ମନାଲି: ଅତ୍ୟଧିକ ଥଣ୍ଡା ଯୋଗୁଁ ଯୁବକଙ୍କ ମୃତ୍ୟୁ । ହିମାଚଳ ପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମନାଲି ବୁଲିବାକୁ ଆସି ନିଜର ପ୍ରାଣ ହରାଇଲେ ଓଡିଆ ଯୁବକ । ମନାଲି ପୋଲିସର ସୂଚନା ଅନୁଯାୟୀ ମୃତକଙ୍କ ନାଁ ହେଉଛି ୨୧ ବର୍ଷୀୟ ଚନ୍ଦନ ମହତୋ । ତାଙ୍କ ପିତାଙ୍କ ନାଁ ପରମେଶ୍ୱର ମହତୋ ହୋଇଥିବା ବେଳେ ଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ସମୟକୁଣ୍ଡା ତହସିଲ ଅନ୍ତର୍ଗତ ବାଗଡିଆ ଗାଁ । ଚନ୍ଦନ ନିଜ ସାଙ୍ଗ ସାଥିମାନଙ୍କ ସହିତ ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲା ସ୍ଥିତ ମନାଲିକୁ ବୁଲିବା ପାଇଁ ଯାଇଥିଲେ ।
ଗତକାଲି ରାତିରେ ଚନ୍ଦନଙ୍କ ଶରୀର ଅଚାନକ ଭାବେ ଅସୁସ୍ଥ ହୋଇପଡିଥିଲା । ସାଙ୍ଗମାନେ ତାଙ୍କୁ ନିକଟସ୍ଥ ମନାଲି ସିଭିଲ ହସ୍ପିଟାଲକୁ ନେଇ ଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନଙ୍କ ମୃତ୍ୟୁ ହୋଇଯାଇଥିଲା । ମନାଲି ଡିଏଲପି କେଡି ଶର୍ମା କହିଛନ୍ତି ଯେ ପୋଲିସ ଚନ୍ଦନଙ୍କ ସାଙ୍ଗ ସାଥିମାନଙ୍କ ବୟାନ ଦର୍ଜ କରିଛି ଓ ମୃତ ଯୁବକଙ୍କ ପରିବାରବର୍ଗ ସହିତ ମଧ୍ୟ ସମ୍ପର୍କ କରାଯାଇଛି । ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂଚନା ଅନୁଯାୟୀ ଚନ୍ଦନଙ୍କ ମୃତ୍ୟୁ ଅତ୍ୟଧିକ ଥଣ୍ଡା କାରଣରୁ ହୋଇଛି । କିନ୍ତୁ ପୋଷ୍ଟ ମର୍ଟମ ରିପୋର୍ଟ ଆସିବାପରେ ଚନ୍ଦନଙ୍କ ମୃତ୍ୟୁର ସଠିକ କାରଣ ସମ୍ପର୍କରେ ଜଣା ପଡିବ । ମନାଲି ପୋଲିସ ଏ ମାମଲାର ତଦନ୍ତ କରୁଅଛି । ସମସ୍ତ ପ୍ରକାର ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ ଚନ୍ଦନଙ୍କ ମୃତଦେହକୁ ତାଙ୍କ ସାଙ୍ଗ ମାନଙ୍କୁ ଦିଆଯାଇଛି ।
ସେହିପରି ହିମାଚଳ ପ୍ରଦେଶରେ ଥମୁନି ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁ । ଚଳିତ ଫେବୃଆରୀ ୧୦ ତାରିଖରେ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଡୋଭି ଅଞ୍ଚଳରେ ଥିବା ଏକ ପାରା ଗ୍ଲାଇଡିଙ୍ଗ ସାଇଟରେ ହାଇଦ୍ରାବାଦ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମହିଳା ପର୍ଯ୍ୟଟକ ଜଣଙ୍କୁ ପାରାଗ୍ଲାଇଡିଙ୍ଗ ପାଇଲଟ ଜଣକ ଠିକ ଭାବେ ପ୍ରୋଟେକ୍ସନ ବେଲ୍ଟ ପିନ୍ଧାଇ ନ ଥିଲେ । ଯାହା ଫଳରେ ମହିଳା ଜଣକ ପାରାଗ୍ଲାଇଡିଙ୍ଗ କରିଥିବା ସମୟରେ ଭୂମିରୁ ବହୁ ଉଚ୍ଚତା ଉପରୁ ଖସି ପଡିଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମାଜିଷ୍ଟ୍ରେଟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡୋବି ଅଞ୍ଚଳରେ ପାରାଗ୍ଲାଇଡିଂ ଉଡାଣ ଉପରେ ରୋକ ଲଗାଇଥିଲେ । ସମ୍ପୃକ୍ତ ପାଇଲଟକୁ ପୋଲିସ ଗିରଫ କରିଥିଲା ।