21.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଉତ୍ତର ଭାରତରେ ବନ୍ୟା ବିଭୀଷିକା, ୧୯ ମୃତ; ହିମାଚଳ ପ୍ରଦେଶର ୭ ଜିଲ୍ଲାକୁ ରେଡ୍ ଆଲର୍ଟ

ଉତ୍ତର ଭାରତରେ ବନ୍ୟା ବିଭୀଷିକା, ୧୯ ମୃତ; ହିମାଚଳ ପ୍ରଦେଶର ୭ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବିଗତ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ପାହାଡରୁ ଅତଡା ଖସିବା ଏବଂ ବନ୍ୟା ସ୍ରୋତରେ ଭାସିଯାଇ ବିଭିନ୍ନ ସ୍ଥାନରେ ୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆସନ୍ତା ଦୁଇଦିନ ଧରି ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଓ ହିମାଚଳ ପ୍ରଦେଶରେ ପ୍ରତ୍ୟେକ ୫ ଜଣ, ରାଜସ୍ଥାନରେ ୪, ଉତ୍ତର ପ୍ରଦେଶ/ଜମ୍ମୁ-କଶ୍ମୀରରେ ପ୍ରତ୍ୟେକ ୨ ଜଣ ଏବଂ ଦିଲ୍ଲୀରେ ଜଣକର ମୃତ୍ୟୁ ଘଟିଛି ।

ଉତ୍ତରାଖଣ୍ଡରେ ଗଙ୍ଗା ସମେତ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଛି । କେଦାରନାଥରୁ ୧୧ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବାବେଳେ ଗୋଟିଏ ଜିପ୍ ତେହରି ଗଡୱାଲ ଜିଲ୍ଲାରେ ଗଙ୍ଗାନଦୀକୁ ଖସିପଡିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପାଞ୍ଚଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୩ ଜଣ ନିଖୋଜ ଅଛନ୍ତି । ଉଦ୍ଧାମ ସିଂହ ନଗର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଦୁଇଟି ଘର ଭାଙ୍ଗିଯିବାରୁ ନାସିର ଅହମ୍ମଦ ଓ ମହମ୍ମଦି ନାମକ ଦମ୍ପତି ପ୍ରାଣ ହରାଇଥିବାବେଳେ ସେମାନଙ୍କର ୧୮ ବର୍ଷୀୟା ନାତୁଣି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ହିମାଚଳ ପ୍ରଦେଶର ସିମଳା ଜିଲ୍ଲା ଅନ୍ତର୍ଗତ କୋଟଗଡ ଅଞ୍ଚଳରେ ବର୍ଷା ଯୋଗୁଁ ଘର ଭାଙ୍ଗିଯାଇ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଛନ୍ତି । କୁଲ୍ଲୁ ଜିଲ୍ଲାରେ ଅସ୍ଥାୟୀ ଘର ଉପରେ ଅତଡା ଖସିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଚାମ୍ବ୍ ଜିଲ୍ଲାରେ ଜଣେ ବ୍ୟକ୍ତି ମାଟିଅତଡା ତଳେ ପୋତିହୋଇ ପ୍ରାଣ ହରାଇଛନ୍ତି ।

ବିଗତ ୩୬ ଘଣ୍ଟା ମଧ୍ୟରେ ହିମାଚଳର ୧୪ଟି ସ୍ଥାନରେ ଭୂସ୍ଖଳନ ଘଟିଥିବାବେଳେ ୧୩ଟି ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୭୦୦ରୁ ଊର୍ଦ୍ଧ୍ୱ ସଡକ କ୍ଷତିଗ୍ରସ୍ତ ହୋଇଥିବାବେଳେ କୁଲ୍ଲୁ, କିନ୍ନାଉର ଓ ଚାମ୍ବ୍ ଜିଲ୍ଲାରେ ଏକାଧିକ ଯାନବାହନ ବନ୍ୟାଜଳରେ ଭାସିଯାଇଛି । ହିମାଚଳ ପ୍ରଦେଶ ସରକାର ଆସନ୍ତା ଦୁଇଦିନ (୧୦ ଓ ୧୧ ତାରିଖ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି । ୧୭୪୩ଟି ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିବାରୁ ରାଜ୍ୟର କେତେକ ଅଞ୍ଚଳ ଅନ୍ଧକାରାଚ୍ଛନ୍ନ ହୋଇପଡିଛି । ପ୍ରବଳ ବର୍ଷାରେ ରାଜସ୍ଥାନର ଚିତ୍ତୋରଗଡ ଓ ସୱାଇ ମାଧୋପୁର ଜିଲ୍ଲାରେ ମୋଟ ୪ ଜଣଙ୍କର ପ୍ରାଣହାନି ଘଟିଛି । ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ରାଜସ୍ଥାନର ୧୪ଟି ଜିଲ୍ଲା ଯଥା ରାଜସମନ୍ଦ, ଜାଲୋର, ପାଲି, ଆଜମେର, ଅଲୱାର, ବନ୍‌ସୱାଡା, ଭରତପୁର, ଭିଲୱାଡା, ବୁନ୍ଦି, ଚିତ୍ତୋରଗଡ, ଦୌସା, ଧୌଲପୁର, ଜୟପୁର ଓ କୋଟାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ରବିବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅ ପ୍ରାଣ ହରାଇଛନ୍ତି । ସେହିପରି ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ସୁରନକୋଟ୍ ନିକଟସ୍ଥ ଡୋଗ୍ରା ନାଳ ପାର ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସିଯାଇ ନାଏବ ସୁବେଦାର କୁଲଦୀପ ସିଂହ ଓ ସିପାହୀ ତେଲୁରାମଙ୍କର ମୃତ୍ୟୁ ଘଟିଛି । ଜମ୍ମୁ-କଶ୍ମୀରର କାଠୁଆ, ସାମ୍ବା ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଉଭୟପାଶ୍ୱର୍ରେ ପ୍ରାୟ ୩୦୦୦ ଯାନବାହନ ଅଟକିଥିବା ଜଣାପଡିଛି । ଅମରନାଥ ଯାତ୍ରାକୁ କ୍ରମାଗତ ତୃତୀୟ ଦିନ ପାଇଁ ବାତିଲ କରାଯାଇଛି । ରାଜଧାନୀ ଦିଲ୍ଲୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୫୩ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ୧୯୮୨ ଜୁଲାଇ ପରେ ଗୋଟିଏ ଦିନରେ ଏହା ସର୍ବାଧିକ ବର୍ଷା ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରେ ଛାତ ଭୁଶୁଡି ପଡିବାରୁ ଜଣେ ୫୮ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି ।

ଅପରପକ୍ଷରେ ପ୍ରବଳ ବର୍ଷା ଓ ତତ୍‌ଜନିତ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନର୍ଦନ ରେଳବାଇ ପକ୍ଷରୁ ୧୭ଟି ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ ୧୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ରେଳଧାରଣା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ନର୍ଦନ ରେଳବାଇର ୪ଟି ସ୍ଥାନରେ ରେଳ ଚଳାଚଳକୁ ବାତିଲ କରାଯାଇଛି । ଫିରୋଜପୁର କ୍ୟାଣ୍ଟନମେଣ୍ଟ ଏକ୍ସପ୍ରେସ, ଅମୃତସର ସୁପରଫାଷ୍ଟ ଏକ୍ସପ୍ରେସ, ଚଣ୍ଡିଗଡ ଇଣ୍ଟରସିଟି ଏକ୍ସପ୍ରେସ ଇତ୍ୟାଦି ବାତିଲ ହୋଇଥିବାବେଳେ ମୁମ୍ବାଇ-ଅମୃତସର ଏକ୍ସପ୍ରେସ, ଅମୃତସର ଏକ୍ସପ୍ରେସ ଓ ଦୌଲତପୁର ଚୌକ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି । ପଞ୍ଜାବ ଓ ହରିୟାଣା ସମେତ ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କେରଳର ୪ଟି ଜିଲ୍ଲା ଯଥା କୋଜିକୋଡ୍‌, ୱାଏନାଡ୍‌, କନ୍ନୁର ଓ କସରାଗଡ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking