26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଶୋଭନୀୟ ବିଶ୍ୱ ୱେବ୍ ମହିଳା ସମ୍ମିଳନୀ ଉଦ୍‌ଘାଟିତ

ଶୋଭନୀୟ ବିଶ୍ୱ ୱେବ୍ ମହିଳା ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର ୧୪ା୧୨ : ସମାଜ ଓ ସଭ୍ୟତାର ସୃଷ୍ଟି କର୍ତା ମାତୃ ଜାତିର ଉତ୍‌ଥାନ ଦ୍ୱାରା ଦେଶର ବିକାଶ ସମ୍ଭବପର ହେବ ବୋଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦ ମତ ପ୍ରକାଶ କରିଛନ୍ତି । ରବିବାର ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ଆୟୋଜିତ ଶୋଭନୀୟ ବିଶ୍ୱ ୱେବ୍ ମହିଳା ସମ୍ମିଳନୀ-୨୦୨୦କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରି ଶ୍ରୀ ହରିଚନ୍ଦନ ନାରି ଜାତିକୁ ଅବହେଳା ଓ ଅବମାନନା କଲେ ସମାଜର ବିନାଶ ସୁନିଶ୍ଚିତ ବୋଲି ଚେତାବନୀ ଦେଇଥିଲେ । ବିଶେଷ କରି କ୍ଷମତାରେ ମଦମସ୍ତ ବକ୍ତିମାନେ ଶାଳୀନତାର ସୀମା ସରହଦ ନ ମାନି ସମାଜରେ ଅଶୋଭନୀୟତା ପ୍ରସାରଣ କରୁଥିବା ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ । କୁମାର ଭାଇଙ୍କର ଆଦର୍ଶ ଓ ଦିଗ୍‌ଦର୍ଶନ ତଥା ଡଃ.ଅରୁନ୍ଧତି ଦେବୀଙ୍କର ପ୍ରେରଣାରେ ଶୋଭନୀୟ ଆନ୍ଦୋଳନ ନିଶା ନିବାରଣ, ସ୍ୱଚ୍ଛତା ଓ ପରିମଳର ରକ୍ଷଣାବେକ୍ଷଣ, ବାତାବରଣର ପ୍ରଦୂଷଣକୁ ରୋକିବା, ବ୍ୟାପକଭାବେ ଚାରାରୋପଣ କରାଯିବା ଏବଂ ନିସ୍ୱ, ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ, ସମର୍ଥନ ଓ ଅନାଥ ଶିଶୁଙ୍କର ଲାଳନ, ପାଳନ ନେଇ କରୁଥିବା ସେବା କାଯ୍ୟଗୁଡ଼ିକର ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଥିଲେ । ଆଜିର ଯୁବପୀଢ଼ି ମଧ୍ୟରେ ମା’, ମାଟି ଓ ମାତୃଭାଷା ପ୍ରତି ମମତା ଓ ସମ୍ମାନ ଜାଗ୍ରତ କରିବା ପାଇଁ ଶ୍ରୀ ହରଚନ୍ଦନ ଆହ୍ୱାନ ଜଣାଇଥିଲେ ।
ଅନ୍‌ଲାଇନ୍ ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରି ଶୋଭନୀୟ ଆନ୍ଦୋଳନର ନିର୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ ଡଃ. ଅରୁନ୍ଧତୀ ଦେବୀ ସାମ୍ପ୍ରତିକ ସମାଜରେ ମହିଳାମାନଙ୍କ ପ୍ରତି ରୁଗ୍‌ଣ ମାନସିକତାର ପରିବର୍ତର୍ନର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ସୂଚାଇଥିଲେ । ନାରୀ ଜାତିକୁ ସଠିକ୍ ନ୍ୟାୟ, ସମ୍ମାନ ଓ ସୁଯୋଗ ଦିଆଯିବାକୁ ସେ ନିବେଦନ କରିଥିଲେ । ଅଧୁନା କୋଭିଡ୍ ମହାମାରୀ କାଳରେ ମହିଳାମାନେ ଯେଭଳି ଅଗ୍ରଣୀ ଭୂମିକା ନିଭାଇଛନ୍ତି ତାହା ଅଭୂତପୂର୍ବ ବୋଲି ଡ. ଦେବୀ ବର୍ଣ୍ଣନା କରିଥିଲେ ।
ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଆର୍ଯ୍ୟ ମହିଳା ସମାଜର ସଭାପତି ଶନ୍ନୋ ଦେବୀ ସମାଜରେ ବର୍ତମାନ ନାରୀ ଜାତି ପ୍ରତି ହେଉଥିବା ଭେଦଭାବ, ଅସମ୍ମାନ, ଅସଦାଚାରକୁ ଘୋର ନାପସନ୍ଦ କରିଥିଲେ । ବେଦର ଉଦାହରଣ ଦେଇ ମହିଳା ବର୍ଗର ମହିମା, ମହନୀୟତା ଓ ମହାନତା ଅନନ୍ୟ ଓ ଅସାମାନ୍ୟ ବୋଲି ସେ ଦର୍ଶାଇଥଲେ ।
ଡିଜିଟାଲ ମଂଚରେ ସମ୍ମାନନୀୟ ବକ୍ତା ଭାବରେ ସାମିଲ ହୋଇ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ସଭାପତି କୁକୁ ଦାସ କନ୍ୟା ସନ୍ତାନର ନିରାପତା, ସୁରକ୍ଷା ଏବଂ ପ୍ରୋତ୍ସାହନ ପ୍ରତି ଅଗ୍ରାଧିକାର ଦିଆଯିବା ସହିତ ସେମାନଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶ ତଥା ସେମାନଙ୍କୁ ଆତ୍ମନୀର୍ଭରଶୀଳ କରାଯିବା ଦିଗରେ ଜୋର୍ ଦେଇଥିଲେ ।
ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଅତିଥି, ଆୟୋଜକ, ଉପସ୍ଥାପକ ଓ ସଂଯୋଜକମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶୋଭନୀୟ ଆନ୍ଦୋଳନର ସଦସ୍ୟ ମୀନତି ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଲଣ୍ଡନରୁ ୟୁ.କେ. ଓଡ଼ିଶା ସମାଜର ସାଂସ୍କୃତିକ ସମ୍ପାଦକ ଡଃ. ଭାଗ୍ୟଶ୍ରୀ ସିଂହ ଉଦ୍‌ଘାଟନୀ ଅଧୀବେଶନକୁ ସୁସଂଯୋଜନା କରିଥିଲେ । ଇଂଟରନେଟ୍ ସମାବେଶରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅଲମ୍ପିକ୍ ତାରକା ଦୂତି ଚାନ୍ଦ, ଆମ୍ବେଦକର ଫାଉଣ୍ଡେସନ୍‌ର ନିର୍ଦେଶକ ଡ. ଦେବେନ୍ଦ୍ର ମାଝୀ, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମିନକେତନ ସାମଲ, ସାଧାରଣ ସମ୍ପାଦକ ମିନକେତନ ମିଶ୍ର, ଯୁଗ୍ମ ସମ୍ପାଦକ ଶରିତା ମହାପାତ୍ର ଓ ସନ୍ତୋଷ ରାଉତ, ଜାପାନ୍‌ରୁ କୁନ୍ନା ଦାଶ, ବାହାରିନ୍‌ରୁ ଅରୁଣ କୁମାର ପ୍ରହରାଜ, ଦୁବାଇରୁ ପ୍ରିତିଶ୍‌ରଞ୍ଜନ ଦାଶ, ବେଙ୍ଗାଲୁରୁରୁ ମନୋଜ ପାତ୍ର, ଯୁବ ବିଜେଡିର ସମ୍ପାଦିକା ଲଗ୍ନଦୀପା ମିଶ୍ର, ଞ୍ଜମୁମ୍ବାଇରୁ ଆଶିଷ୍ ମିଶ୍ର, ଆମେରିକାରୁ ଧୀରେନ୍ଦ୍ର କର, ସମାଜସେବୀ ବିଜୟ ଦାଶ, ଶୁଭ୍ରୋ ରାୟ, ଅଫିସର ରାଉତ, ବିଶିଷ୍ଟ ପ୍ରଶାସକ ଜୟଦେବ ଷଡ଼ଙ୍ଗୀ, ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ, ସାହିତ୍ୟିକା ଡଃ.ସରୋଜିନୀ ପାଣି, ୱାର୍ଲଡ ଫୋକସ୍‌ର ସମ୍ପାଦକ ଭବାନୀ ଦୀକ୍ଷିତ ଓ ରାୟଗଡ଼ରୁ ପ୍ରତୀଶ ଗୋଏଲ୍ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking