ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ସୋମବାର ପଞ୍ଚଦଶ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ୧ ୱିକେଟ୍ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ମାତ୍ର ୨ଟି ୱିକେଟ୍ ହରାଇ ୨୧୨ ରନ୍ର ବଡ଼ ସ୍କୋର୍ କରିଥିଲା । ତେବେ ଏହାର ଜବାବରେ ମାର୍କସ୍ ଷ୍ଟୋଇନିସ୍ ଓ ନିକୋଲାସ୍ ପୂରନ୍ଙ୍କ ନିର୍ଧୂମ୍ ପ୍ରହାର ବଳରେ ଲକ୍ଷ୍ନୌ ୯ଟି ୱିକେଟ୍ ହରାଇ ଅନ୍ତିମ ବଲ୍ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଉଭୟ ବ୍ୟାଟ୍ସମ୍ୟାନ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବା ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିବା ଫଳରେ ବଡ଼ ସ୍କୋର୍ ସତ୍ତ୍ୱେ ବାଙ୍ଗାଲୋର୍କୁ ଦ୍ୱିତୀୟ ପରାଜୟ ବରଣ କରିବାକୁ ପଡ଼ିଛି । ଅନ୍ୟପକ୍ଷରେ ଲକ୍ଷ୍ନୌ ତା’ର ଚତୁର୍ଥ ମ୍ୟାଚ୍ରେ ତୃତୀୟ ବିଜୟ ହାସଲ କରିଛି ।
ବାଙ୍ଗାଲୋର୍ର ଦୁଇ ଓପନର ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ୯୬ ରନ୍ ଯୋଡ଼ିଥିଲେ । କୋହଲି ୪୪ ବଲ୍ ଖେଳି ୪ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୬୧ ରନ୍ କରି ଆଉଟ୍ ହୋଇଥିଲେ ହେଁ ଡୁ ପ୍ଲେସିସ୍ ତାଙ୍କ ବ୍ୟାଟିଂ କାଏମ ରଖିଥିଲେ । ସେ ଦ୍ୱିତୀୟ ୱିକେଟ୍ରେ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ସହ ୧୧୫ ରନ୍ର ଦ୍ରୁତ ଭାଗୀଦାରୀ କରିବା ଫଳରେ ଦଳୀୟ ରନ୍ ସଂଖ୍ୟା ୨୦୦ ଟପିଥିଲା । ମ୍ୟାକ୍ସୱେଲ୍ ମାତ୍ର ୨୯ ବଲ୍ ଖେଳି ୩ଟି ଚୌକା ଓ ୬ଟି ଛକା ମାଧ୍ୟମରେ ୫୯ ରନ୍ କରି ଆଉଟ୍ ହୋଇଥିଲେ । ଡୁ ପ୍ଲେସିସ୍ ୪୬ ବଲ୍ ଖେଳି ୭୯ ରନ୍ରେ ଅପରାଜିତ ରହିବା ସହ ଲକ୍ଷ୍ନୌକୁ ଏକ ବଡ଼ ଟାର୍ଗେଟ୍ ଦେଇଥିଲେ । ତାଙ୍କର ଏହି ଇନିଂସରେ ୫ଟି ଲେଖାଏଁ ଚୌକା ଓ ଛକା ରହିଥିଲା । ଲକ୍ଷ୍ନୌ ପକ୍ଷରୁ ମାର୍କ ଉଡ୍ ଓ ଅମିତ୍ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ ଲକ୍ଷ୍ନୌ ୨୩ ରନ୍ ମଧ୍ୟରେ ୩ଟି ୱିକେଟ୍ ହରାଇବା ପରେ ଷ୍ଟୋଇନିସ୍ ଓ ଅଧିନାୟକ ତଥା ଓପନର ଲୋକେଶ ରାହୁଲ୍ (୧୮)ଙ୍କ ମଧ୍ୟରେ ୭୬ ରନ୍ର ଭାଗୀଦାରୀ ହୋଇଥିଲା । ଷ୍ଟୋଇନିସ୍ ମାତ୍ର ୩୦ ବଲ୍ରେ ୬ଟି ଚୌକା ଓ ୫ଟି ଛକା ମାଧ୍ୟମରେ ୬୫ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ପୂରନ୍ ମାତ୍ର ୧୯ ବଲ୍ରେ ୪ଟି ଚୌକା ଓ ୭ଟି ଛକା ବଳରେ ୬୨ ରନ୍ କରି ମ୍ୟାଚ୍ର ଗତିପଥ ବଦଳାଇଦେଇଥିଲେ । ଏଥିସହ ସେ ଆୟୁଷ ବଦୋନୀଙ୍କ ସହ ଷଷ୍ଠ ୱିକେଟ୍ରେ ୮୪ ରନ୍ ଯୋଡ଼ିଥିଲେ । ପୂରନ୍ ଆଉଟ୍ ହେବା ପରେ ମ୍ୟାଚ୍ର ଅନ୍ତିମ ସମୟରେ ଭରପୂର ରୋମାଞ୍ଚ ଦେଖିବାକୁ ମିଳିଥିଲେ ହେଁ ଅନ୍ତିମ ବଲ୍ରେ ଲକ୍ଷ୍ନୌ ବିଜୟୀ ହୋଇଥିଲା । ବଦୋନୀ ୨୪ ବଲ୍ ଖେଳି ୪ଟି ଚୌକା ମାଧ୍ୟମରେ ୩୦ ରନ୍ କରିଥିଲେ । ବାଙ୍ଗାଲୋର୍ ପକ୍ଷରୁ ମହମ୍ମଦ ସିରାଜ୍ ଓ ୱେନ୍ ପାର୍ନେଲ୍ ୩ଟି ଲେଖାଏଁ, ହର୍ଷଲ୍ ପଟେଲ୍ ୨ଟି ଓ କର୍ଣ୍ଣ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ ।