ଢାକା: ବାଂଲାଦେଶର ଜେଲ୍ଗୁଡ଼ିକରେ ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୬୮ ଜଣ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି। ଏହା ସତ୍ତ୍ବେ ବି ସେମାନେ ଭାରତ ଫେରିପାରୁ ନାହାନ୍ତି। କାରଣ, ଏହି କଏଦୀମାନଙ୍କ ମଧ୍ୟରୁ ଅନେକଙ୍କ ଭାରତୀୟ ନାଗରିକତା ପ୍ରମାଣିତ ହୋଇପାରି ନାହିଁ। ବାଂଲାଦେଶ ସରକାର ପ୍ରାୟ ୧୨୦ ଜଣ କଏଦୀଙ୍କ ତାଲିକା ଭାରତକୁ ପଠାଇ ସେମାନେ ଭାରତୀୟ ବୋଲି ଜଣାଇ ଥିଲେ। ମାତ୍ର ଏହି ତାଲିକାରେ ଅଧିକାଂଶ କଏଦୀଙ୍କ ସମ୍ପର୍କିତ ତଥ୍ୟ ଅସମ୍ପୂର୍ଣ୍ଣ ରହିଛି ବୋଲି ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଥିଲା। ବାଂଲାଦେଶ ଖବରକାଗଜ ‘ଦ ଡେଲି ଷ୍ଟାର୍’ର ରିପୋର୍ଟ ଅନୁଯାୟୀ, ଦେଶର ଜେଲ୍ଗୁଡ଼ିକରେ ୧୫ ଦେଶର ୪୦୭ ଜଣ କଏଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ କଏଦୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ତେବେ ଢାକାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତର ଜଣେ ଅଧିକାରୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଦଣ୍ଡ ଭୋଗି ସାରି ଜେଲରେ ଥିବା କେବଳ ୨୫ ଜଣ ଭାରତୀୟ କଏଦୀଙ୍କ ପରିଚୟ ମିଳିପାରିଛି। ଯେଉଁ କଏଦୀମାନଙ୍କ ସମ୍ପର୍କରେ ତଥ୍ୟ ମିଳିପାରି ନାହିଁ, ସେମାନଙ୍କୁ ଭେଟିବା ପାଇଁ ଭାରତୀୟ ଉଚ୍ଚାୟୁକ୍ତ ଅନୁମତି ମାଗିଛନ୍ତି। ଏବେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟର ଉତ୍ତରକୁ ଅପେକ୍ଷା କରାଯାଇଛି। ଏହା ପୂର୍ବରୁ ଜୁନରେ ବାଂଲାଦେଶ ଜେଲରେ ବନ୍ଦୀ ଥିବା କଏଦୀଙ୍କ ତଥ୍ୟ ସାମନାକୁ ଆସିଥିଲା। ସେତେବେଳେ ୧୫୨ ବିଦେଶୀ କଏଦୀ ଦଣ୍ଡ ଭୋଗି ସାରିଥିଲେ। ପରିଚୟ ମିଳିପାରି ନଥିବାରୁ ଏହି କଏଦୀଙ୍କ ମୁକ୍ତି ଅଟକିଛି ବୋଲି ଅଧିକାରୀମାନେ କହିିଥିଲେ।










