ବଲାଙ୍ଗିର,- ଶୁକ୍ରବାର ଦିନ ପଞ୍ଜିକୃତ ଏକ ଅପହରଣ, ଲୁଟ ଓ ନିର୍ଯ୍ୟାତନା ର ଅଭିଯୋଗ କୁ କେନ୍ଦ୍ର କରି ବଲାଙ୍ଗିର ପୋଲିସ ଆଜି ୪ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ସ୍ଥାନୀୟ ମାଲପଡ଼ା ର ସୋମ୍ୟ ରଞ୍ଜନ ଦାସ, ସଦେଇ ପାଲିର ସଞ୍ଜୀବ ମୁଗ୍ରୀ, ହାତିଶାଳ ପଡ଼ା ର ଵିଶାଲ ସୁନା ଓ ଇଛା ପଡ଼ା ର ଆକାଶ ଶାଣ୍ଢ ଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଦୁଇ ଜଣ ଫେରାର ଥିବା ପୋଲିସ କହିଛି । ଏହା ସହ ଘଟଣାରେ ବ୍ୟବହୃତ ୩ଟି ବାଇକ, ୬ ଗୋଟି ମୋବାଇଲ ଫୋନ, ୨ଟି ଟାଙ୍ଗିଆ ଜବତ କରିଥିବା ସୂଚନା ଦେଇଛି ।
ସୂଚନାରୁ ପ୍ରକାଶ ଯେ, ଗତ ଗୁରୁବାର ରାତି ପ୍ରାୟ ସାଢ଼େ ୯ ଟା ରେ , ମାଲପଡ଼ା ର ପ୍ରଶାନ୍ତ ଖେତି କୋଣସି କାମରେ ରିଂ ରୋଡ଼ ଦେଇ ଯାଉଥିଲେ । ଏହି ସମୟରେ ୬ ଜଣ ଯୁବକ ବାଇକ ରେ ଆସି , ପ୍ରଶାନ୍ତଙ୍କୁ ବନ୍ଧୁକ ମୁନରେ ଅପହରଣ କରି ସଦାଇପାଲି ବୋଟଲିଙ୍ଗ ପ୍ଲାଣ୍ଟ ନିକଟସ୍ଥ ଜଙ୍ଗଲ କୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ରାତି ତମାମ ନିର୍ଯ୍ୟାତନା ଦେବା ସହ ତାଙ୍କର ସୁନା ଚେନ, ମୁଦି ଓ ପାଖରେ ଥିବା ୭୫୦୦ ଟଙ୍କା ଲୁଟ କରିଥିବା , ପ୍ରଶାନ୍ତ ନିଜେ ଶୁକ୍ରବାର ଦିନ ପୋଲିସ ଥାନା କୁ ଆସି ଅଭିଯୋଗ କରିଥିଲେ । ସେହିକମ୍ରେ ପୋଲିସ ଆଜି ଉପରୋକ୍ତ ୪ ଜଣଙ୍କୁ ଗିରଫ କରିଛି ।
ଏହି ଘଟଣାରେ ସମ୍ପୃକ୍ତ ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରୀ ଙ୍କ ଉପରେ ବିଭିନ୍ନ ମାମଲା ଥିବା ବେଳେ, ଏହି ଘଟଣା ପୁରୁଣା ପଇସା କାରବାର କୁ ନେଇ ହୋଇଥାଇ ପାରେ ବୋଲି କହିବା ସହ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।
ତେବେ, ଲକଡାଉନ ରେ ସାରା ସହରରେ ପୋଲିସ ପହରା ଦେଉଛି । ମାସ୍କ ଲଗାଇ ନଥିବା କୋଉ ଅଭାବୀ କି ମଳିମୁଣ୍ଡିଆ ମଧ୍ୟ ପୋଲିସ ନଜର ରୁ ବଂଚି ପାରୁ ନାହାନ୍ତି । ସେମାନଙ୍କୁ ତୁରନ୍ତ ରୋକି ଫାଇନ ଆଦାୟ କରାଯାଉଛି । ତାହେଲେ , ପୋଲିସ ର ନାକ ତଳୁ ଏହି ଅପହରଣ ହେଲା କିପରି , ଆହୁରି ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ପୋଲିସ କେବଳ କଣ ଦୁର୍ବଳ ଉପରେ ସିଂହ ପାଲଟୁଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଅଭିଯୋଗ ଅନୁସାରେ ଯଦି ବଲାଙ୍ଗିର ସହରରୁ କର୍ଫ୍ୟୁ ସମୟରେ କଥିତ ଅପରାଧୀଙ୍କ ଅପହରଣ ହୋଇ ପାରୁଛି, ତେବେ ଏଠି ସାଧାରଣ ଜନତା କେତେ ସୁରକ୍ଷିତ ତାହା ପାଠକେ ବିଚାର କରିବେ ।