ଗଲ୍: ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭ୍ରମଣକାରୀ ପାକିସ୍ତାନ ୪ ୱିକେଟ୍ରେ ବିଜୟ ହାସଲ କରିଛି । ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୧୨ ରନ୍ କରିବା ପରେ ପାକିସ୍ତାନ ୪୬୧ ରନ୍ କରିଥିଲା । ପ୍ରଥମ ଇନିଂସ ଭିତ୍ତିରେ ୧୪୯ ରନ୍ରେ ପଛୁଆ ଥିବା ଶ୍ରୀଲଙ୍କା ତା’ର ଦ୍ୱିତୀୟ ଇନିଂସରେ ୨୭୯ ରନ୍ରେ ଅଲ୍ଆଉଟ୍ ହେବା ଫଳରେ ପାକିସ୍ତାନକୁ ମାତ୍ର ୧୩୧ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । ଏହି ଟାର୍ଗେଟ୍ର ପିଛା କରି ପାକିସ୍ତାନ ବୁଧବାର ମ୍ୟାଚ୍ର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୪୮ ରନ୍ କରିଥିଲା । ଦଳ ଅନ୍ତିମ ଦିନରେ ଗୁରୁବାର ଆଉ ୩ଟି ୱିକେଟ୍ ହରାଇ ଅବଶିଷ୍ଟ ୮୫ ରନ୍ ସଂଗ୍ରହ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ଇନିଂସରେ ଅପରାଜିତ ଦ୍ୱିଶତକୀୟ ଇନିଂସ ଖେଳି ଦଳକୁ ଅଗ୍ରଣୀ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାଉଦ୍ ଶକିଲ୍ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।
ଗୁରୁବାରର ଖେଳ ପାକିସ୍ତାନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଓପନର୍ ଇମାମ୍-ଉଲ୍-ହକ୍ (୨୫) ଓ ଅଧିନାୟକ ବାବର୍ ଆଜମ୍ (୬) ଆରମ୍ଭ କରିଥିଲେ । ଉଭୟ ଚତୁର୍ଥ ୱିକେଟ୍ରେ ୪୧ ରନ୍ ଯୋଡ଼ିବା ପରେ ବାବର୍ ୫ଟି ଚୌକା ସହ ୨୪ ରନ୍ କରିଥିବା ସମୟରେ ଆଉଟ୍ ହୋଇଥିଲେ । ତାଙ୍କୁ ସ୍ପିନର୍ ପ୍ରବତ୍ ଜୟସୂରିୟା ଏଲବ୍ଡବଲ୍ୟୁ ଆଉଟ୍ କରି ଦଳ ପାଇଁ ଦିନର ପ୍ରଥମ ୱିକେଟ୍ ହାସଲ କରିଥିଲେ । ବାବରଙ୍କ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ସାଉଦ୍ ପଞ୍ଚମ ୱିକେଟ୍ରେ ୪୩ ରନ୍ ଯୋଡ଼ିବା ପରେ ୬ଟି ଚୌକା ସହ ୩୦ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ତାଙ୍କ ପରେ ପରେ ସର୍ଫରାଜ ଅହମ୍ମଦ ମାତ୍ର ୧ ରନ୍ର ଯୋଗଦାନ ପରେ ଆଉଟ୍ ହୋଇଥିଲେ । କିନ୍ତୁ ଅନ୍ୟ ପଟେ ଅପରାଜିତ ଥିବା ଇମାମ୍ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ୩୩ତମ ଓଭର୍ର ଚତୁର୍ଥ ବଲ୍ରେ ପ୍ରଥମ ଇନିଂସରେ ଅର୍ଦ୍ଧଶତକ କରିଥିବା ଆଗା ସଲମାନ୍ ଛକା ମାରି ଦଳୀୟ ସ୍କୋର୍କୁ ୧୩୩/୬ରେ ପହଞ୍ଚାଇ ମ୍ୟାଚ୍ର ମୁଣ୍ଡି ମାରିଥିଲେ । ସେ ୬ ରନ୍ କରିଥିବା ବେଳେ ଇମାମ୍ ୪ଟି ଚୌକା ଓ ଗୋଟିଏ ଛକା ଜରିଆରେ ୫୦ ରନ୍ କରିଥିଲେ । ଶ୍ରୀଲଙ୍କାର ପ୍ରବତ୍ଙ୍କୁ ୪ଟି ଓ ରମେଶ ମେଣ୍ଡିସ୍ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍ ଆସନ୍ତା ୨୪ରୁ କଲମ୍ବୋର ସିଂହଳୀଜ୍ ସ୍ପୋର୍ଟ୍ସ କ୍ଲବ୍ଠାରେ ଆରମ୍ଭ ହେବ ।