ମୟୂରଭଞ୍ଜ: ପୁଣି ଅସମ୍ମାନୀତ ହୋଇଛି ଶବ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ଖଞ୍ଜିଥିବା ବେଳେ ମହାପ୍ରୟାଣ ଗାଡ଼ି ଅଭାବରୁ ଟ୍ରଲିରେ ଶବ ବୁହାହେଲା ଭଳି ଘଟଣା ରାଜ୍ୟ ସରକାରଙ୍କ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହି ଦୃଷ୍ଟିକଟୁ ଦୃଶ୍ୟ ଆଜି ସକାଳ ପ୍ରାୟ ୯ଟା ସମୟରେ ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରୁମୂଳା ପଞ୍ଚାୟତ ଗୋବରା ଗ୍ରାମର ଦୁଖା ମାରାଣ୍ଡି ଅସୁସ୍ଥ ହେବାରୁ ଗତକାଲି ତାଙ୍କ ପରିବାର ରାସଗୋବିନ୍ଦପୁର CHC ରେ ଭର୍ତ୍ତି କରିଥିଲେ। ଚିକିତ୍ସାଜାରୀ ରହିଥିବା ବେଳେ ଅପରାହ୍ନରେ ମୃତ୍ୟୁ ହୋଇଥିଲା। ହେଲେ ମୃତ ଦୁଖାର ଶବ ଘରକୁ ନେବା ପାଇଁ ଡାକ୍ତରଖାନା କତ୍ତୃପକ୍ଷ କୌଣସି ବ୍ୟବସ୍ଥା ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିନଥିଲେ। ଡାକ୍ତରଖାନା କତ୍ତୃପକ୍ଷଙ୍କ ଅସହଯୋଗରେ ଅସହାୟ ହୋଇ ମୃତକ ଗରିବ ଆଦିବାସୀ ଦୁଖାର ପରିବାର ଶବ କେମିତି ଘରକୁ ନେବେ ଚିନ୍ତାରେ ପଡ଼ିଥିଲେ। ତଥାପି ପଦକ୍ଷେପ ନେବା ବଦଳରେ ନୀରବତା ଅବଲମ୍ବନ କରିଥିଲା ଡାକ୍ତରଖାନା କତ୍ତୃପକ୍ଷ। ଡାକ୍ତରଖାନାର ଇନଚାର୍ଜ ଦାୟିତ୍ବରେ ଥିବା ଡାକ୍ତର ଜାଣି ଅଜଣା ରହିଥିବା ଅଭିଯୋଗ ହେଉଛି। ଶେଷରେ ମୃତକ ଦୁଖାର ପରିବାର ଡାକ୍ତରଖାନାରୁ ଶବ ନେବା ପାଇଁ ଜମିବନ୍ଧା ପକାଇ ଟଙ୍କା ଆଣିଥିବା ତାଙ୍କର ପୋଡ଼ଶୀଙ୍କ ଠାରୁ ଜାଣିବାକୁ ମିଳିଛି। ପରେ ପରିବାର ଲୋକେ ଟ୍ରଲି ବାଲାକୁ ଡକାଇ ଟ୍ରଲିରେ ଶବ ବୋହିଥିବା ଟ୍ରଲି ଚାଳକ କହିଥିବା ବେଳେ ଭଡ଼ା ବାବଦରେ ୮ ଶହଟଙ୍କା ନେଇଥିବା କହିଛନ୍ତି। ତେବେ ଏ ଘଟଣାରେ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଏବେ ସରକାରୀ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ଉପହାସ ପାଲଟିଥିବା ଅଭିଯୋଗ କରିଛନ୍ତି। ତେବେ ଏହି ସାମଗ୍ରିକ ଅବ୍ୟବସ୍ଥା ପାଇଁ ଲୋକମାନେ ଡାକ୍ତରଖାନା କତ୍ତୃପକ୍ଷଙ୍କ ମନମୁଖୀ ଦାୟିତ୍ବନିର୍ବାହକୁ ଦାୟୀ କରିଛନ୍ତି। ଏଭଳି ସ୍ଥିତିରେ ଡାକ୍ତରଖାନା କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଗରିବ ଆଦିବାସୀର ଶବ ଅସମ୍ମାନୀତ ହୋଇଥିବାରୁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।