ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୩୮ତମ ମ୍ୟାଚ୍ ଆବୁଧାବିରେ ଖେଳାଯାଉଛି। କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏହି ମୁକାବିଲା ହୋଇଛି। ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨ ୱିକେଟରେ କେକେଆରକୁ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ଆଇପିଏଲ୍-୧୪ର ପଏଣ୍ଟ ଟେବୁଲ ଶୀର୍ଷକୁ ଉଠି ପ୍ଲେ-ଅଫ୍ ଏକ ପ୍ରକାର ନିଶ୍ଚିତ କରିଛି। ଉକ୍ତ ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୭୧ ରନ୍ କରିଥିଲା। ଜବାବରେ ଚେନ୍ନାଇ ୮ ୱିକେଟ୍ ହରାଇ ୧୭୨ ରନ୍ କରି ବିଜୟୀ ହୋଇଛି।
ଚେନ୍ନାଇ ପକ୍ଷରୁ ଜାଡେଜା ୮ ବଲରେ ୨ ଚୌକା ଓ ୨ ଛକା ସହ ୨୨ ରନ୍ କରିଛନ୍ତି। ୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇର ଶୀର୍ଷ ତିନି ଜଣ ବ୍ୟାଟର ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁଇ ଓପ୍ନର ଋତୁରାଜ ଓ ଫାଫ୍ ଡୁପ୍ଲେସିସ୍ ପ୍ରଥମ ୱିକେଟ୍ ପାଇଁ ୭୪ ରନର ଭାଗିଦାରୀ କରିଥିଲେ। ଋତୁରାଜ ୪୦ (୨୮ ବଲ୍, ୨ ଚୌକା, ୩ ଛକା) ରନ୍ କରି ଆନ୍ଦ୍ରେ ରସେଲଙ୍କ ଶିକାର ହୋଇଥିଲେ। ଡୁପ୍ଲେସିସ୍ ୩୦ ବଲରେ ୭ ଚୌକା ସହ ୪୪ ରନ୍ କରି ଆଉଟ୍ ହୋଇଥିଲେ। ମୋଇନ୍ ଅଲୀ ୨୮ ବଲରେ ୩୨ (୨ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୫ ରନ୍ ସଂଗ୍ରହ କରିଥିଲେ। ସେ ୩୩ଟି ବଲ୍ର ସମ୍ମୁଖୀନ ହୋଇ ୪ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ରନ୍ ସଂଗ୍ରହ କରିଥିଲେ। ନୀତିଶ ରାଣା ଅପରାଜିତ ୩୭ ରନ୍ ଦଳ ପାଇ ଯୋଗାଡ଼ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୬ ରନ୍, ଆନ୍ଦ୍ରେ ରସେଲ ୨୦ ରନ୍, ଭେଙ୍କଟେସ୍ ଆୟର ୧୮ ରନ୍ ଓ ଶୁଭମନ ଗିଲ ୯ ରନ୍ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଜୋସ ହେଜେଲଉଡ ଓ ଶାର୍ଦ୍ଦୁଲ ଠାକୁର ୨-୨ଟି ଓ୍ଵିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍ ନେଇଥିଲେ।