁରୋଧ କରିଛି ।
ବ୍ଲୁମ୍ବର୍ଗ ରିପୋର୍ଟ ଅନୁଯାୟୀ, ରୁଷ୍ ସହିତ ବଢୁଥିବା ଉତ୍ତେଜନା ଏବଂ ୟୁରୋପର ପ୍ରତିରକ୍ଷା ସମ୍ପର୍କରେ ଆମେରିକାର ଅନିଶ୍ଚିତତା ବୃଦ୍ଧି ପାଉଥିବାରୁ ୟୁରୋପୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନାଟୋ ପକ୍ଷରୁ ଏପ୍ରକାର ଅନୁରୋଧ ପୂର୍ବକ ନୂଆ କରି ପ୍ରୟାସ କରାଯାଇଛି । ନାଟୋ ସଚିବ ଜେନେରାଲ ମାର୍କ ରୁଟ୍ ଏବେ ଏକ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ କହିଛନ୍ତି । ନାଟୋର ଏଭଳି ପ୍ରସ୍ତୁତି ଦେଖି ତୃତୀୟ ବିଶ୍ୱଯୁଦ୍ଧର ସତର୍କ ଘଣ୍ଟି ଯେକୌଣସି ସମୟରେ ବାଜିପାରେ ବୋଲି କଳ୍ପନଜଳ୍ପନା ପ୍ରକାଶ ପାଇଛି । ସେହିପରି ନାଟୋ ପ୍ରତିରକ୍ଷା ମନ୍ତ୍ରୀ ଜୁନ୍ ୫ ତାରିଖରେ ବ୍ରସେଲ୍ସରେ ହେବାକୁ ଥିବା ବୈଠକରେ ବାୟୁ ପ୍ରତିରକ୍ଷା ବୃଦ୍ଧି କରିବା ବିଷୟରେ ଆଲୋଚନା କରିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ବୈଠକର ଏଜେଣ୍ଡାରେ ଅନେକ ପ୍ରସ୍ତାବିତ ପ୍ରତିରକ୍ଷା ପରାମର୍ଶ ଅନ୍ତର୍ଭୁକ୍ତ ହେବ । ଯାହା ଜୁନ୍ ୨୪-୨୫ ତାରିଖରେ ହେଗ୍ରେ ହେବାକୁ ଥିବା ନାଟୋ ସମ୍ମିଳନୀ ପାଇଁ ମୌଳିକ ପଦକ୍ଷେପ ଗ୍ରହଣ କରିବ । ଏସବୁ ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିଜ ସେନାକୁ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ଅଧିକ ଗମ୍ଭୀର ରୂପ ଧାରଣ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।