ନୂଆଦିଲ୍ଲୀ: ଭୟଙ୍କର ଆର୍ଥିକ ସଂକଟ ଏବଂ ଦେଶବାସୀଙ୍କ ଆକ୍ରୋଶର ସାମନା କରୁଥିବା ଶ୍ରୀଲଙ୍କାର ସ୍ଥିତି ଅତି ଖରାପ ହେବାରେ ଲାଗିଛି । ଦରବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଯୋଗୁଁ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଶନିବାର ରାଷ୍ଟ୍ରପତି ଗୋଟବାୟା ଫେରାର ହୋଇଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ବିକ୍ରମା ସିଙ୍ଘେ ଇସ୍ତଫା ଦେଇଛନ୍ତି । ଏହାରି ଭିତରେ ରବିବାର ଶ୍ରୀଲଙ୍କା ସ୍ଥିତି ଉପରେ ପ୍ରଥମ ବୟାନ ଦେଇଛି ଭାରତ। ପ୍ରକୃତ ବନ୍ଧୁ ଭାବେ ଭାରତ ଆଜି ବି ଶ୍ରୀଲଙ୍କା ସହ ରହିଛି । ଆର୍ଥିକ ସଂକଟର ସାମନା କରୁଥିବା ଶ୍ରୀଲଙ୍କାକୁ ଭାରତ ଆଶ୍ୱାସନା ଦେଇଛି । ଭାରତ କହିଛି, ଶ୍ରୀଲଙ୍କା ସହ ଆଗେ ବି ଥିଲୁ ଏବେ ବି ଅଛୁ । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି, ଆମେ ସବୁ ସମ୍ଭବ ସାହାଯ୍ୟ କରିବାକୁ ପ୍ରୟାସ କରୁଛୁ ଏବଂ ସବୁ ବେଳେ ସହଯୋଗ କରିବୁ । ସେମାନେ ନିଜ ସମସ୍ୟା ଉପରେ କାମ କରୁଛନ୍ତି । ଭବିଷ୍ୟତର ସ୍ଥିତି ଉପରେ ନଜର ରଖିଛୁ । ଜୟଶଙ୍କର କହିଛନ୍ତି, ଶ୍ରୀଲଙ୍କରେ ବର୍ତ୍ତମାନ ସମୟରେ କୌଣସି ଶରଣାର୍ଥୀ ସଂକଟ ନାହିଁ ।