29.1 C
Bhubaneswar
Sunday, May 19, 2024
Homeଓଡିଶାଆଜି ରାଜ୍ୟରେ ବଜ୍ରପାତରେ ଚାଲିଗଲା ୮ ଜୀବନ

ଆଜି ରାଜ୍ୟରେ ବଜ୍ରପାତରେ ଚାଲିଗଲା ୮ ଜୀବନ

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ଆଜି ପ୍ରବଳ ବର୍ଷା ଓ ଘନଘନ ବଜ୍ରପାତରେ ୮ ଜଣଙ୍କର ଜୀବନ ଯାଇଛି । ଏଥିରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ଜଣେ ଏବଂ ଭଦ୍ରକରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ୩ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ୫ ଜଣଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଜଳି ଯାଇଥିବାବେଳେ ସେମାନେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଆଜି ଅପରାହ୍ନରେ ବସ୍ତା ବ୍ଲକ୍ ତଳ ତାପଣ୍ଡା ଓ ଶାସନ ଗ୍ରାମରେ ବିଲରେ ତଳି ପକାଇବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ମୃତ ୨ ମହିଳା ହେଲେ ବସ୍ତା ଥାନା ମଥାନୀ ଗ୍ରାମର ମନୋରଞ୍ଜନ ମାଝୀଙ୍କ ପତ୍ନୀ ପାନ ମାଝୀ (୫୦) ଓ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ବ୍ରାହ୍ମଣମରା ଗ୍ରାମର ଶନିଆ କାଳନ୍ଦୀଙ୍କ ପତ୍ନୀ ଛବି କାଳନ୍ଦୀ (୩୨) । ସେମାନଙ୍କ ସହିତ ବିଲରେ କାମ କରୁଥିବା ପୁନସିତା ଅଞ୍ଚଳର ଜଣେ ଯୁବତୀଙ୍କ ସମେତ ବର୍ଷା (୨୨), ଗୁରୁବାରି କାଳନ୍ଦୀ (୨୮) ଓ ସାବିତ୍ରୀ କିସ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ଜଳେଶ୍ୱର ବ୍ଲକ ଗୋବରଘଟା ପଞ୍ଚାୟତ କୃଷ୍ଣନଗର ଗ୍ରାମର ମଙ୍ଗଳ ଟୁଡୁଙ୍କ ନାବାଳକ ପୁଅ ଗଜେନ୍ଦ୍ର (୧୨) ଓ ମଙ୍ଗଳ ମାରାଣ୍ଡିଙ୍କ ପୁଅ ପଦନା (୧୩) ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ବିଲରେ ଗୋରୁ ଚରାଉଥିବା ବେଳେ ବଜ୍ରାଘାତର ଶିକାର ହୋଇ ଟଳି ପଡ଼ିଥିଲେ । ଜିକେ ଭଟ୍ଟର ଡାକ୍ତରଖାନାରେ ଦୁଇ ବାଳକଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ଏଥିସହିତ ଜଳେଶ୍ୱର ଅଞ୍ଚଳରୁ ଆଉ ଜଣେ ମହିଳା ବଜ୍ରପାତରେ ଆଖି ବୁଜିଥିବାବେଳେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳାଜଣକ ହେଲେ ବରଡିହା ପଞ୍ଚାୟତ କୁସୁମସାହିର ମାଧବ ସିଂଙ୍କ ପତ୍ନୀ ପୂର୍ଣ୍ଣିମା ସିଂ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତାଳକୁଣ୍ଡା ଗ୍ରାମର ନରେନ ମହାନ୍ତଙ୍କ ପୁଅ ଜୟଦେବ (୨୬) ଆଜି ଅପରାହ୍ନ ବେଳେ ବିଲକାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ପେରପାଳିକା ରାଧାନାଥପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସାହୁ (୫୬) ଓ ବାସୁଦେବପୁର ବ୍ଲକ ପଢ଼ୁଆ ଗ୍ରାମର ଗଙ୍ଗାଧର ମଳିକ (୩୫) ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଗଙ୍ଗାଧରଙ୍କୁ ସୋର ଡାକ୍ତରଖାନା ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ବାସୁଦେବପୁର ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking