ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ସହ ଜାରୀ ସୀମା ବିବାଦ ମଧ୍ୟରେ ଭାରତ ନିଜ ସେନାକୁ ଲଗାତାର ଶକ୍ତିଶାଳୀ କରିବାରେ ଲାଗିଛି । ଏହି କ୍ରମରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ଶୁକ୍ରବାର ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାର୍ଗେଟ୍ ଡ୍ରୋନ୍ -‘ଅଭ୍ୟାସ’ର ଭିନ୍ନ ଭିନ୍ନ ସିଷ୍ଟମର ସଫଳତା ପୂର୍ବକ ପରୀକ୍ଷଣ କରିଛି । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ଅବସ୍ଥିତ ଏକୀକୃତ ପରୀକ୍ଷଣ ରେଞ୍ଜ୍ (ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍)ରେ ଅଭ୍ୟାସର ଏହି ସଫଳ ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ମିସାଇଲ୍ ନିର୍ଦ୍ଧାରିତ ସ୍ପିଡ୍ରେ ନିଜ ଲକ୍ଷ୍ୟକୁ ଭେଦକୁ କରିଥିବା ଡିଆର୍ଡିଓର ଏକ ଅଫିସିଆଲ୍ ବିବୃତିରେ କୁହାଯାଇଛି । ପରୀକ୍ଷଣ ସମୟରେ ହାଇଟେକ୍ ଉପକରଣ ଦ୍ୱାରା ମିସାଇଲ୍ର ଗତିପଥ, ସ୍ପିଡ୍ ଆଦି ଉପରେ ନଜର ରଖାଯାଇଥିଲା । ବିବୃତିରେ କୁହାଯାଇଛି ଯେ ଏହାର ବ୍ୟବହାର ବିଭିନ୍ନ ମିସାଇଲ୍ ସିଷ୍ଟମ୍ ଉପରେ ନଜର ରଖିବା ପାଇଁ ଏୟାର୍ ଟାର୍ଗେଟ୍ ରୂପେ କରାଯାଇପାରିବ ।
ଏହା ଏଣ୍ଡୋ-ବାୟୁମଣ୍ଡଳୀୟ, ଭୂପୃଷ୍ଠରୁ ଆକାଶକୁ ଏବଂ ଆକାଶରୁ ଆକାଶକୁ ମାଡ଼ କରିବାରେ ସକ୍ଷମ । ଅଭ୍ୟାସ ଡ୍ରୋନ୍ ବେଙ୍ଗାଲୁରୁସ୍ଥିତ ଡିଆର୍ଡିଓର ସାଇଣ୍ଟିଫିକ୍ ବିକାଶ ପ୍ରତିଷ୍ଠାନ ଦ୍ୱାରା ଡିଜାଇନ୍ ଏବଂ ବିକଶିତ କରାଯାଇଛି । ସବ୍ସୋନିକ୍ ଗତିରେ ଦୀର୍ଘ ସମୟ ଉଡ଼ାଣ ପାଇଁ ଏହା ଗ୍ୟାସ୍ ଟର୍ବାଇନ୍ ଇଞ୍ଜିନ୍ ଦ୍ୱାରା ସଞ୍ଚାଳିତ ହୋଇଥାଏ ।