ଇରାନର ଆଭ୍ୟନ୍ତରୀଣ ରାଜନୀତିରେ ଏବେ ଏକ ବଡ଼ ଧରଣର ବିବାଦ ମୁଣ୍ଡ ଟେକିଛି । ଦେଶର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସରକାର ଏବଂ ସର୍ବୋଚ୍ଚ ନେତାଙ୍କ ନିୟନ୍ତ୍ରଣରେ ଥିବା ସରକାରୀ ଟେଲିଭିଜନ ନେଟୱାର୍କ ‘ଆଇଆରଆଇବି’ (IRIB) ମଧ୍ୟରେ ଚାଲିଥିବା ବିବାଦ ଏବେ ସାର୍ବଜନୀନ ହୋଇଛି। କ୍ଷମତା କେନ୍ଦ୍ରରେ ଦେଖାଦେଇଥିବା ଏହି ଦୁଇଫାଳ ସ୍ଥିତି ଇରାନ ରାଜନୀତିକୁ ସରଗରମ କରିଦେଇଛି। ବିଶେଷ କରି ଆମେରିକା ସହ ଆଲୋଚନା ଏବଂ ଯୁଦ୍ଧ ରଣନୀତିକୁ ନେଇ ଦୁଇ ପକ୍ଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଛି ଯେ, ରାଷ୍ଟ୍ରାୟତ୍ତ ଟେଲିଭିଜନ ଜାଣିଶୁଣି ରାଷ୍ଟ୍ରପତିଙ୍କ ଭାଷଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶକୁ କାଟି ଦେଇଛି। ରାଷ୍ଟ୍ରପତି ପେଜେସ୍କିଆନ ନିଜ ଭାଷଣରେ ଉଲ୍ଲେଖ କରିଥିଲେ ଯେ, ଆମେରିକା ସହ ଆଲୋଚନା ପାଇଁ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ବ୍ୟକ୍ତିଗତ ଭାବେ ଅନୁମୋଦନ ଦେଇଥିଲେ, ଯଦିଓ ସେ ସାର୍ବଜନୀନ ଭାବେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସରକାରଙ୍କ କହିବା ଅନୁଯାୟୀ, ଆଇଆରଆଇବି କେବଳ ରାଷ୍ଟ୍ରପତିଙ୍କୁ ନୁହେଁ, ବରଂ ସଂସଦ ବାଚସ୍ପତି ଏବଂ ନ୍ୟାୟପାଳିକା ମୁଖ୍ୟଙ୍କ ଭାଷଣର ସେହି ଅଂଶଗୁଡ଼ିକୁ ମଧ୍ୟ ପ୍ରସାରଣ କରିନାହିଁ ଯେଉଁଥିରେ ସେମାନେ ରାଷ୍ଟ୍ରପତିଙ୍କୁ ସମର୍ଥନ ଜଣାଇଥିଲେ।ଅନ୍ୟପଟେ, ସରକାରୀ ଟିଭି ଚ୍ୟାନେଲ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଆଇଆରଆଇବି କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି, ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ କିମ୍ବା ବିଭେଦ ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସେମାନେ ଜାତୀୟ ଏକତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେରିକୀୟ ଗଣମାଧ୍ୟମକୁ ସେ ଦେଇଥିବା ସାକ୍ଷାତକାରର କିଛି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ସରକାରୀ ଟିଭି ବାଦ୍ ଦେଇଥିବା ସେ ଅଭିଯୋଗ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ପେଜେସ୍କିଆନ ଏକ କ୍ୟାବିନେଟ ବୈଠକରେ ସରକାରୀ ଟିଭି ମୁଖ୍ୟ ପେମାନ ଜେବେଲିଙ୍କୁ କଠୋର ଭାଷାରେ ଭର୍ତ୍ସନା କରିଥିବା ସୂଚନା ମିଳିଛି। ଏପରିକି ସନ୍ତୁଷ୍ଟ ନହେଲେ ସରକାରୀ ଟିଭିର ବଜେଟ୍ ହ୍ରାସ କରାଯାଇପାରେ ବୋଲି ରାଷ୍ଟ୍ରପତି ଧମକ ଦେଇଥିବା ଚର୍ଚ୍ଚା ହେଉଛି। ଇରାନର ସରକାରୀ କଳ ମଧ୍ୟରେ ଥିବା କଠୋରପନ୍ଥୀ ଗୋଷ୍ଠୀ ଏବଂ ଉଦାରବାଦୀ ସରକାରଙ୍କ ମଧ୍ୟରେ ଚାଲିଥିବା ଏହି ଶୀତଳ ଯୁଦ୍ଧ ଏବେ ଦେଶର ଜାତୀୟ ଏକତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ।










