39.4 C
Bhubaneswar
Thursday, April 18, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌ : ଇଂଲଣ୍ଡର ଏକତରଫା ବିଜୟ

ମହିଳା ବିଶ୍ୱକପ୍‌ : ଇଂଲଣ୍ଡର ଏକତରଫା ବିଜୟ

କ୍ରାଏଷ୍ଟଚର୍ଚ୍ଚ : ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ତା’ର ସେମି ଆଶା କାଏମ ରଖିଛି । ଦଳ ଗୁରୁବାର ଏଠାରେ ତା’ର ପାକିସ୍ତାନ ବିପକ୍ଷ ଷଷ୍ଠ ମୁକାବିଲାରେ ୯ ୱିକେଟ୍‌ର ଏକତରଫା ବିଜୟ ହାସଲ କରିବା ସହ ପଏଣ୍ଟ୍ ଟେବଲ୍‌ରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଦଳର ପଏଣ୍ଟ୍ (୬) ଭାରତ ସହ ସମାନ ଥିଲେ ହେଁ ଏହାକୁ ଉନ୍ନତ ରନ୍ ରେଟ୍‌ର ଫାଇଦା ମିଳିଛି । ଟସ୍ ଜିତି ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ ପାଇଁ ଇଂଲଣ୍ଡ ଆମନ୍ତ୍ରଣ କରିଥିଲା । ପାକିସ୍ତାନ କ୍ରମାଗତ ୱିକେଟ୍‌ମାନ ହରାଇ ଚାଲିବା ଫଳରେ ୪୧.୩ ଓଭର୍‌ରେ ମାତ୍ର ୧୦୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ମାତ୍ର ଗୋଟିଏ ୱିକେଟ୍ ହରାଇ୧୯.୨ ଓଭର୍‌ରେ ୧୦୭ ରନ୍ କରି ସହଜ ବିଜୟ ହାସଲ କରିଥିଲା ।

ଅପରାଜିତ ୭୬ ରନ୍ କରିଥିବା ଓପନର ଡାନିଏଲ୍ ୱାଟ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ପାକିସ୍ତାନୀ ଓପନର ନାହିଦା ଖାନ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ଶେଷ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା । ଦଳ ପକ୍ଷରୁ କେବଳ ୩ ଜଣ ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ । ଅନ୍ୟତମ ଓପନର ସିଦ୍ରା ଆମୀନ୍ ୪ଟି ଚୌକା ସହ ସର୍ବାଧିକ ୩୨ ରନ୍ କରିଥିବା ବେଳେ ସିଦ୍ରା ନୱାଜ୍ ଗୋଟିଏ ଚୌକା ମାଧ୍ୟମରେ ୨୩ ଏବଂ ଓମୈମା ସୋହୋଲ୍ ଗୋଟିଏ ଚୌକା ସହ ୧୧ ରନ୍ କରିଥିଲେ ।

ଇଂଲଣ୍ଡ ପକ୍ଷରୁ କ୍ୟାଥେରିନ୍ ବ୍ରଣ୍ଟ୍ ଓ ସୋଫି ଏକ୍ଲେଷ୍ଟୋନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ କେଟ୍ କ୍ରସ୍ ଓ ଅଧିନାୟିକା ହିଦର୍ ନାଇଟ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ବ୍ୟାଟିଂରେ ଇଂଲଣ୍ଡ ଓପନର ଟାମି ବିଉମଣ୍ଟ୍‌ଙ୍କୁ ଦଳୀୟ ସ୍କୋର୍ ୨୦ ଥିବା ସମୟରେ ହରାଇଥିଲା । ସେ ମାତ୍ର ୨ ରନ୍ କରିଥିଲେ । କିନ୍ତୁ ଏହାପରେ ୱାଟ୍ ଓ ଅଧିନାୟିକା ନାଇଟ୍ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ । ଉଭୟ ଦ୍ୱିତୀୟ ୱିକେଟ୍‌ରେ ଅବିଭାଜିତ ୮୭ ରନ୍ ଯୋଡ଼ିଥିଲେ । ୱାଟ୍ ୧୧ଟି ଚୌକା ସହ ୭୬ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ନାଇଟ୍ ୨୪ ରନ୍‌ର ଯୋଗଦାନ ଦେଇଥିଲେ । ପାକିସ୍ତାନ ପକ୍ଷରୁ ଏକମାତ୍ର ୱିକେଟ୍‌ଟି ଡାଏନା ବେଗ୍ ନେଇଥିଲେ । ପ୍ରତିଯୋଗିତାରେ ଶୁକ୍ରବାର ବାଂଲାଦେଶ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱେଲିଂଟନ୍‌ଠାରେ ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking