ମୁମ୍ବାଇ: ଇଲେକ୍ଟ୍ରିକ୍ ମୋବିଲିଟି ଷ୍ଟାର୍ଟଅପ୍ ଜାଇପ୍ ଇଲେକ୍ଟ୍ରିକ୍ ଏବଂ ଫୁଡ୍ ଡେଲିଭେରୀ କମ୍ପାନୀ ଜମାଟୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ତଦନୁଯାୟୀ ଫୁଡ୍ ଡେଲିଭେରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜାଇପ୍ ଇଲେକ୍ଟ୍ରିକ୍ ୨୦୨୪ ସୁଦ୍ଧା ଜମାଟୋକୁ ୧ ଲକ୍ଷ ଇଲେକ୍ଟ୍ରିକ୍ ସ୍କୁଟର ଯୋଗାଇବ ବୋଲି ଜଣାପଡିଛି । ଫଳରେ ଜମାଟୋ କର୍ମଚାରୀମାନେ ସହଜରେ ଦୁର୍ଗମ ତଥା ଦୂର ଅଞ୍ଚଳରେ ଗ୍ରାହକଙ୍କୁ ସହଜରେ ଖାଦ୍ୟ ସାମଗ୍ରୀ ଯୋଗାଇ ପାରିବେ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ଜାଇପ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ୧୩ ହଜାର ଇ-ସ୍କୁଟର ଜମାଟୋ କର୍ମଚାରୀ ବ୍ୟବହାର କରୁଛନ୍ତି । ୨୦୨୪ ସୁଦ୍ଧା ଏକଲକ୍ଷ ଇ-ସ୍କୁଟର ବ୍ୟବହାର କରାଗଲେ ଅଙ୍ଗାରକାମ୍ଳ ନିର୍ଗମନ ୩୫ ନିୟୁତ କିଗ୍ରା ହ୍ରାସ ପାଇବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ୨୦୩୦ ସୁଦ୍ଧା ଜମାଟୋ କର୍ମଚାରୀମାନେ ଖାଦ୍ୟ ସାମଗ୍ରୀ ଡେଲିଭେରୀ ପାଇଁ କେବଳ ଇ-ସ୍କୁଟର ବ୍ୟବହାର କରିବାର ଯୋଜନା ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଜମାଟୋ ପକ୍ଷରୁ ପେଟ୍ରୋଲ ଚାଳିତ ଦୁଇଚକିଆ ଯାନ ବ୍ୟବହାର କରାଯାଉଛି । ଏହା ବ୍ୟୟସାପେକ୍ଷ ହୋଇଥିବାବେଳେ ପ୍ରଦୂଷଣ ମାତ୍ରାକୁ ମଧ୍ୟ ବୃଦ୍ଧି କରୁଛି । ଜାଇପ୍ ଇଲେକ୍ଟ୍ରିକ୍ ବର୍ତ୍ତମାନ ୫୦ ଇ-କମର୍ସ କମ୍ପାନୀକୁ ଇ-ସ୍କୁଟର ଯୋଗାଣ କରିଛି ବୋଲି ଏହାର ସହ-ପ୍ରତିଷ୍ଠାତା ତୁଷାର ମେହେଟ୍ଟା କହିଛନ୍ତି ।