କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୬ ତାରିଖରେ, ଓଡ଼ିଶାରେ ଦକ୍ଷିଣ-ପୂର୍ବ ରେଲୱେ ଅଧୀନରେ ଆସୁଥିବା ୬ଟି ରେଲୱେ ଷ୍ଟେସନ୍ର ପୁର୍ନବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବେ । ଏଥିପାଇଁ ମୋଟ୍ ୨୪୦.୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭାରତ ସରକାରଙ୍କ ଅମୃତ ଷ୍ଟେସନ ଯୋଜନା ଅନ୍ତର୍ଗତ ଏସବୁୂ ରେଲୱେ ଷ୍ଟେସନ୍ଗୁଡ଼ିକର ବିକାଶ କରାଯିବ । ତେବେ ଏହି ୬ ଷ୍ଟେସନ୍ଗୁଡିକ ମଧ୍ୟରେ ବିମ୍ଲାଗଡ (ଆନୁମାନିକ ୮.୨୮ କୋଟି), ଜାରୋଲି (ଆନୁମାନିକ ୫.୯୫ କୋଟି), ରାଇରଙ୍ଗପୁର (ଆନୁମାନିକ ୪ କୋଟି), ପାନପୋଷ୍ (ଆନୁମାନିକ ୧୧.୦୪ କୋଟି), ବାଲେଶ୍ୱର (ଆନୁମାନିକ ୧୯୭.୪ କୋଟି) ଏବଂ ବେତନଟୀ (ଆନୁମାନିକ ୧୪.୧୫ କୋଟି) ଭଳି ଷ୍ଟେସନ୍ ସାମିଲ ରହିଛନ୍ତି । ଏହି ଷ୍ଟେସନଗୁଡିକର ବିକାଶ ପାଇଁ ‘ସିଟି ସେଣ୍ଟର’ ଭାବେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି ଯାହାକି ସହରର ଉଭୟ ପାଶ୍ୱର୍କୁ ସଠିକ୍ ସଂଯୋଗୀକରଣ ପ୍ରଦାନ କରିବ । ଏସବୁ ରେଳ ଷ୍ଟେସନଗୁଡ଼ିକୁ କେନ୍ଦ୍ର କରି ସହରର ସାମଗ୍ରିକ ବିକାଶଜନିତ ଦୃଷ୍ଟିକୋଣକୁ ସାକାର କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ରହିଛି ।
ଏହି ଯୋଜନା ଅନ୍ତର୍ଗତ ଯାତ୍ରୀମାନଙ୍କୁ ଏସବୁ ରେଲୱେ ଷ୍ଟେସନଗୁଡ଼ିକରେ ପୂର୍ବାପେକ୍ଷା ଅଧିକ ତଥା ଆଧୁନିକୀକରଣ ସୁବିଧା ଉପଲବ୍ଧ କରାଇବା, ଟିକଟ କାଉଣ୍ଟରରେ ସୁସଜ୍ଜିତ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଦାନ, ଆନ୍ତଃ ମୋଡାଲ୍ ଏକୀକରଣ ଭଳି ସୁବିଧା ସହଜରେ ମିଳିପାରିବ । ଷ୍ଟେସନ୍ ବିଲ୍ଡିଂର ଡିଜାଇନ୍ ସବୁ ସ୍ଥାନୀୟ ସଂସ୍କୃତି ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ । ୱାନ୍ ଷ୍ଟେସନ୍, ୱାନ ପ୍ରଡକ୍ଟ’ ଯୋଜନା ଶିଳ୍ପୀକାରଙ୍କୁ ସେମାନଙ୍କ କଳାକୃତି ପରିସ୍ଫୁଟିତ କରିବା ଦିଗରେ ସହାୟକ ସାବ୍ୟସ୍ତ ହେବ ଏବଂ ସ୍ଥାନୀୟ ଉତ୍ପାଦର ବ୍ରାଣ୍ଡ୍ ପ୍ରମୋସନ୍ କରିବାରେ ସାହାଯ୍ୟ କରିବ ।
ତେବେ ଷ୍ଟେସନ୍ଗୁଡିକରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବାକୁ ଥିବା ସୁବିଧାଗୁଡିକ ମଧ୍ୟରେ ଷ୍ଟେସନ୍ରେ ୱେଟିଂ ରୁମ୍, ବୁକିଂ ଅଫିସ୍,ଏକ୍ଜିକ୍ୟୁଟିଭ୍ ଲାଉଞ୍ଜ, କାଫେଟେରିଆ, ଟଏଲେଟ୍, ଉତ୍ତମ ଢ଼ାଞ୍ଚାଗତ ପ୍ଲାଟଫର୍ମ ଚଟାଣ, ଷ୍ଟେସନ୍କୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ, ପ୍ଲାଟଫର୍ମରେ ଆଶ୍ରୟସ୍ଥଳ, ଗାଡିମୋଟର ଆଦି ବ୍ୟବସ୍ଥିତ ଭାବେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ, ସିସିଟିଭି କ୍ୟାମେରା ସଂଯୋଗ ଏବଂ ଟ୍ରେନ୍ ଚଳାଚଳ ସମ୍ପର୍କୀତ ସବିଶେଷ ଘୋଷଣା ସମ୍ପର୍କରେ ଯାତ୍ରୀଙ୍କୁ ଶୁଭିବା ଭଳି, ଦୃଶ୍ୟମାନ ହେବା ଭଳି ବ୍ୟବସ୍ଥା ଭଳି ଅନେକ ଅତ୍ୟାବଶ୍ୟକ ବ୍ୟବସ୍ଥାକୁ ସାମିଲ କରାଯାଇଛି । ଷ୍ଟେସନ୍ ବିଲ୍ଡିଂଗୁଡିକୁ ମଧ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରରେ ନିର୍ମାଣ କରାଯିବ ।
ଯାହାଦ୍ୱାରା ଏଠାରେ ବର୍ଷାଜଳ ଅମଳ, ଜଳର ପୁର୍ନବ୍ୟବହାର, ବାୟୋ ଟଏଲେଟ୍, ଆଖପାଖରେ ବୃକ୍ଷ ରୋପଣ, ସ୍ୱଳ୍ପ ଶକ୍ତି ବିଶିଷ୍ଟ ଏଲ୍ଇଡି ଆଲୋକୀକରଣ, ସୋଲାର ପ୍ୟାନେଲ୍ ଭଳି ବ୍ୟବସ୍ଥା ଉପଲବ୍ଧ ହେବ । ସେହିପରି ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ସୁବିଧା ପାଇଁ ଷ୍ଟେସନକୁ ସହଜ ପ୍ରବେଶପଥ, କମ୍ ଉଚ୍ଚତା ସମ୍ପନ୍ନ ଟିକଟ କାଉଣ୍ଟର, ସ୍ୱତନ୍ତ୍ର ଟଏଲେଟ୍ ଏବଂ ପ୍ରସ୍ଥାନ ମାର୍ଗରେ ସହାୟତା କେନ୍ଦ୍ର ସ୍ଥାପନ ଆଦି ଉପଲବ୍ଧ ହେବ । ଦୃଷ୍ଟିବାଧିତ ଯାତ୍ରୀଗଣଙ୍କ ପାଇଁ ଏସବୁ ରେଲୱେ ଷ୍ଟେସନ୍ ଠାରେ ବ୍ରେଲି ଲିପିର ମଧ୍ୟ ବ୍ୟବହାର କରାଯିବ । ଓଡ଼ିଶାରେ ରେଲୱେ ଷ୍ଟେସନଗୁଡିକର ଏପ୍ରକାର ପୁନଃ ନବୀକରଣ ପ୍ରକ୍ରିୟା ଦ୍ୱାରା ଏଠାକୁ ଆସୁଥିବା ଆଗନ୍ତୁକଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନାକୁ ପ୍ରୋତ୍ସାହନ ମିଳିପାରିବ । ଏହା କେବଳ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବ ତାହା ନୁହେଁ, ବରଂ ଏହାଦ୍ୱାରା ଷ୍ଟେସନ୍ର ଆଖପାଖ ଅଞ୍ଚଳରେ ଅର୍ଥନେତୌକ କାର୍ଯ୍ୟକଳାପ ତଥା ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହି ଅମୃତ ରେଳ ଷ୍ଟେସନ୍ଗୁଡିକ ଏକକ ଐତିହ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବ କରିବାର ପ୍ରତୀକ ସାବ୍ୟସ୍ତ ହେବ ।