କଟକ : ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ୨ ଥର ଗର୍ଭପାତ କରାଇବା ଏବଂ ତାଙ୍କ ବିବାହ ଠିକ୍ ହେବା ପରେ ବ୍ଲାକ୍ ମେଲିଂ କରିବା ପ୍ରେମିକ ପାଇଁ ମହଙ୍ଗା ପଡିଛି । ଏହି ମାମଲାରେ ହାଇକୋର୍ଟ ଅଭିଯୁକ୍ତ ପ୍ରେମିକଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରେମିକ ରିଙ୍କୁ ପ୍ରଧାନଙ୍କ ପକ୍ଷରୁୂ ରୁଜୁ ଆବେଦନର ଶୁଣାଣି କରି ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟର ବିଚାରପତି ଏସ୍.କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି । ତେବେ ଏହି ମାମଲାରେ ହାଇକୋର୍ଟଙ୍କ ରାୟ ନିମ୍ନ ଅଦାଲତଙ୍କ ପାଇଁ ମାମଲା ପରିଚାଳନାବେଳେ ଗ୍ରହଣୀୟ ହେବ ନାହିଁ ବୋଲି କହିଛନ୍ତି ।
ଅଭିଯୁକ୍ତ ଜଣକ ବିବାହର ପ୍ରତିଶୃତି ଦେଇ ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ତାଙ୍କର ଦୁଇ ଥର ଗର୍ଭପାତ କରାଇଥିଲେ । ସେ ବିବାହ କରିବାକୁ ଅରାଜି ହେବାରୁ ଏହା ଯୁବତୀଙ୍କ ଅନ୍ୟତ୍ର ତାଙ୍କ ବିଭାଘର ଠିକ୍ ହୋଇଥିଲା । ତେବେ ଅଭିଯୁକ୍ତ ଜଣକ ଯୁବତୀଙ୍କ ସହ ରଖିଥିବା ସମ୍ପର୍କ ଓ ଅଶ୍ଳିଳ ଫଟୋକୁ ନେଇ ଫେସ୍ବୁକ୍ରେ ଆକାଉଣ୍ଟ ଖୋଲି ସେ ପୋଷ୍ଟ କରିଥିଲେ । ଫଳରେ ତାଙ୍କ ବାହାଘର ଭାଙ୍ଗିଯାଇଥିଲା । ଏ ନେଇ ପିଡିତା ଯୁବତୀଙ୍କ ପକ୍ଷରୁ ଗତ ୨୦୨୦ ଜୁନ୍ ୨୭ ତାରିଖରେ ଥାନାରେ ଅଭିଯୋଗ କରାଯାଇଥିଲା । ଉକ୍ତ ଅଭିଯୋଗ ଆଧାରରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା । ନିମ୍ନ ଅଦାଲତରେ ତାର ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ।