27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଇଣ୍ଡିଆ ମେଣ୍ଟର ୨ୟ ସଫଳତା: ଆପ୍‌-କଂଗ୍ରେସ ମଧ୍ୟରେ ତୁଟିଲା ଆସନ ବୁଝାମଣା

ଇଣ୍ଡିଆ ମେଣ୍ଟର ୨ୟ ସଫଳତା: ଆପ୍‌-କଂଗ୍ରେସ ମଧ୍ୟରେ ତୁଟିଲା ଆସନ ବୁଝାମଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ସହ ଆସନ ବୁଝାମଣା ହେବାର ୨୪ ଘଣ୍ଟା ମଧ୍ୟରେ ଅରବିନ୍ଦ କେଜରିୱାଲ୍‌ଙ୍କ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସହ ମଧ୍ୟ ଆସନ ଭାଗବଣ୍ଟା କରିବାରେ ସଫଳ ହୋଇଛି କଂଗ୍ରେସ । ଗୁରୁବାର ଉଭୟ ଆପ୍ ଏବଂ କଂଗ୍ରେସ ମଧ୍ୟରେ ଚୂଡାନ୍ତ ଆସନ ବୁଝାମଣା ହୋଇଥିବା ନେଓ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ ଦିଲ୍ଲୀ ସହ ଗୋଆ, ହରିଆଣା ଏବଂ ଗୁଜରାଟରେ ମଧ୍ୟ ଉଭୟ ଦଳ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ୨ୟ ବୃହତ୍ ସଫଳତା ମିଳିଛି ବୋଲି ମତ ପ୍ରକାଶ ପାଇଛି । ଆପ୍ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ଦିଲ୍ଲୀର ମୋଟ୍ ୭ ଲୋକସଭା ଆସନ ମଧ୍ୟରୁ ଆମ୍ ଆଦ୍‌ମୀ ପାର୍ଟି ଦିଲ୍ଲୀ, ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀର ୪ଟି ଆସନରେ ନିଜ ପ୍ରାର୍ଥୀ ଦେବ । ସେହିପରି ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଏବଂ ଚନ୍ଦିନୀଚୌକ୍ ଭଳି ବାକି ୩ ଆସନକୁ କଂଗ୍ରେସ ପାଇଁ ଛାଡିବ । ଏତଦ୍‌ବ୍ୟତୀତ ଗୋଆ, ହରିଆଣା ଏବଂ ଗୁଜରାଟ ଆଦି ୩ ରାଜ୍ୟରେ ମଧ୍ୟ ଦୁଇ ଦଳ ଆସନ ବୁଝାମଣାଜନିତ ମେଣ୍ଟ କରିବା ନେଇ ସହମତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ଆମ୍ ଆଦ୍‌ମୀ ପାର୍ଟି ବିଜେପି ଶାସିତ ଗୁଜରାଟରେ ୨ଟି ଲୋକସଭା ଆସନ ଭରୁଚ ଏବଂ ଭାବନଗରରେ ପ୍ରାର୍ଥୀ ଦେବାକୁ ସ୍ଥିରିକୃତ ହୋଇଛି । ଏପରିକି ଆପ୍ ଏଠାରେ ୨ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିସାରିଛି । ତେବେ କଂଗ୍ରେସ ଏଠାରେ ବାକି ୨୪ ଆସନରେ ପ୍ରାର୍ଥୀ ଦେବ । ତେବେ ଏମାନଙ୍କ ସହ ସାମିଲ ହେବାକୁ ଥିବା ଅନ୍ୟ ଛୋଟ ଦଳଙ୍କୁ କଂଗ୍ରେସ ନିଜ କୋଟାରୁ ଆସନ ବୁଝାଇବ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଏଠାରେ ସମସ୍ତ ୨୬ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଥିଲା । ସେହିପରି ହରିଆଣାରେ ଆମ୍ ଆଦ୍‌ମୀ ପାର୍ଟି ସର୍ବନିମ୍ନ ୧ଟି ଆସନରେ ପ୍ରାର୍ଥୀ ଦେବାକୁ ଇଚ୍ଛା ବ୍ୟକ୍ତ କରିଛି । ଗୁଜରାଟ ଭଳି ହରିଆଣାରେ ମଧ୍ୟ ଏବେ ବିଜେପି ସରକାର ରହିଛି । ଏହାକୁ ଦୃଷ୍ଟିରେ ରଖି ଆପ୍ ନିଜ ଆସନ ସଂଖ୍ୟା ସୀମିତ ରଖିବାକୁ ଚାହୁଁଛି । ବାକି ୯ଟି ଆସନରେ କଂଗ୍ରେସ ଚାହିଁଲେ ପ୍ରାର୍ଥୀ ଦେଇପାରିବ ବୋଲି ବିକଳ୍ପ ଉନ୍ମୁକ୍ତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଏଠାରେ ସମସ୍ତ ୧୦ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଥିଲା । ଏତଦ୍‌ବ୍ୟତୀତ ୨ ଲୋକସଭା ଆସନ (ଦକ୍ଷିଣ ଗୋଆ ଏବଂ ଉତ୍ତର ଗୋଆ) ବିଶିଷ୍ଟ ଗୋଆରେ ମଧ୍ୟ ଉଭୟ ଦଳ ପ୍ରାର୍ଥୀ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ତେବେ ଆମ୍ ଆଦ୍‌ମୀ ପାର୍ଟି  କେଉଁ ଆସନରେ ପ୍ରାର୍ଥୀ ଦେବ ଏବଂ କଂଗ୍ରେସ କେଉଁ ଆସନରେ ପ୍ରାର୍ଥୀଦେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ସେହିପରି ଚଣ୍ଡୀଗଡ ଲୋକସଭା ଆସନ ପାଇଁ ଉଭୟ ଦଳ ପ୍ରାର୍ଥୀ ଦେବାକୁ ଇଚ୍ଛାବ୍ୟକ୍ତ କରିଥିବା ବେଳେ କଂଗ୍ରେସ କିନ୍ତୁ ଏଠାରେ ପ୍ରାର୍ଥୀଦେବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡିଛି । କାରଣ ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଣ୍ଡିଗଡ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ମେୟର ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ସମର୍ଥନ ଦେଇଥିଲା । ସୁତରାଂ କଂଗ୍ରେସ ଏବେ ଏଠାରେ ଲୋକସଭା ପ୍ରାର୍ଥୀ ଦେଲେ ଆପ୍ ସମର୍ଥନ କରିବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ପଞ୍ଜାବରେ ଏବେ ଆପ୍ ସରକାର ରହିଥିବା ବେଳେ ରାଜ୍ୟରେ କିନ୍ତୁ ଉଭୟ ଆପ୍ ଏବଂ କଂଗ୍ରେସ ପୃଥକ୍ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ପଞ୍ଜାବରେ ଉଭୟ ଦଳ ଏକଲା ଚଲୋ ନୀତିରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ପଞ୍ଜାବ ପାଇଁ ଉଭୟ ଦଳଙ୍କ ମଧ୍ୟରେ କୌଣସି ଆସନ ବୁଝାମଣା ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking