19.1 C
Bhubaneswar
Friday, November 22, 2024
Homeଓଡିଶାଅବ୍ୟବସ୍ଥାରେ ୭୩ ବର୍ଷର ଏସ୍‌ଭିଏମ୍ ଉଚ୍ଚ ବିଦ୍ୟାଳୟ, ମିଳୁନି ମୌଳିକ ସୁବିଧା

ଅବ୍ୟବସ୍ଥାରେ ୭୩ ବର୍ଷର ଏସ୍‌ଭିଏମ୍ ଉଚ୍ଚ ବିଦ୍ୟାଳୟ, ମିଳୁନି ମୌଳିକ ସୁବିଧା

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷାର ବିକାଶ ତଥା ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସର୍ବଶିକ୍ଷା ଅଭିଯାନ ଠାରୁ ଆରମ୍ଭ କରି ଅନେକ ଯୋଜନାରେ ବହୁ ଅର୍ଥ ବ୍ୟୟ ହେଉଛି । ମାତ୍ର ସମସ୍ୟାର ସମାଧାନ ହେଉନାହିଁ । ଶିକ୍ଷା ଅଧିକାର ଆଇନ ଠୁଁ ଆରମ୍ଭ କରି ଅନେକ ନୀତି ନିୟମ କାର୍ଯ୍ୟକାରୀ ହେଉଛି । ହେଲେ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ସୁଧାର ଆସୁନି । କେଉଁଠି ପଢ଼ିବାକୁ ଶ୍ରେଣୀକକ୍ଷ ନାହିଁ ତ କେଉଁଠି ଶୈଖିକ ପରିବେଶ ନାହିଁ । ତେବେ ରାଜ୍ୟ ସରକାର ୬ରୁ ୧୪ବର୍ଷ ବୟସର ପିଲାଙ୍କ ଲାଗି ସୁବିଧା କରିଥିଲେ ହେଁ ଖୋଦ୍ ସ୍କୁଲ ଗୁଡିକ ନିଜର ପରିଚୟ ହରାଇବାକୁ ବସିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜଗତସିଂପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ଗ୍ରାମରେ ଥିବା ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ(ଏସ୍‌ଭିଏମ୍‌) ।

ରାଜ୍ୟରେ ସାକ୍ଷରତା ହାରରେ ଦେଖିବାକୁ ଗଲେ ଜଗତସିଂହପୁର ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମରେ ଖୋର୍ଦ୍ଧା । ତେବେ ଜଗତସିଂହପୁର ଜିଲ୍ଲା ଶିକ୍ଷାକ୍ଷେତ୍ରରେ ବେଶ ଆଗୁଆ ରହିଥିଲେ ହେଁ ଏହି ଜିଲ୍ଲାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସ୍କୁଲଗୁଡିକର ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଉ ନ଼ଥିବା ବେଳେ ପିଲାଙ୍କୁ ମୌଳିକ ସୁବିଧାରୁ ବଞ୍ôଚତ କରାଯାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଯୋଗାଇଦେବା ଲାଗି ୧୯୪୯ ମସିହାରେ ଏହି ସ୍କୁଲଟି ଗଢିଉଠିଥିଲା । ଯେଉଁଠାରେ ପ୍ରାଥମିକ ବା ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିଲା । ପରେ ପିଲାଙ୍କ ଆଗ୍ରହ ଏବଂ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହି ସ୍କୁଲ ପରିସରରେ ୧୯୬୬ମସିହାରେ ଉଚ୍ଚପ୍ରାଥମିକ ଏବଂ ପରେ ୧୯୭୯ ମସିହାରେ ଉଚ୍ଚ ବିଦ୍ୟାଳୟ ବ୍ୟବସ୍ଥା କରାଯାଇଥିଲା । ଏଠାରେ ଆଜି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୩୫ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।

ସ୍କୁଲରେ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମର ପିଲାଙ୍କ ସହ ଦଣ୍ଡମର, ଆହାଡ଼ା, ଖଣ୍ଡାସାହି, ଖଣତଙ୍ଗଳ ଅରଡ଼ଙ୍ଗ, ଗୁଣ୍ଠିଲୋ ଆଦି ପ୍ରାୟ ପାଖାପାଖି ୧୦ଟି ଗାଁର ପିଲାମାନେ ପାଠପଢ଼ୁଛନ୍ତି । ତେବେ ଗୁଣାତ୍ମକ ଶିକ୍ଷା ଏଠାରେ ପ୍ରହସନ ପାଲଟିଛି । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୪ଜଣ ଶିକ୍ଷକ ରହିଥିବା ବେଳେ ନବମ ଏବଂ ଦଶମ ଶ୍ରେଣୀ ଲାଗି ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଏହାବାଦ୍ ଜଣେ ଖେଳ ଶିକ୍ଷକ ମଧ୍ୟ ରହିଛନ୍ତି । ଆବଶ୍ୟକ ଅନୁସାରେ ଶିକ୍ଷକ, ଶିକ୍ଷୟିତ୍ରୀ ନଥିବାରୁ ପିଲାମାନଙ୍କର ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେବା ସହ ଗୁଣାତ୍ମକ ଶିକ୍ଷା ପାଇବାରୁ ପିଲାମାନେ ବଞ୍ôଚତ ହେଉଛନ୍ତି । ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ ଲାଗି ଏଠାରେ କୌଣସି ସୁବିଧା ହୋଇପାରିନାହିଁ । ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ସ୍କୁଲର ଶ୍ରେଣୀକକ୍ଷ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିିଛି ।

ଭିନ୍ନକ୍ଷମ ପିଲାଙ୍କ ଲାଗି ସ୍ୱତନ୍ତ୍ର ସୁବିଧା ନଥିବା ବେଳେ ପିଇବା ପାଣି ପାଇପ ଭାଙ୍ଗିରୁଜି ଗଲାଣି । ସଫାସୁତରା ଅଭାବରୁ ସ୍କୁଲ ପରିସରରେ କୃତିମ ଜଙ୍ଗଲ ସୃଷ୍ଟି ହୋଇଯାଇଛି । ଅନେକ କୋଠା ଉପରେ ଥିବା ଆଜବେଷ୍ଟସ ଭାଙ୍ଗିରୁଜିଗଲାଣି । ପିଲାଙ୍କ ଲାଗି ଶୌଚାଳୟ ନାହିଁ । ବିଶେଷକରି ଏଠାରେ ପଢ଼ୁଥିବା ଛାତ୍ରୀମାନେ ଆଜି ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇପଡିଥିବା ଅନେକ ଅଭିଭାବକ ଅଭିଯୋଗ କରିଛନ୍ତି । ସେହିପରି ଇଲେକ୍ଟ୍ରି ବ୍ୟବସ୍ଥା ଥିଲେ ହେଁ ଶ୍ରେଣୀରେ ଥିବା ଫ୍ୟାନ୍ ଲାଇଟି ଅଚଳ ହୋଇପଡିଛି । ବିଦ୍ୟାଳୟର ରୂପରେଖକୁ ନଜର ଦେଲେ କିଛି ଶ୍ରେଣୀ କକ୍ଷ ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ଜଣାପଡିଛି । କୌଣସି ମୂହୂର୍ତ୍ତରେ ବି ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି । ପିଲାଙ୍କ ଲାଗି ଖେଳ ପଡ଼ିଆଟିଏ ବି ନାହିଁ । ପିଅନ ଓ ସୁରକ୍ଷାକର୍ମୀ ଥିଲେ ହେଁ ସ୍କୁଲରୁ ବହୁବାର ଚୋରି ହେଲାଣି । ଚତୁଃପାଶ୍ୱର୍ରେ କୁଢ଼କୁଢ଼ ଅଳିଆ ପଡ଼ିଛି ।

ତେବେ ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏପରି ସମସ୍ୟା ସମ୍ପର୍କରେ ସେ ଅବଗତ ହୋଇନଥିଲେ । ତେବେ ଖୁବ୍‌ଶୀଘ୍ର ସେ ନିଜେ ସ୍କୁଲର ଅନୁଧ୍ୟାନ କରି ସମସ୍ୟାର ସମାଧାନ ପରିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଅନେକ ସ୍କୁଲରେ ପିଲାଙ୍କ ଉପସ୍ଥାନ ହ୍ରାସପାଇଥିବାରୁ ସେସବୁ ସ୍କୁଲ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସ୍କୁଲଗୁଡିକର ଭିତ୍ତିଭୂମି ସମ୍ପର୍କରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ଏହି ସ୍କୁଲର ରିପୋର୍ଟ ଖୁବ୍‌ଶୀଘ୍ର ମଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking