ଭୁବନେଶ୍ୱର: ରାଜ୍ୟରେ ତୁଟୁନି ଦାଦନ ସମସ୍ୟା । ଟଙ୍କା ଦୁଇ ପଇସା ପାଇଁ ଘରୁ ଗୋଡ କାଢି ଅନ୍ୟ ରାଜ୍ୟ, ଦେଶକୁ ଯାଉଛନ୍ତି ଯୁବକ, ଯୁବତୀ । ପରିବାର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଶବ ହୋଇ ଫେରିଲେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ଗାଁର ୩୬ ବର୍ଷୀୟ ନିରନ ବିଭାରଙ୍କ ମୃତ୍ୟୁ ନେଇ ଏବେ ଗାଁରେ ଶୋକର ମାହୋଲ । ସୂଚନା ଅନୁସାରେ ନିରନ କିଛି ଦିନ ତଳେ କାମ କରିବା ପାଇଁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଶ୍ରମିକ ଭାବେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ୍ୟୁ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଦୀର୍ଘ ପ୍ରକ୍ରିୟା ପରେ ୩ ଦିନ ପରେ ମୃତଦେହ ନିଜ ଗାଁରେ ପହଞ୍ଚିଥିଲା । ମୃତଦେହ ପହଞ୍ଚିବା ପରେ ପରିବାର ଓ ଆତ୍ମୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ । ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ପୁଣି ପ୍ରଶ୍ନ ଉଠିଛି ।










