ଯୁବତୀଙ୍କୁ ଦୁଷ୍କର୍ମ, ହତ୍ୟା ଧମକ ମାମଲା : ବନମାଳିଙ୍କୁ ୭ବର୍ଷ ଜେଲ୍

ବ୍ରହ୍ମପୁର : ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଘଟଣା ସମ୍ପର୍କରେ କାହାକୁ କହିଲେ ହତ୍ୟା କରିବା ନେଇ ଧମକ ଦେଇଥିବା ମାମଲାରେ ସିଭିଲ୍ ରେଜିଷ୍ଟ୍ରାର କୋର୍ଟ ଜଜ୍ ଅମିତ୍ ସ୍ୱରୁପ ସେଠ୍ ସୋମବାର ଅଭିଯୁକ୍ତକୁ ୭ବର୍ଷ ଜେଲଦଣ୍ଡ ସହ ୧୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ୧୦ ମାସ ଅଧିକ ଜେଲଦଣ୍ଡର ଆଦେଶ ରହିଛି ।
ସୂଚନା ଅନୁଯାୟୀ, ୨୦୦୯ ମସିହା ଫେବୃୟାରୀ ୧ ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମର ବନମାଳି ନାୟକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅପହରଣ କରିନେବା ସହ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ପରେ ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ହତ୍ୟା କରିବା ପାଇଁ ଧମକ ଦେଇଥିଲା । ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିଛି ଦିନ ଜେଲ ହାଜତରେ ରହିବା ପରେ ଅଭିଯୁକ୍ତଙ୍କୁ ଜାମିନ ମିିଳିଥିଲା । ଏହି ମାମଲାର ବିଚାର ସ୍ଥାନୀୟ ସଭିଲ୍ ରେଜିଷ୍ଟ୍ରାର କୋର୍ଟରେ ଚାଲିଥିଲା । ୧୫ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରି ଅଭିଯୁକ୍ତଙ୍କୁ ସୋମବାର ଦଣ୍ଡାଦେଶ ଶୁଣାଯାଇଛି । ସରକାରଙ୍କ ପକ୍ଷରୁ ଆଇନଜୀବୀ ଆରତୀ ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ ।