31.1 C
Bhubaneswar
Friday, March 29, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରାରେ ୮୧% ମତଦାନ

ତ୍ରିପୁରାରେ ୮୧% ମତଦାନ

ଅଗରତାଲା : ତ୍ରିପୁରା ବିଧାନସଭାର ମୋଟ ୬୦ ଆସନ ପାଇଁ ଗୁରୁବାର ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ୮୧ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି । କାଁ ଭାଁ ଗଣ୍ଡଗୋଳକୁ ବାଦଦେଲେ ଏହି ପ୍ରକ୍ରିୟା ଆପାତତଃ ଶାନ୍ତିପୂର୍ଣ୍ଣ ରହିଥିବା କୁହାଯାଇଛି । ରାଜ୍ୟର ମୋଟ ୩୩୩୭ ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କଡା ସୁରକ୍ଷା ମଧ୍ୟରେ ମତଦାନ ପ୍ରକ୍ରିୟା ଚାଲିଥିଲା । ୪୦ରୁ ୫୦ଟି ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ତେବେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ତତ୍ପରତା ଯୋଗୁଁ ଅବିଳମ୍ବେ ଏହି ସମସ୍ୟାର ସମାଧାନ ହୋଇଥିବା ଜଣାପଡିଛି । ୧୧୦୦ଟି ବୁଥ୍‌କୁ ସମ୍ବେଦନଶୀଳ ଏବଂ ୨୮ଟି ବୁଥ୍‌କୁ ଅତ୍ୟନ୍ତ ସମ୍ବେଦନଶୀଳଭାବେ ଚିହ୍ନଟ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କିରଣ କୁମାର ଦିନାକାରୋ ସୂଚନା ଦେଇଛନ୍ତି ।

ଚଳିତ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସ ଓ ସିପିଏମ୍ ମେଣ୍ଟ ଗଠନ କରିଛନ୍ତି । ଅପରପକ୍ଷରେ ତ୍ରିପୁରା ରାଜପରିବାରକୁ ପ୍ରତିନିଧିତ୍ୱ କରୁଥିବା ଆଞ୍ଚଳିକ ଦଳ ‘ତିପ୍ରା ମୋଥା’ ଉପରୋକ୍ତ ତିନିଟି ଜାତୀୟସ୍ତରର ଦଳକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି । ତେବେ ପୂର୍ବଥର ଭଳି ଚଳିତ ନିର୍ବାଚନରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ମୁଖ୍ୟମନ୍ତ୍ରୀ ମାଣିକ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ମାର୍ଚ୍ଚ ୨ରେ ଭୋଟଗଣତି ହେବାପରେ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ । ସୂଚନାଯୋଗ୍ୟ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୩୬ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । କଂଗ୍ରେସ ଗୋଟିଏ ହେଲେ ଆସନ ଦଖଲ କରିନଥିବାବେଳେ ସିପିଏମ୍‌କୁ ୧୬ ଏବଂ ଆଞ୍ଚଳିକ ଦଳ ଆଇପିଏଫ୍‌ଟି (ଇଣ୍ଡିପେଣ୍ଡେଣ୍ଟ ପିପୁଲ୍‌ସ ଫ୍ରଣ୍ଟ ଅଫ୍ ତ୍ରିପୁରା)କୁ ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking