ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି କହିଛନ୍ତି ଯେ, କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ତୁଳନାରେ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସିଛି। ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ। ଏହି ଅବସରରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶା ବର୍ତ୍ତମାନ ପୁଞ୍ଜି ବିନିଯୋଗର ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିଛି। ତେଣୁ ବୃହତ ଶିଳ୍ପ ହେଉ, କିମ୍ବା ମଧ୍ୟମ ବା ଏମ୍ଏସ୍ଏମ୍ଇ କ୍ଷେତ୍ର ହେଉ- ସମସ୍ତ ଶିଳ୍ପ ପ୍ରକଳ୍ପଗୁଡିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦେଇ ଠିକ୍ ସମୟରେ ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହେବ ଏବଂ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।