27.1 C
Bhubaneswar
Saturday, July 27, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ମହିଳା ଟି-୨୦ ବିଶ୍ୱକପ୍‌: ଡି/ଏଲ୍‌ରେ ହାରିଲା ଆୟର୍ଲାଣ୍ଡ୍‌; ସେମିରେ ଭାରତ, ଅଷ୍ଟ୍ରେଲିଆ ସହ ମୁକାବିଲା

ମହିଳା ଟି-୨୦ ବିଶ୍ୱକପ୍‌: ଡି/ଏଲ୍‌ରେ ହାରିଲା ଆୟର୍ଲାଣ୍ଡ୍‌; ସେମିରେ ଭାରତ, ଅଷ୍ଟ୍ରେଲିଆ ସହ ମୁକାବିଲା

ଜିକେବେର୍ହା : ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି । ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ଗ୍ରୁପ୍‌-ଏ’ରୁ ସେମିଫାଇନାଲ୍‌ରେ ପହଞ୍ଚିଥିବା ବେଳେ ଗ୍ରୁପ୍‌-ବି’ରୁ ଇଂଲଣ୍ଡ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଥିଲା । ସୋମବାର ଅନ୍ତିମ ଦଳ ଭାବେ ଭାରତ ଅନ୍ତିମ ୪ ଦଳରେ ସ୍ଥାନ ପାଇଛି । ଦଳ ଆସନ୍ତା ୨୩ ତାରିଖରେ କେପ୍‌ଟାଉନ୍‌ଠାରେ ପ୍ରଥମ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ । ଭାରତ ସୋମବାର ଏଠାରେ ଖେଳାଯାଇଥିବା ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌କୁ ଡକ୍‌ୱର୍ଥ ଲୁଇସ୍ (ଡି/ଏଲ୍‌) ପଦ୍ଧତିରେ ୫ ରନ୍‌ରେ ପରାସ୍ତ କରି ତୃତୀୟ ବିଜୟ ସହ ମୋଟ ୬ ପଏଣ୍ଟ୍ ପାଇ ଗ୍ରୁପ୍‌-ବି’ରେ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ବିନିମୟରେ ୧୫୫ ରନ୍ କରିଥିଲା । ଦଳର ଦୁଇ ଓପନର ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନା ୬୨ ରନ୍ ଯୋଡ଼ି ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଥିଲେ ।

ଶେଫାଳୀ ୩ଟି ଚୌକା ସହ ୨୪ ରନ୍ କରି ଆଉଟ୍ ହୋଇଥିଲେ ହେଁ ମନ୍ଧାନା ଆୟର୍ଲାଣ୍ଡ୍ ବୋଲରଙ୍କୁ ନିର୍ଧୂମ୍ ପ୍ରହାର ଧାରା ଜାରି ରଖିଥିଲେ । ସେ ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ଅଧିନାୟିକା ହରମନ୍‌ପ୍ରୀତ୍ କୌର୍‌ଙ୍କ ସହ ୫୨ ରନ୍‌ର ଭାଗୀଦାରୀ କରିଥିଲେ । ଇତିମଧ୍ୟରେ ମନ୍ଧାନା ତାଙ୍କର ଅର୍ଦ୍ଧଶତକରେ ପହଞ୍ଚିଯାଇଥିଲେ । ହରମନ୍‌ପ୍ରୀତ୍ ୧୩ ରନ୍‌ର ଅବଦାନ ଦେଇଥିଲେ । ରୀଚା ଘୋଷ ଖାତା ବି ଖୋଲିପାରି ନ ଥିବା ବେଳେ ବ୍ୟାଟିଂ କ୍ରମରେ ଯଥେଷ୍ଟ ତଳେ ଆସିଥିବା ଜେମିମା ରଡରିଗ୍ସ ୩ଟି ଚୌକା ସହ ୧୯ ରନ୍ କରିଥିଲେ । ତେବେ ମନ୍ଧାନା ତାଙ୍କ ଟି-୨୦ କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ । ସେ ମାତ୍ର ୫୬ଟି ବଲ୍‌ରେ ୯ଟି ଚୌକା ଓ ୩ଟି ଛକା ଜରିଆରେ ୮୭ ରନ୍ କରିଥିଲେ । ଆୟର୍ଲାଣ୍ଡ୍ ପକ୍ଷରୁ ଅଧିନାୟିକା ଲୌରା ଡେଲାନି ୩ଟି ୱିକେଟ୍ ନେଇଥିବା ବେଳେ ଓର୍ଲା ପ୍ରିଣ୍ଡର୍‌ଗାଷ୍ଟ୍‌ଙ୍କୁ ୨ଟି ଓ ଆର୍ଲେନ୍ କେଲୀଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

ଆୟର୍ଲାଣ୍ଡ୍ ବ୍ୟାଟିଂ ଆରମ୍ଭ କରିବା ପରେ ପ୍ରଥମ ବଲ୍‌ରେ ଓପନର ଆମି ହଣ୍ଟର୍‌ଙ୍କୁ ହରାଇଥିଲା । ଆମି ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଭାରତର ତାରକା ପେସର୍ ରେଣୁକା ସିଂହ ଠାକୁର ତାଙ୍କୁ ଆଉଟ୍ କରିଥିଲେ । ଉକ୍ତ ଓଭର୍‌ର ପଞ୍ଚମ ବଲ୍‌ରେ ରେଣୁକା ପ୍ରିଣ୍ଡର୍‌ଗାଷ୍ଟ୍‌ଙ୍କୁ ଆଉଟ୍ କରି ଆୟର୍ଲାଣ୍ଡ୍‌କୁ ଦ୍ୱିତୀୟ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ । ତେବେ ଅନ୍ୟତମ ଓପନର ଭେବି ଲୁଇସ୍ ଓ ଅଧିନାୟିକା ଡେଲାନି ତୃତୀୟ ୱିକେଟ୍‌ରେ ୫୩ ରନ୍ ଯୋଡ଼ି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଥିଲେ । ଦଳୀୟ ସ୍କୋର୍ ୮.୨ ଓଭର୍‌ରେ ୫୪ ଥିବା ସମୟରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ସେତେବେଳକୁ ଲୁଇସ୍ ୨୫ଟି ବଲ୍‌ରେ ୫ଟି ଚୌକା ମାଧ୍ୟମରେ ୩୨ ରନ୍ କରିଥିବା ବେଳେ ଡେଲାନି ୩ଟି ଚୌକା ସହ ୧୭ ରନ୍ କରି ଅପରାଜିତ ଥିଲେ । ଡି/ଏଲ୍‌’ ଅନୁସାରେ ଭାରତ ୫ ରନ୍‌ରେ ଆଗୁଆ ଥିଲା । ଏହାପରେ ପାଗରେ କୌଣସି ପ୍ରକାର ପରିବର୍ତ୍ତନ ନ ଘଟିବାରୁ ଆଉ ଖେଳ ସମ୍ଭବପର ହୋଇ ନଥିଲା । ତେଣୁ ଭାରତ ୫ ରନ୍‌ରେ ବିଜୟୀ ଘୋଷିତ ହୋଇଥିଲା । ମନ୍ଧାନାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking