ଭୁବନେଶ୍ଵର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏହି ଦିନ ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠେ। ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ ।ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ ଭୋଗ । ପୂର୍ବ ନୀତି ନିର୍ଘଂଟ ଅନୁଯାୟୀ ସକାଳ ୯.୩୫ରୁ ୯ଟା ୫୦ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବା ପରେ ପରିବାରର ସଦସ୍ୟମାନେ ଏକାଠି ହୋଇ ନୂଆ ଖାଇଥାନ୍ତି । କିନ୍ତୁ ଚଳିତ ବର୍ଷ ନିରାଡମ୍ବର ଭାବେ ପାଳିତ ହେବନି ଏହି ପର୍ବ। ଏମିତିକି ଇଷ୍ଟ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେନି ସାଧାରଣ ଲୋକ। କରୋନା ମହାମାରୀ ଯୋଗୁଁ କଟକଣା ରହିଥିବାରୁ ମନ୍ଦିରକୁ ସାଧାରଣ ଲୋକଙ୍କୁ ଅନୁମତି ନାହିଁ। କେବଳ ସେବାୟତମାନେ ଧାର୍ଯ୍ୟ ଲଗ୍ନ ଅନୁସାରେ ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରାଇବେ।