23.1 C
Bhubaneswar
Sunday, May 12, 2024
Homeଓଡିଶାଉପଭୋକ୍ତାଙ୍କ ମୁଣ୍ଡରେ ୪୨୦୦ କୋଟିର ଋଣ ବୋଝ; ବିନା ଘୋଷଣାରେ ପାୱାର କଟ୍‌, ଲୋକେ ଛଟପଟ

ଉପଭୋକ୍ତାଙ୍କ ମୁଣ୍ଡରେ ୪୨୦୦ କୋଟିର ଋଣ ବୋଝ; ବିନା ଘୋଷଣାରେ ପାୱାର କଟ୍‌, ଲୋକେ ଛଟପଟ

ଭୁବନେଶ୍ୱର: ବିନା ଘୋଷଣାରେ ବିଦ୍ୟୁତ୍ କାଟ୍ ରାଜ୍ୟବ୍ୟାପୀ ଚାଲିଛି । ବିଦ୍ୟୁତ ବଣ୍ଟନ କମ୍ପାନୀର ମନମାନୀ ଜାରି ରହିଥିବା ଅଭିଯୋଗ ହୋଇଛି । ଏପରିକି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିଚାଲିଛିି । ଫଳରେ ଅସହ୍ୟ ତାତି, ଗୁଳୁଗୁଳି ଓ ଝାଞ୍ଜିପବନ ଭିତରେ ବିଦ୍ୟୁତ୍‌କାଟ୍ ଯୋଗୁଁ ଲୋକେ ଡହଳବିକଳ ହେଉଛନ୍ତି । ରାତିରେ ନା’ ବଲ୍ ଜଳୁଛି, ନା’ ପଙ୍ଖା ଘୁରୁଛି । ଭୁବନେଶ୍ୱର ଚତୁଃପାଶ୍ୱର୍ରେ ଥିବା ଗାଁଗୁଡ଼ିକର ସ୍ଥିତି ବହୁତ ଖରାପ୍ । ଏସବୁ ଅଞ୍ଚଳରେ ବିନା ବର୍ଷା ପବନରେ ଦିନକୁ ପ୍ରାୟ ଚାରିରୂ ପାଞ୍ଚ ଘଣ୍ଟା ବିଦ୍ୟୁତ୍ ରହୁନ ଥିବା ଜଣାପଡ଼ିଛି । ଏସବୁସତ୍ତ୍ୱେ ଅନ୍ୟ ରାଜ୍ୟ ତୁୂଳନାରେ ରାଜ୍ୟର ଲୋକେ ଚଢ଼ା ଦରରେ ବିଦ୍ୟୁତ୍ ୟୁନିଟ୍ ପିଛା ଦେଉଥିବା ଅଭିଯୋଗ ହୋଇଛି ।

ବିଜୁଳି ଭିତ୍ତିଭୂମିର ବିକାଶ ପାଇଁ ୧୯୯୬ରୁ ଆଜିଯାଏ ପ୍ରାୟ ୨୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ରାଜ୍ୟବାସୀ ଗୁଣାତ୍ମକ ବିଜୁଳି ସେବା ପାଇପାରୁନାହାନ୍ତି । ଅଥଚ ଓଡ଼ିଶାରୁ କୋଇଲା କିଣି ବିଜୁଳି ଉତ୍ପାଦନ କରୁଥିବା ଦିଲ୍ଲୀ ଓ ପଞ୍ଜାବ ସାଧାରଣ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେଉଛି । ହେଲେ ଓଡ଼ିଶାରେ ନିରନ୍ତର ବିଜୁଳି ସହ ଚାଷୀଙ୍କୁ ଆଜିଯାଏଁ ମାଗଣା ବିଜୁଳି ମିଳିପାରିନାହିଁ । ଏବେ ରାଜ୍ୟରେ ସରବରାହ ଜନିତ କ୍ଷତି ୨୯% ରହିଛି । ତେଣୁ ଆକଳନ ଅନୁସାରେ ବାର୍ଷିକ କ୍ଷତିପରିମାଣ ୪,୨୦୦ କୋଟି ଟଙ୍କା ହେବ । ଏସବୁ ଖର୍ଚ୍ଚ ରାଜ୍ୟରେ ମୋଟ୍ ୯୨ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମୁଣ୍ଡରେ ଋଣ ବୋଝ ଶୁଳ୍କ ଲଦିଦିଆଯାଇଛି । ବିଜୁଳି କମ୍ପାନୀଙ୍କର ଅପାରଗତା ଓ ପରିଚାଳନା ଗତ ତ୍ରୁଟି ପାଇଁ ପ୍ରତିବର୍ଷ ରାଜ୍ୟବାସୀ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝ ବୋହୁଛନ୍ତି ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି ।

ରିପୋର୍ଟ ଅନୁସାରେ ମନଇଚ୍ଛା କାର୍ଯ୍ୟ କରିବାରୁ ସରବରାହ ଜନିତ ଖର୍ଚ୍ଚ ବଢ଼ିଥିବା ଅଭିଯୋଗ ହୋଇଛି । ଆକଳନ ଅନୁସାରେ ୧% ବିଦ୍ୟୁତ୍ ସରବରାହ ଜନିତ କ୍ଷତି ଯୋଗୁଁ ବାର୍ଷିକ ୧୫୩ କୋଟି ଟଙ୍କା କ୍ଷତି ହୋଇଥାଏ । ରାଜ୍ୟ ସରକାର ୪ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥାଙ୍କୁ ୨୦୦୯-୧୦ରୁ ୨୦୨୦-୨୧ ମଧ୍ୟରେ ୧୮,୨୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥରେ ଭିତ୍ତିଭୂମି ବିକାଶ ସହ କ୍ଷତି ଭରଣା ହେବା କଥା । ହେଲେ ଉକ୍ତ ଅର୍ଥ ସଠିକ୍ ମାର୍ଗରେ ଖର୍ଚ୍ଚ ହୋଇଛି କି ନାହିଁ ତାହା ସ୍ଫଷ୍ଟ ହୋଇନାହିଁ । ତେବେ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ଚାହିଦା ତୁଳନାରେ ବଳକା ରହିଛି । ବିଧାନସଭାର ବଜେଟ୍ ଅଧିବେଶନ କାଳରେ ଏନେଇ ତୁମ୍ବିତୋଫାନ କରିଥିଲେ ବିରୋଧୀ । ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ‘ଓଡିଶାରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ଘରୋଇ କମ୍ପାନୀ ବେଆଇନ୍ ଭାବେ ଉପଭୋକ୍ତାଙ୍କ ଠାରୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରୁଛି । ଚୁକ୍ତିରେ ଏହା ଉଲ୍ଲେଖ ନଥିବାବେଳେ କମ୍ପାନୀ ଗରିବ ଲୋକଙ୍କ ଉପରେ ଜୁଲମ ଚଳାଇଛି ।

ଅନ୍ୟପକ୍ଷରେ ବିଦ୍ୟୁତ ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ୧ ଏପ୍ରିଲ୍ ୧୯୯୬ରେ ପ୍ରଥମ ବିଦ୍ୟୁତ୍ ସଂସ୍କାର ଆଣିଥିବା ଓଡ଼ିଶାରେ ବିଦ୍ୟୁତ୍ କାଟ୍ ଆଦୌ ହେବା କଥାନୁହେଁ । କାରଣ ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ରିହାତି ମିଳିବା ଦରକାର । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ସାଧାରଣ ଜନତାଙ୍କ ଦାବିକୁ ଗୁରୁତ୍ୱ ନ ଦେବା କ୍ଷୋଭର ବିଷୟ । ଫଳରେ ରାଜ୍ୟବ୍ୟାପୀ ଅସନ୍ତୋଷ ତୀବ୍ର ହେବାରେ ଲାଗିବା ସ୍ୱାଭାବିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking