ଦାମ୍ବୁଲା : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଗୁରୁବାର ଏଠାରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଦଳ ଘରୋଇ ଶ୍ରୀଲଙ୍କାକୁ ୩୪ ରନ୍ରେ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ୬ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା । ଜେମିମା ରଡ୍ରିଗ୍ସ ସର୍ବାଧିକ ୩୬³ ଏବଂ କ୍ୟାପ୍ଟେନ୍ ହରମନପ୍ରୀତ୍ କୌର ୨୨ ରନ୍ କରିଥିଲେ । ଜବାବରେ ଶ୍ରୀଲଙ୍କା ୫ ୱିକେଟ୍ ବିନିମୟରେ ୧୦୪ ରନ୍ କରିବାକୁ ସକ୍ଷମ ହୋଇଥିଲା । କବିଶା ଦିଲ୍ହାରୀ ସର୍ବାଧିକ ୪୭ ରନ୍ କରିଥିଲେ । ଭାରତ ପକ୍ଷରୁ ରାଧା ଯାଦବ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ । ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକାର ଓ ଶେଫାଳୀ ବର୍ମାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
୨୭ ବଲ୍ରେ ୩ ଚୌକା ଓ ଗୋଟିଏ ଗୋଟିଏ ଛକା ସମେତ ୩୪ ରନ୍ କରି ଅପରାଜିତ ଥିବା ଜେମିମା ରଡ୍ରିଗ୍ସଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ମନୋନୀତ କରାଯାଇଥିଲା । ଏହି ବିଜୟ ଫଳରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ରହିଛି ।
ମ୍ୟାଚ୍ରେ ଭାରତର ଆରମ୍ଭ ବହୁତ ଖରାପ ଥିଲା ଏବଂ ମାତ୍ର ୧୭ ରନ୍ରେ ଦୁଇଟି ୱିକେଟ୍ର ପତନ ଘଟିଥିଲା । ଷ୍ଟାର୍ ଓପ୍ନର୍ ସ୍ମୃତି ମନ୍ଧାନା ମାତ୍ର ଏକ ରନ୍ରେ ଆଉଟ୍ ହୋଇଥିବା ବେଳେ ସଭିନେନୀ ମେଘନା ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ । ଉଭୟ ୱିକେଟ୍ ଓଶାଦି ରଣସିଂଘେ ହାସଲ କରିଥିଲେ । ତେବେ ଓପ୍ନର୍ ଶେଫାଳୀ ବର୍ମା ଓ କ୍ୟାପ୍ଟେନ୍ କୌର୍ ଇନିଂସ୍ ଆଗେଇ ନେଇ ତୃତୀୟ ୱିକେଟ୍ ପାଇଁ ୩୯ ରନ୍ ଯୋଗ କରିଥିବା ବେଳେ ଶ୍ରୀଲଙ୍କା କ୍ୟାପ୍ଟେନ୍ ଚମିରା ଅଟାପାଟ୍ଟୁ ଶେଫାଳୀଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ । ଶେଫାଳୀ ୩୧ ବଲ୍ରେ ୪ ଚୌକା ସହାୟତାରେ ୩୧ ରନ୍ କରିଥିଲେ ।
ଶେଫାଳୀଙ୍କ ଆଉଟ୍ର ପାଞ୍ଚଟି ବଲ୍ ପରେ କ୍ୟାପ୍ଟେନ୍ କୌର୍ ୨୨ ରନ୍ କରି ଇକୋନା ରଣୱିରାଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ୫୮ ରନ୍ରେ ୪ଟି ୱିକେଟ୍ର ପତନ ପରେ ଜେମିମା ଇନିଂସ୍ ସମ୍ଭାଳିଥିଲେ । ୨୭ ବଲ୍ରେ ତିନି ଚୌକା ଓ ଗୋଟିଏ ଛକା ସହାୟତାରେ ସେ ୩୬ ରନ୍ କରି ଶେଷ ପର୍ଯ୍ୟନ୍ତ ଆଉଟ୍ ହୋଇନଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରାକାର ୧୪, ରିଚା ଘୋଷ ୧୧ ଏବଂ ଦୀପ୍ତି ଶର୍ମା ଅପରାଜିତ ୧୭ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଇକୋନା ରଣୱିରା ୩ଟି ଏବଂ ଓଶାଦା ରଣସିଂଘେ ୨ଟି ୱିକେଟ୍ ହାସଲ କରିଥିଲେ । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶନିବାର ଖେଳାଯିବ ।