27.1 C
Bhubaneswar
Saturday, May 24, 2025
Homeଦେଶ ବିଦେଶ୭୧ଙ୍କୁ ‘ପଦ୍ମ’ ପୁରସ୍କାର; ୪ଜଣଙ୍କୁ ପଦ୍ମବିଭୂଷଣ, ୧୦ଜଣଙ୍କୁ ପଦ୍ମଭୂଷଣ ଓ ୫୭ଜଣଙ୍କୁ ପଦ୍ମଶ୍ରୀ

୭୧ଙ୍କୁ ‘ପଦ୍ମ’ ପୁରସ୍କାର; ୪ଜଣଙ୍କୁ ପଦ୍ମବିଭୂଷଣ, ୧୦ଜଣଙ୍କୁ ପଦ୍ମଭୂଷଣ ଓ ୫୭ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ପଦ୍ମ’ ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କ ‘ପଦ୍ମ’ ପୁରସ୍କାରରେ ସମ୍ମାନିତ କରିଛନ୍ତି। ତେବେ ସୋମବାର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ୱାରା ‘ପଦ୍ମ’ ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଶାର ୩ଜଣ ସାମିଲ ରହିଛନ୍ତି। ସେହିପରି ଚଳିତ ବର୍ଷ ଆଉ ଜଣେ ଓଡ଼ିଆ ସାହିତ୍ୟିକା ପ୍ରତିଭା ଶତପଥୀ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ସମାରୋହରେ ପ୍ରତିଭା ଶତପଥୀଙ୍କୁ ସମ୍ମାନିତ କରାଯିବା ନେଇ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି।

ରିପୋର୍ଟ ଅନୁସାରେ ଚଳିତ ବର୍ଷ ପାଇଁ ମୋଟ୍ ୧୩୯ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ସୋମବାର କିନ୍ତୁ ୭୧ଜଣଙ୍କୁ ସମ୍ମାନିତ କରାଯାଇଛି। ଏମାନଙ୍କ ମଧ୍ୟରେ ୪ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଥିବା ବେଳେ ୧୦ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ସେହିପରି ଅନ୍ୟ ୬୮ଜଣଙ୍କୁ ଅନ୍ୟ ଏକ ଧାର୍ଯ୍ୟ ତାରିଖରେ ସମ୍ମାନିତ କରାଯିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୬୮ଜଣଙ୍କ ମଧ୍ୟରେ ଓଡ଼ିଶାର ପ୍ରତିଭା ଶତପଥୀ ମଧ୍ୟ ସାମିଲ ଅଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ରିପୋର୍ଟ ଅନୁସାରେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବା ୪ ବ୍ୟକ୍ତିଙ୍କ ମଧ୍ୟରେ ଏମ୍ ଟି ବାସୁଦେବନ ନାୟାରଙ୍କୁ (ମରଣୋତ୍ତର) ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଦିବଂଗତଙ୍କ ପତ୍ନୀ ସରସ୍ୱତୀ ବାସୁଦେବନ ନାୟାଙ୍କ ପାଇଁ ଏହି ସମ୍ମାନ ଗ୍ରହଣ କରିଥିଲେ। ସେହିପରି, ଓସାମୁ ସୁଜୁକିଙ୍କୁ ମଧ୍ୟ ମରଣୋତ୍ତର ଭାବେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଓସାମୁ ସୁଜିକିଙ୍କ ପୁଅ ତୋଶିହିରୋ ତାଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଅନ୍ୟ ଦୁଇ ବିଶିଷ୍ଟ ବ୍ୟକ୍ତି ହେଲେ ଡ. ଦୁବଭୁର ନାଗେଶ୍ୱର ରେଡ୍ଡୀ ଏବଂ ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ୍‌। ସେହିପରି ଫିଲ୍ମ ନିର୍ମାତା ଶେଖର କପୁର, ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଶ୍ରୀଜେଶ, ଦକ୍ଷିଣ ଭାରତୀୟ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣା ଓ ଅଜିତ୍ କୁମାରଙ୍କ ସମେତ ମୋଟ୍ ୧୦ଜଣଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ସୁଶୀଲ କୁମାର ମୋଦୀ, ସ୍ୱର୍ଗତ ଗଜଲ ଗାୟକ ପଙ୍କଜ ଉଦ୍ଧାସ୍‌ଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ଉଭୟଙ୍କ ପତ୍ନୀ ଯଥାକ୍ରମେ ଜେସି ସୁଶୀଲ ମୋଦୀ ଏବଂ ଫରିଦା ପଙ୍କଜ ଉଦ୍ଧାସ ଉପସ୍ଥିତ ରହି ନିଜ ସ୍ୱାମୀଙ୍କ ସମ୍ମାନ ଗ୍ରହଣ କରିଥିଲେ।

ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ବ୍ୟତୀତ, ସୋମବାର ୫୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏମାନଙ୍କ ମଧ୍ୟରେ କ୍ରିକେଟର ଆର.ଅଶ୍ୱିନ୍ ପ୍ରମୁଖ ସାମିଲ ଅଛନ୍ତି। ପ୍ରକାଶ, ଚଳିତ ବର୍ଷ-୨୦୨୫ ପାଇଁ ମୋଟ୍ ୧୩୯ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରେ ୭ଜଣଙ୍କୁ ପଦ୍ମ ବିଭୂଷଣରେ, ୧୯ଜଣଙ୍କୁ ପଦ୍ମ ଭୂଷଣରେ ଏବଂ ୧୧୩ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking