ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ରେ ଦେଖାଦେଇଛି ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫କିଲୋ ମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି । ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନପାରି ଶେଷରେ ଛଟପଟ ହୋଇ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଦିନ ଗୁଗୁରମହା ପଞ୍ଚାୟତର ମାଉଗୁଡ଼ା ଗ୍ରାମର ମେଚୁ ସୁକାମାଝିଙ୍କ ଗର୍ଭବତୀ ସ୍ତ୍ରୀ ସୁମନ୍ତି ସୁକାମାଝି (୩୧)ଙ୍କ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।
ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ଖଟିଆରେ ୫ କିଲୋମିଟର ରାସ୍ତା ମାଝିଗୁଡ଼ା ଆଣିବା ପରେ ଜୁଡ଼ାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରଯାଇଥିଲା । କିନ୍ତୁ ମହିଳା ଜଣକ ପ୍ରସବ ବେଦନା ସହ୍ୟ ନକରିପାରି ଶେଷରେ ତୁମୁଡିବନ୍ଧ ନିକଟରେ ଆମ୍ବୁଲାନ୍ସ ରେ ଜୀବନ ହାରିଥିଲେ । ଏହା ପରେ ତୁମୁଡିବନ୍ଧ ଥାନାରେ ଜଣାଇବା ପରେ କୋଟଗଡ଼ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।