ରୋଗ ଶଯ୍ୟାରେ ଯୁବକ, ମିଳୁନି ସହାୟତା

ଗଞ୍ଜାମ : ବୁଗୁଡା ବ୍ଲକ କରସିଙ୍ଗି ଗ୍ରାମ ପଞ୍ଚାୟତ ସମଲାଇ ଗ୍ରାମର ଆଦିବାସୀ ଯୁବକ ଶଙ୍କର ପ୍ରଧାନ(୩୫) ପକ୍ଷାଘାତ ରୋଗରେ ପୀଡିତ । ପରିବାରର ଏକମାତ୍ର ରୋଜଗାରିଆ । ଯାହା ରୋଜଗାର କରନ୍ତି ୭୦ ବର୍ଷୀୟା ମାଆ ମାଲତି, ପତ୍ନୀ ଅନା, ବଡ ଝିଅ ବର୍ଷାରାଣୀ, ପୁଅ ସଞ୍ଜୟ ଓ ସାନଝିଅ ଆଶାରାଣୀ(୪) । ଜମିବାଡ଼ି ଚାଷ କରି ଓ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ ଶଙ୍କର । ଦୁଇବର୍ଷ ପୂର୍ବେ ଶଙ୍କର ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀ ହୁଡ଼ାରେ ଯାଉଥିବା ବେଳେ ଖାଲୁଆ ଜାଗାରେ ପାଦ ପଡିବାରୁ ସେ ଭାରସାମ୍ୟ ହରାଇ ତଳକୁ ଗଡ଼ି ପଡ଼ିଥିଲେ । ବହୁ ସମୟ ଚେତାଶୂନ୍ୟ ଅବସ୍ଥାରେ ପଡିବା ପରେ ସେହି ଗ୍ରାମର ଜଣେ ବ୍ୟକ୍ତି ଶଙ୍କରଙ୍କ୍‌ୁ ଦେଖି ଅନ୍ୟ ଲୋକଙ୍କ ସାହାଯ୍ୟରେ ଘରକୁ ନେବା ପରେ ମେଡିକାଲକୁ ନିଆଯାଇଥିଲା । ସେହିଦିନଠାରୁ ଶଙ୍କର ଶଯ୍ୟାଶାୟୀ । ଆଘାତ ଯୋଗୁଁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ବାକ୍‌ଶକ୍ତି ହରାଇଛନ୍ତି । ସ୍ୱାମୀଙ୍କ ସେବା ଓ ପରିବାର ପ୍ରତିପୋଷଣ ଦାୟିତ୍ୱ ବହନ କଲେ ପତ୍ନୀ ଅନା ପ୍ରଧାନ । ସମଲାଇ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାସ କଲା ପରେ ବର୍ଷାରାଣୀର ଭଲ ପାଠପଢା ଦେଖି ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସହଯୋଗରେ ଭଞ୍ଜନଗର ନିକଟ ଏକ ଆଦିବାସୀ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରେ ରଖିଛନ୍ତି । ସେଠାରେ ସେ ୯ମ ଶ୍ରେଣୀରେ ପଢ଼ୁଛି । ହେଲେ ବାପାଙ୍କ ପକ୍ଷାଘାତ ରୋଗ ଯୋଗୁଁ ପାଠପଢା ବନ୍ଦ କରିଦେଇଛନ୍ତି । ପୁଅ ସଞ୍ଜୟ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ମୂତ୍ରାଶୟ ରୋଗରେ ଆକ୍ରାନ୍ତ । ଆର୍ଥିକ ଅନାଟନ ଯୋଗୁଁ ଚିକିତ୍ସା ହୋଇପାରୁ ନାହିଁ । ଗତ ନଭେମ୍ବର ୬ ତାରିଖ ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକ କରସିଙ୍ଗି ପଞ୍ଚାୟତ ଗସ୍ତ ବେଳେ ସମଲାଇ ଗ୍ରାମକୁ ଯାଇଥିଲେ । ଲୋକଙ୍କ ଠାରୁ ଶଙ୍କରଙ୍କ ଅବସ୍ଥା ଶୁଣି ତାଙ୍କ ଘରକୁ ଯାଇ ଆର୍ଥିକ ସହାୟତା କରିଥିଲେ । ଶଙ୍କରଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହି ସହାୟତା ମିଳିଲେ ସ୍ୱାମୀ ଶଙ୍କର ଓ ପୁଅ ସଂଜୟଙ୍କ ଚିକିତ୍ସା ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ଅନା । ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here