ମୟୂରଭଞ୍ଜ: କଳା ମୁଗୁନି ପଥରରେ ନିର୍ମିତ ବିଶ୍ବର ଏକମାତ୍ର ମନ୍ଦିର ମା’କିଚକେଶ୍ୱରୀଙ୍କ ମନ୍ଦିର। ଓଡ଼ିଶାର ପୁରାତନ ଐତିହାସିକ ଶକ୍ତିପୀଠ ଭାବରେ ବେଶ ପରିଚିତ ଖିଚିଂ ମନ୍ଦିର। ୧୨ଶହ ବର୍ଷ ଏହି ପୂରାତନ ଖିଚିଂ ମନ୍ଦିରରେ ପୂଜା ପାଉଛନ୍ତି ମା’ କିଚକେଶ୍ଵରୀ ଏବଂ ଚନ୍ଦ୍ରଶେଖର ମହାଦେବ। ଖିଚିଂ ମନ୍ଦିରଟି ସମ୍ପୂର୍ଣ୍ଣ କଳାମୁଗୁନି ପଥରେ ନିର୍ମାଣ ହୋଇଛି। ଏହି ଐତିହାସିକ ମନ୍ଦିରଟି ୯୨୦ ରୁ ୯୨୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିଲା। ଏହି ମନ୍ଦିରର ଏରିଆ ହେଉଛି ୧୭୬୪ ବର୍ଗ ଫୁଟ । ବର୍ଷ ତମାମ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅଛୁଟି ଥାଏ। କେବଳ ଓଡିଶା ନୁହେଁ ବାହାର ରାଜ୍ୟ ସମେତ ବିଦେଶରୁ ମଧ୍ୟ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ଏହି ସ୍ଥାନରେ। ଦେଶ ସ୍ଵାଧୀନତା ପୂର୍ବରୁ ମୟୂରଭଞ୍ଜ ମହାରାଜାଙ୍କ ଦାୟିତ୍ଵରେ ଥିଲା ଏହି ମନ୍ଦିରଟି। ପରବର୍ତ୍ତୀ ସମୟରେ ଏହା ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗର ଦାୟିତ୍ଵରେ ରହିଛି ମନ୍ଦିର। ମନ୍ଦିରର ରକ୍ଷଣାବେକ୍ଷଣ ଓ ନୀତିକାନ୍ତି ପରିଚାଳନା ପାଇଁ ଏକଟ୍ରଷ୍ଟ ଗଠନ କରାଯାଇଛି। ଏଥିରେ କରଞ୍ଜିଆ ଉପଜିଲ୍ଲାପାଳ ମୁଖ୍ୟ ଦାୟିତ୍ଵରେ ରହିଛନ୍ତି। ଏବେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମନ୍ଦିରର ଦାୟିତ୍ଵରେ ରହି ସମସ୍ତ ଭଲମନ୍ଦ କଥା ବୁଝୁଛନ୍ତି। ଖିଚିଂ ମନ୍ଦିର ପରିସରରେ ମା’ଙ୍କ ମନ୍ଦିର ସହିତ ତିନିଟି ଶିବଲିଙ୍ଗରେ ମହାଦେବ ପୂଜା ପାଉଛନ୍ତି । ହଜାର ହଜାର ବର୍ଷର ଏହି ପୁରୁଣା ମନ୍ଦିରରେ ଅନେକ କିମ୍ବଦନ୍ତୀ ରହିଛି। କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଲେ ମଧ୍ୟ ଏହି ମନ୍ଦିର ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗକୁନେଇ ସର୍ବସାଧାରଣରେ ଚର୍ଚ୍ଚା ହେଉଛି।
ସେହିପରି ମନ୍ଦିରରେ ଅନେକ ସମସ୍ୟା ଲାଗି ରହୁଥିଲେ ବି କେହି ଗୁରୁତ୍ୱ ଦେଉନଥିବା ମତପ୍ରକାଶ ପାଉଛି। ଏନେଇ ଆଜି ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ଥାନୀୟ ଜନସାଧାରଣ, ସାମ୍ବାଦିକ, ଖିଚିଂ ମନ୍ଦିର ସେବାୟତ, ଭଞ୍ଜସେନାର ପ୍ରତିଷ୍ଠାତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ତେବେ ସରକାର ଖିଚିଂ ମନ୍ଦିର ସୌନ୍ଦର୍ଯ୍ୟ କରଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୩୫୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଦାବି ହେଇଛି। ଏକମାସ ମଧ୍ଯରେ ପୂରଣ ନ ହୁଏ ତେବେ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଶୁକ୍ରବାର ଦିନ କରଞ୍ଜିଆ ଉପଖଣ୍ଡକୁ ବନ୍ଦ କରାଯିବା ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଚେତାବନୀ ଦେଇଛନ୍ତି | ତେବେ ବିଭିନ୍ନ ମଠ ମନ୍ଦିରର ଉନ୍ନତିକରଣ ନିମନ୍ତେ ଆନ୍ତରିକତା ଦେଖାଇ ଅନୁଦାନ ଯୋଗାଇ ଦେଉଥିବା ବେଳେ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିର ପ୍ରତି ଆନ୍ତରିକତାର ଅଭାବ କାହିଁକି ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପଟେ ଏହି ମନ୍ଦିର ସ୍ଥଳ ଏବଂ ପରିବେଶର ସୌନ୍ଦର୍ଯ୍ୟକରଣ ଦିଗରେ ଆଗକୁ ସରକାର କିପ୍ରକାର ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।