୪୦ ଲକ୍ଷ ଠକେଇ : ୩ ବ୍ୟାଙ୍କ ମିତ୍ର ଗିରଫ

ରାଉରକେଲା : ରାଉରକେଲା ଓ ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ଠକେଇ ଘଟଣାରେ ଶନିବାର ୩ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା, ଲ୍ୟାପଟପ, କାଗଜପତ୍ର ଆଦି ପୁଲିସ ଜବତ କରିଛି ।
ସୂଚନାଅନୁଯାୟୀ, ୨୦୧୮ ମସିହା ସେପ୍ଟେମ୍ବର ୫ ତାରିଖରେ ବନ୍ଧମୁଣ୍ଡା ଓ ବୀରମିତ୍ରପୁରର ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ପାଇଁ କିଛି ବ୍ୟାଙ୍କ ମିତ୍ରଙ୍କୁ ନିୟୋଜିତ କରାଯାଇଥିଲା । ଉକ୍ତ ବ୍ୟାଙ୍କ ମିତ୍ରମାନେ ଗ୍ରାମାଞ୍ଚଳ ଲୋକଙ୍କ ଦେଣନେଣ ଓ ଆକାଉଣ୍ଟ ଆଦି କିଓସ୍କ ମାଧ୍ୟମରେ ଖୋଲି ମିନିବ୍ୟାଙ୍କ ଭାବେ ସେବା ଯୋଗାଇ ଦେଇ ଆସୁଥିଲେ । କ୍ରମନ୍ୱୟ ଭାବେ ଏହାର ସୁଯୋଗ ନେଇ ବ୍ୟାଙ୍କ ସର୍ଭରକୁ ଆସେସ କରି ଏପ୍ରକାର ଠକେଇ କରିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ବନ୍ଧମୁଣ୍ଡାର ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଏହି ଠକେଇର ସଫଳ ହେବା ପରେ ବୀରମିତ୍ରପୁର ବ୍ୟାଙ୍କ ଶାଖାର ୩ ବନ୍ଧୁଙ୍କୁ ଏହି ଠକେଇ କାର୍ଯ୍ୟରେ ଲଗାଇଥିଲେ । ଗ୍ରାହକଙ୍କ ଏକାଉଣ୍ଟରୁ ଟଙ୍କା ଗାୟବ ହେବା ପରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଦୀର୍ଘ ଦିନ ଛାନଭିନ୍ ପରେ ସାଇବର ପୁଲିସ ଆଜି ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।