ମୟୂରଭଞ୍ଜ : ଛଣୁଆଁ ପଞ୍ଚାୟତରେ ମନରେଗା କାମରେ ମେସିନ ଖୋଳୁଛି ପୋଖରୀ । ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଲେ ଯଶିପୁର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ। ମୟୂରଭଂଜ ଜିଲ୍ଲାର ପିଛା ଛାଡ଼ୁନି ମନରେଗା ଦୁର୍ନୀତି। ଏବେ ସାମ୍ନାକୁ ଆସିଥିବା ଘଟଣା ହେଉଛି ଶ୍ରମିକ ବଦଳରେ ଜେସିବି କରୁଛି ଶ୍ରମିକର କାମ। ଏଭଳି ଘଟଣା ଦେଖିବାକୁ ମିଳିଛି କୁସୁମି ବ୍ଲକ ଛଣୁଆଁ ପଞ୍ଚାୟତରେ। ମନରେଗା ପ୍ରକଳ୍ପ କାର୍ଯ୍ୟକୁ ନେଇ ଦୁର୍ନୀତିରେ ଉବୁଟୁବୁ ଛାଣୁଆଁ ପଞ୍ଚାୟତ। ପଞ୍ଚାୟତରୁ ବ୍ଳକ ପର୍ଯ୍ୟନ୍ତ ଦୁର୍ନୀତିରେ ଜନ ପ୍ରତିନିଧି ସମେତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ସମସ୍ତେ ସଂଶ୍ଳିଷ୍ଟ । ଏଭଳି ଆଭିଯୋଗ ଆସିଛି କୁସୁମି ବ୍ଲକର ଛଣୁଆଁ ପଞ୍ଚାୟତର ମନରେଗା କାମକୁ ନେଇ । ମନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଛି ପୋଖରୀ ଖନନ ପ୍ରକଳ୍ପ କାର୍ଯ୍ୟ । ସାଂପ୍ରତିକ ପରିସ୍ଥିତିରେ କରୋନା ମହାମାରୀରେ
ସମସ୍ତେ ଇତଃସ୍ତତଃ । ପ୍ରଭାବିତ ହୋଇଛି ଜୀବନଜୀବିକା। ସ୍ଥାନୀୟ ଜବକାର୍ଡଧାରୀ ଶ୍ରମିକମାନେ କାମଧନ୍ଦା ନ ପାଇ ହତାଶା ଭିତରେ ଜୀବନ କାଟୁଛନ୍ତି। ସେହିପରି ପ୍ରବାସୀ ଶ୍ରମିକଙ୍କ ହାତରେ କାମଧନ୍ଦା ନାହିଁ । ସରକାର ଏଥିପାଇଁ ମନରେଗା ଯୋଜନାରେ ଲୋକଙ୍କ ହାତକୁ କାମ ଦେବା ବ୍ୟବସ୍ଥା କରିଛନ୍ତି । ହେଲେ ବ୍ଲକର ଯନ୍ତ୍ରୀ , ନିର୍ବାଚିତ ଲୋକ ପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କାର୍ଯ୍ୟଗ୍ରାହୀ ସଂଯୋଜକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଲୋକାଭୀମୁଖି ଯୋଜନାକୁ ପଣ୍ଡ କରିଦେଇଛନ୍ତି ।
ଆଉ ରେକର୍ଡରେ ଶ୍ରମିକଙ୍କ ନାମ ଦର୍ଶାଇ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ଵାରା ମନରେଗା କାମ କରାଇ ସମସ୍ତ ନିୟମକୁ ଉଲ୍ଲଂଘନ କରିଥିବା ନଜର ଆସୁଛି । ତେବେ ମନରେଗା ଯୋଜନାରେ ହେଉଥିବା ପ୍ରକଳ୍ପ କାର୍ଯ୍ୟ ମେସିନ ଦ୍ବାରା କରାଯିବାର ନିୟମ ନ ଥିଲା ବେଳେ କେମିତି ହେଉଛି ବୋଲି ପ୍ରଶ୍ନ ଉଠୁଛି । ଯାହା ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା। ହେଲେ କାର୍ଯ୍ୟାନୁଷ୍ଠାନ ଶୁନ୍ ମେସିନ ଦ୍ବାରା ପୋଖରୀ ଖନନ କରାଯାଉଛି । ଏହାକୁ ନେଇ ଶ୍ରମିକମାନେ ବିଡ଼ିଓଙ୍କୁ ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦେଖାଦେଉଛି ଅସନ୍ତୋଷ । ଲୋକେ ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ଉପରୁ ବିଶ୍ୱାସ ଏବଂ ଭରସା ହରାଉଛନ୍ତି। ଏଭଳି ସ୍ଥିତିରେ ହତାଶ ଶ୍ରମିକମାନେ ଶେଷରେ ଏସୟୂସିଆଇ ତରଫରୁ ଯଶିପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକଙ୍କ ନେତୃତ୍ବରେ କୁସୁମି ବ୍ଳକ ବିଡ଼ିଓଙ୍କୁ ଛଣୁଆଁ ଗାଁ ପୋଖରୀ ଖନନ ଦୁର୍ନୀତି ବିରୋଧରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ବିଡ଼ିଓଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏଡ଼ାଇ ଯାଇଥିଲେ । ଲୋକ କାମଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଥିବା ବେଳେ କୁସୁମି ବ୍ଲକରେ ମେସିନ କରୁଛି କାମ। ଏହି ଏକ୍ସକ୍ଲୁସିଭ ଭିଜୁଆଲ ଦେଖିବା ପରେ ରାଜ୍ୟର ବିଜେଡି ସରକାର ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅସହାୟ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉଛି ନା ସରକାରୀ ନିୟମର ଉଲଂଘନକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଘଣ୍ଟ ଘୋଡ଼ାଉଛି ଅଥବା ଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରି ଦୁର୍ନିତିଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ଦେଖିବାକୁ ବାକି ରହିଲା।