ମୟୁରଭଞ୍ଜ : ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ଯୋଉ ହାରରେ ବୃଦ୍ଧି ପାଉଛି ତାକୁ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି ଆନ୍ତରିକତା ଦେଖିବାକୁ ମିଳୁନଥିବା ଅଭିଯୋଗ ହେଉଛି। ପୂର୍ବରୁ କେବଳ ରାଜସ୍ବ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ଥିଲା ନିୟନ୍ତ୍ରଣ ଦାୟିତ୍ବ। ଏବେ ଥାନା ପୋଲିସକୁ ନିୟନ୍ତ୍ରଣ ପାଇଁ ସାମିଲ କଲେ ସରକାର।ହେଲେ ଚୋରି ନିୟନ୍ତ୍ରଣ ହେବା ବଦଳରେ ଦିନକୁଦିନ ବଢ଼ିବାରେ ଲାଗିଛି। ତେବେ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ପଛରେ ବଡ଼ ବଡ଼ ମୁଣ୍ଡ ଥିବାରୁ ବୋଧହୁଏ ହାତ ମାରିବାକୁ ରାଜସ୍ବ ବିଭାଗ, ସାଧାରଣ ପ୍ରଶାସନ ଏବଂ ପୋଲିସ ପଛାଉଛି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ରୋହି ଭାକୁଡ଼ ଛାଡି ଦାଣ୍ଡିକିରି ମାରି ବାହାବା ସାଉଁଟୁଛନ୍ତି ସମସ୍ତେ। ସେହିପରି ଜିଲ୍ଲାରେ ଯୋଉଭଳି ଭାବରେ ରାଜସ୍ୱ ବିଭାଗ ଅଧିକାରୀ ମାନେ ଭିଜିଲାନ୍ସ ହେଉକି ଏନଜିଟି ଦ୍ୱାରା ନଣ୍ଡଭଣ୍ଡ ହେଉଛନ୍ତି,ସେଥିରୁ ପ୍ରମାଣିତ ହେଉଛି ଲଘୁଖଣିଜ ଦ୍ରବ୍ୟର ଚୋରା କାରବାର ପଛରେ କିଏ। ତେବେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ତହସିଲଦାର ସୁବର୍ଣ୍ଣରେଖା ନଦୀରୁ ବାଲିଲୋଡ କରି ପଶ୍ଚିମବଙ୍ଗ ଯାଉଥିବା ସମୟରେ ୪ଟି ଟ୍ରକକୁ ଅଟକ କରି ଝାରପୋଖରୀଆ ଥାନାରେ ଜିମା ଦେଇଥିବା ଜଣାଯାଇଛି । ପ୍ରକାଶ ଥାଉକି ଓଡ଼ି-୧୧-ଏମ ୩୬୦୭, ଡବ୍ଲ୍ୟୁବି- ୨୯ ଏ-୮୬୮୮, ଡବ୍ଲ୍ୟୁବି- ୨୯ ବି-୫୭୬୬, ଡବ୍ଲ୍ୟୁବି-୨୯ବି-୪୮୮୬ ନମ୍ବର ବିଶିଷ୍ଟ ଚାରିଟି ଟ୍ରକ ସୁବଣ୍ଣରେଖା ନଦୀରୁ ବାଲି ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ବାହାରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ତହସିଲଦାର ଲଲାଟେନ୍ଦୁ ସି ସୁବର୍ଣ୍ଣରେଖା କେନାଲ ଶୀର୍ଷାଛକ ନିକଟରେ ପହଞ୍ଚି ଗାଡିକୁ ଅଟକ କରିବା ସହ ଝାରପୋଖରୀଆ ଥାନାରେ ଆଣି ଜିମା ଦେଇଥିବା ଜଣାଯାଇଛି । ତେବେ ଥାନାରେ ଏନେଇ ମାମଲା ରୁଜୁ ହୋଇନଥିବାବେଳେ ଏ ବାବଦରେ ତହସିଲଦାରଙ୍କୁ ପଚାରିବାରୁ ସେ କହିଥିଲେ ଓଡ଼ିଶାରେ ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି ହେଲେ, ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ କରିବାକୁ ଆମେ ବିରୋଧ କରୁଛୁ । ଉକ୍ତ ଟ୍ରକ ଗୁଡିକ ଉପରେ ଜୋରିମାନା କରାଯିବ।
ତେବେ ଏହି ଅଚାନକ ଚଢ଼ାଉ ପରେ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ବାଲି ନେବାକୁ ଆସୁଥିବା ୨୦ରୁ ଊର୍ଦ୍ଧ୍ବ ହାଇଓ୍ବା ଟ୍ରକ ଜାମଶଳା ନିକଟରେ ଠିଆହୋଇ ସୁଯୋଗ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସୁବର୍ଣ୍ଣରେଖା ନଦୀରୁ ଜେ ସି ବି ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରି ରାତିରେ ବାଲି ଚୋରା ଚାଲାଣ କରାଯାଉଛି । ସରକାରୀ ଅଫିସ ସମୟ ବ୍ୟତୀତ ରାତିରେ ନଦୀରୁ ବାଲି ଉତ୍ତୋଳନ ଆଇନସିଦ୍ଧ କି ନା ତାକୁନେଇ ବୁଦ୍ଧିଜୀବୀ ଏବଂ ପରିବେଶବିତ ମହଲ ପ୍ରଶ୍ନ ଉଠାଇଛନ୍ତି। ଯଦି ରାତିରେ ବାଲି ଉତ୍ତୋଳନ ହୋଇପାରିବ ତେବେ ସେ ସମୟରେ ଟ୍ରାଞ୍ଜିଟ ପାସ ଯାଞ୍ଚ କରୁଛି କିଏ ? ସେହିପରି ନଦୀଚୋର ଜୀବଙ୍କ ଜୀବନଶୈଳୀ ପ୍ରଭାବିତ ନ ହେବା ପ୍ରତି ଦୃଷ୍ଟିରଖି ରାତିରେ ବାଲି ଉତ୍ତୋଳନକୁ ବାରଣ କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଙ୍କ ପକ୍ଷରୁ ରହିଥିବା ପରାମର୍ଶକୁ ଉଲଂଘନ କରୁଛନ୍ତି ବାଲିଘାଟ ନିଲାମଧାରୀ,ରାଜସ୍ୱ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ପ୍ରଶାସନ ଓ ପୋଲିସ। ତେବେ ଏମାନଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁ କରାଯାଇ ସ୍ଥିତି ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।