ରାଉରକେଲା :ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ମୁଖ୍ୟ ରାସ୍ତାରେ ପୁଲିସ ପକ୍ଷରୁ ଭାରୀଯାନ ଗୁଡ଼ିକର ଧରପଗଡ଼ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଟ୍ରକ, ଡମ୍ପର, ଟ୍ରଲର ଚାଳକ ମାନଙ୍କ ସିଟ ବେଲ୍ଟ, ଡ୍ରାଇଭିଂ ଲାଇସେନ୍ସ ଯାଂଚ ଆଦି ପ୍ରକିୟାକୁ ପୁଲିସ କର୍ମୀ ମାନେ ତ୍ୱରାନ୍ୱିତ କରିବା ସହ ଆବଶ୍ୟକୀୟ ଜରିମାନା ଚାଳକ ମାନଙ୍କ ଠାରୁ ସଂଗ୍ରହ କରାଯାଇଥିଲା । ୩ଟି ଭାରୀଯାନର ଚାଳକ ଗାଡ଼ି ଚାଳନା ବେଳେ ଡ୍ରାଇଭିଂ ଲାଇସେନ୍ସ ନଥିବା ଓ ସିଟ ବେଲ୍ଟ ନବାନ୍ଧି ଥିବାରୁ ପୁଲିସ ପକ୍ଷରୁ ୧ହଜାର ଟଙ୍କାର ଇ- ଚାଲାଣ ଜରିମାନା ପ୍ରତ୍ୟେକଙ୍କ ଠାରୁ ଆଦାୟ କରାଯାଇଥିଲା । ଅନ୍ୟପକ୍ଷେ ସାରନଗରୀ ରାଜରାସ୍ତାରେ ପୁଲିସ ପକ୍ଷରୁ ଭାରୀଯାନର ଧରପଗଡ଼କୁ ଦେଖି ବିନା ହେଲମେଟରେ ଯାତ୍ରା କରୁଥିବା କିଛି ଚାଳକ ଜରିମାନା ଭୟରେ ଗଳାବାଟ ଦେଇ ବାଇକ ନେଇ ପଳାୟନ କରିବା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି, ନୂତନ ପରିବହନ ନିତୀ ଅନୁଯାୟୀ, ପୁଲିସ ପକ୍ଷରୁ ଗତ କିଛି ଦିନ ହେଲା ବାଇକ, କାର ଓ ଭାରୀଯାନ ଚଳାଚଳ କରୁଥିବା ଚାଳକ ମାନଙ୍କ କାଗଜପତ୍ର ଯାଂଚ କରାଯାଉଛି । ପରିବହନର ବିଭିନ୍ନ ନିୟମ ଉଲ୍ଲଘଂନ କଲେ ପୁଲିସ କର୍ମୀ ସଂପୃକ୍ତ ଗାଡ଼ି ଚାଳକ ମାନଙ୍କ ଠାରୁ ଇ- ଚାଲାଣ କାଟିବା ସହରର ଛକ ମାନଙ୍କରେ ଦୃଷ୍ଟିଗୋଚର ହେଉଛି । ପୁଲିସର ଏଭଳି କଡ଼ାକଡ଼ି ଯାଂଚ ଫଳରେ ରାଉରକେଲା ଅଂଚଳର ପ୍ରମୁଖ ଛକ, ହାଟବଜାରରେ ବାଇକ ଧରି ଏଣେତେଣେ ଘୁରି ବୁଲୁଥିବା ରୋଡ଼ ରୋମିଓଙ୍କ ଉତ୍ପାତ କିଛି ମାତ୍ରାରେ କମ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି