ନୂଆଦିଲ୍ଲୀ: ସ୍ପେନ ଓ ଫ୍ରାନ୍ସରେ ଜଳୁଛି ଜଙ୍ଗଲ । ପ୍ରବଳ ଗ୍ରୀଷ୍ମଲହରୀ ଯୋଗୁ ଉଭୟ ସ୍ପେନ୍ ଓ ଫ୍ରାନ୍ସରେ ଭୟଙ୍କର ରୂପ ନେଇଛି ବନାଗ୍ନି। ସ୍ପେନରେ ପ୍ରାୟ ୧୯ ହଜାର ଓ ଫ୍ରାନ୍ସରେ ୯୮ ହଜାର ହେକ୍ଟରରୁ ଊର୍ଦ୍ଧ୍ବ ପରିମିତ ଜଙ୍ଗଲ ଜମି ଜଳିପୋଡ଼ି ଛାରଖାର ହୋଇଛି । ଏହି ବନାଗ୍ନି କେବଳ ଜଙ୍ଗଲରେ ସୀମିତ ନ ରହି ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏଥିଯୋଗୁ ଲୋକେ ବାସହରା ହେବା ୩ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ସ୍ପେନ୍ ସରକାର ଏଥିପାଇଁ ଜାତୀୟ ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଦେଶରେ ଜଳୁଥିବା ଭୟାବହ ଜଙ୍ଗଲ ନିଆଁ ଆଗାମୀ କିଛି ଘଣ୍ଟା ପାଇଁ ଅତ୍ୟନ୍ତ ‘ଜଟିଳ’ ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍। କେବଳ ସ୍ପେନରେ ପ୍ରାୟ ୭୦ ହଜାର ଲୋକଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତର କରାଯାଇଛି।
ସେହିପରି ପ୍ରାୟ ୪୦ ହଜାର ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପବନର ଦିଗ ଅନିଶ୍ଚିତ ଥିବାରୁ ନିଆଁ ଆହୁରି ବ୍ୟାପିବା ଆଶଙ୍କା ରହିଛି। ଏଣୁ ଜନସାଧାରଣଙ୍କ ଜୀବନ ରକ୍ଷା ପ୍ରାଥମିକତା ବୋଲି ସ୍ପେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ପ୍ରଦେଶ ବୋର୍ଡେକ୍ସର ଆଖପାଖ ଅଞ୍ଚଳରୁ ପ୍ରାୟ ୧ଲକ୍ଷ ୯୭ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅନୁଯାୟୀ, ଚଳିତ ବର୍ଷ ପ୍ରାୟ ୯୮ ହଜାର ହେକ୍ଟର ଜଙ୍ଗଲ ଜମି ଜଳିପୋଡ଼ି ଛାରଖାର ହୋଇଯାଇଛି। ଅପରପକ୍ଷେ ସ୍ପେନକୁ ସାହାଯ୍ୟ କରିବାକୁ ଗ୍ରୀସ୍, ଇଟାଲୀ ଓ ପର୍ତ୍ତୁଗାଲ୍ ଭଳି ଦେଶ ନିଜର ଅଗ୍ନିଶମ ବାହିନୀ ଓ ସାମରିକ ସହାୟତା ଜାରି ରଖିଛନ୍ତି।










