22.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶମଣିପୁର ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ ବିରୋଧୀ

ମଣିପୁର ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ ବିରୋଧୀ

ନୂଆଦିଲ୍ଲୀ : ଗୁରୁବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ମଣିପୁରରେ ଘଟିଥିବା ମହିଳାଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ ନେଇ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗାମା ସୃଷ୍ଟି କରିଛନ୍ତି । ଫଳରେ ଉଭୟ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳର ନେତାମାନେ ‘ମଣିପୁର, ମଣିପୁର’ ଏବଂ ‘ମଣିପୁର ଜଳୁଛି’ ବୋଲି ସ୍ଲୋଗାନ ଦେଇଥିଲେ । ହୋହଲ୍ଲା ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଗୃହକୁ ଆଶ୍ୱାସନା ଦେଇ କହିଥିଲେ ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି । ମଣିପୁର ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୃହରେ ଆଲୋଚନା କାଳରେ ବିବୃତି ରଖିବେ ଏବଂ ବାଚସ୍ପତି ଆଲୋଚନାର ତାରିଖ ଧାର୍ଯ୍ୟ କରିବେ ବୋଲି ଶ୍ରୀ ଜୋଷୀ ପ୍ରତିଶ୍ରୁତି ଦେଇଥିଲେ । ଏହାସତ୍ତ୍ୱେ ବିରୋଧୀ ସାଂସଦମାନେ ଶାନ୍ତ ପଡିନଥିଲେ । ସେମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ । ଏପରିକି ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରିଥିଲେ । ଫଳରେ ବାଚସ୍ପତି ଓମ ବିର୍ଲା ପ୍ରଥମେ ଲୋକସଭାକୁ ଦିନ ୧୧ଟା ଓ ଏବଂ ପରେ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଅପରାହ୍ନରେ ସ୍ଥିତି ଅପରିବର୍ତ୍ତିତ ରହିବାରୁ ବାଚସ୍ପତି ଲୋକସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ରାଜ୍ୟସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା । ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନ୍‌କର ମଧ୍ୟ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ମଣିପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇ ରାସ୍ତାରେ ଉଲଗ୍ନଭାବେ ପରେଡ୍ କରାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ସଂସଦ ବାହାରେ ମନ୍ତବ୍ୟ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ ପ୍ରଶ୍ନ କରିଥିଲେ ।  ଅପରପକ୍ଷରେ ମଣିପୁରରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ସୂଚନା ଦେଇଛନ୍ତି । ୩୨ ବର୍ଷୀୟ ହେରାଦାସକୁ ଗୁରୁବାର ସକାଳେ ଥୌବାଲ ଜିଲ୍ଲାରୁ ଗିରଫ କରାଯାଇଥିବାବେଳେ ପୂର୍ବରୁ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ସୂଚନାଯୋଗ୍ୟ ମେ’ ୩ରୁ ମଣିପୁରରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଜାତିଗତ ହିଂସାର ସୂତ୍ରପାତ ହୋଇଥିଲା ।

ଏହାର ଦିନକପରେ ଅର୍ଥାତ ମେ’ ୪ରେ ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗ୍‌ପୋକ୍‌ପି ଜିଲ୍ଲାରେ ଏହି ହୃଦୟ ବିଦାରକ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ମୁଷ୍ଟିମେୟ ଲୋକ କୁକି ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ନିକଟସ୍ଥ ଧାନବିଲରେ ଗଣଦୁଷ୍କର୍ମ କରିବାପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ପୀଡିତା ମହିଳା ଦ୍ୱୟ କ୍ରନ୍ଦନ କରିବା ସହ ଛାଡିଦେବାକୁ ଗୁହାରି କରୁଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କ ପ୍ରତି ଯୌନ ନିର୍ଯାତନା ଦେଉଥିବା ଭିଡିଓରୁ ଜଣାପଡିଛି । ଘଟଣାର ପ୍ରାୟ ଅଡେଇ ମାସ ପରେ ଏହି ଭିଡିଓ ଭାଇରାଲ ହୋଇଥିବାବେଳେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଘଟଣା ଘଟିବା ଏବଂ ଏହାର ଭିଡିଓ ଭାଇରାଲ ହେବାମଧ୍ୟରେ କିଛିମାସର ବ୍ୟବଧାନ ରହିଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିନଥିଲା ବୋଲି ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି । ତେବେ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ଏବଂ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking