32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୨୦୨୪ ଲୋକସଭା ନିର୍ବାଚନ ବିଜ୍ଞପ୍ତି; ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା କରିବେ ନିର୍ବାଚନ ଆୟୋଗ

୨୦୨୪ ଲୋକସଭା ନିର୍ବାଚନ ବିଜ୍ଞପ୍ତି; ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କୀତ ବିଜ୍ଞପ୍ତି କେବେ ଆସିବ? ନିର୍ବାଚନ ଆୟୋଗ କେବେ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବେ? ଏଭଳି କିଛି ପ୍ରଶ୍ନ ରାଜନୈତିକ ଦଳଙ୍କ ପାଇଁ ଯେତିକି ଉତ୍କଣ୍ଠା ବଢ଼ାଇ ଚାଲିଛି ଦେଶର ଭୋଟରମାନଙ୍କ ପାଇଁ ମଧ୍ୟ ସେତିକି ଜିଜ୍ଞାସା ସୃଷ୍ଟି କରିଛି । ତେବେ ଖୁବଶୀଘ୍ର ସବୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଦିନ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୦୧୪ ଲୋକସଭା ନିର୍ବାଚନ ତଥା କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବାର ସମ୍ଭାବନା ରହିଛି ।

ରିପୋର୍ଟ ଅନୁସାରେ ଆସନ୍ତା ସୋମବାର ଠାରୁ ବୁଧବାର ଯାଏ ନିର୍ବାଚନ ଆୟୋଗଙ୍କ ଏକ ପ୍ରତିନିଧି ଦଳ ଜମ୍ମୁ କାଶ୍ମୀର ଗସ୍ତ କରିବେ । ଏଠାରୁ ଫେରିବା ପରେ ଅର୍ଥାତ୍ ଗୁରୁବାର ଶୁକ୍ରବାର ସୁଦ୍ଧା ନିର୍ବାଚନ ସମ୍ପର୍କୀତ ବିଜ୍ଞପ୍ତି ଜାରି କରାଯିବ । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିସାରିଥିବା ବେଳେ ସେଠାକାର ନିର୍ବାଚନୀ ପରିବେଶ ତଥା ସୁରକ୍ଷା ସମ୍ବନ୍ଧୀତ ବ୍ୟବସ୍ଥା ସମ୍ପର୍କରେ ଯାଞ୍ଚ୍ କରିସାରିଛନ୍ତି । ଏହି ସମୟରେ କେଉଁ ରାଜ୍ୟରେ କେତେ ପରିମାଣର ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯିବାର ଆବଶ୍ୟକତା ରହିଛି ସେନେଇ ମଧ୍ୟ ନିର୍ବାଚନ ଆୟୋଗ ରିପୋର୍ଟ ସବୁକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ହସ୍ତାନ୍ତର କରିସାରିଛନ୍ତି । ଏପରିକି କେତେକ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଲାଗୁ କରାଯାଇସାରିଲାଣି । ତେବେ ଏବେ କେବଳ ଜମ୍ମୁ କାଶ୍ମୀର ବାକି ରହିଛି । ବୁଧବାର ସୁଦ୍ଧା ଏଠାରେ ମଧ୍ୟ ନିଜ ଯାଞ୍ଚ୍ ପ୍ରକ୍ରିୟାକୁ ନିର୍ବାଚନ ଆୟୋଗ ଶେଷ କରିନେବେ । ଏହା ପରେ ତାରିଖ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନକୁ ୭ ପର୍ଯ୍ୟାୟରେ ଅନୁଷ୍ଠିତ କରାଇବା ପାଇଁ ନିର୍ବାଚନ ଆୟୋଗ ଯୋଜନା କରିଛନ୍ତି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଲୋକସଭା ନିର୍ବାଚନ ସହ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ମଧ୍ୟ କରାଇବା ପାଇଁ ନିର୍ବାଚନ ଆୟୋଗ ଚିନ୍ତା କରୁଛନ୍ତି । କାରଣ ଗତ ବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ, ଏକ ଆବେଦନ ଉପରେ ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନ ସମୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସୁତରାଂ ଏସବୁ ରାଜ୍ୟ ସହ ଜମ୍ମୁ କାଶ୍ମୀରରେ ମଧ୍ୟ ଲୋକସଭା ନିର୍ବାଚନ ସହ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ନିର୍ବାଚନ ଆୟୋଗ ଚିନ୍ତା କରୁଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଏସମ୍ପର୍କରେ କୌଣସି ସରକାରୀ ବିବୃତି ଜାରି କରାଯାଇନଥିଲା । କିନ୍ତୁ ମୁଖ୍ୟ ନିର୍ବାଚନ ଆୟୁକ୍ତ (ଇସି) ରାଜୀବ କୁମାର, ନିର୍ବାଚନ କମିଶନର ଅରୁଣ ଗୋଏଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ସହ ନିୟମିତ ଭାବେ ଏସମ୍ପର୍କରେ ଆଲୋଚନା ବୈଠକ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking