ସୋର: ବାଲେଶ୍ବର ଜିଲ୍ଲାର ସୋରରେ ଏକ ଅଭାବନୀୟ ଘଟଣା ଘଟିଛି । ବାରମ୍ବାର ତାଗିଦ୍ ପରେ ସ୍ବାମୀ ମଦ ପିଇବା ନ ଛାଡିବାରୁ ସ୍ତ୍ରୀ ନିଜ ଜୀବନ ହାରିଛନ୍ତି । ସୂଚନା ଅନୁସାରେ କପ୍ତିପଦା ଥାନା ଅଞ୍ଚଳର ସଞ୍ଜୁଲତା ନାୟକ ଓ ତାଙ୍କ ସ୍ୱାମୀ ଅନାଦି ନାୟକ ଦୀର୍ଘ ଦିନ ଧରି ସୋରର ଉତ୍ତରେଶ୍ୱରରେ ରହୁଥିଲେ । ତାଙ୍କ ସ୍ବାମୀ ମଦ୍ୟପାନ କରି ଅନେକ ସମୟରେ ତାଙ୍କୁ ନିର୍ଯାତନା ଦେଉଥିଲେ । ଗତକାଲି ଅନାଦି ମଦ୍ୟପାନ କରି ଘରକୁ ଆସିବା ପରେ ସଞ୍ଜୁଲତା ତାଙ୍କୁ ବାରଣ କରିବା ସହିତ ଆଉ କେବେ ମଦ ପିଇଲେ ଜୀବନ ହାରିଦେବି ବୋଲି ଧମକ ଦେଇ କହିଥିଲେ । ଆଜି ସକାଳେ ଅନାଦି ମଦ ପିଇବାକୁ ଯାଇଥିବା ବେଳେ ସଞ୍ଜୁଲତା ପ୍ରଥମେ ବିଷ ପିଇ ପରେ ଘର ଗଡାଣରେ ବେକରେ ରଶି ଦେଇ ଝୁଲିପଡିଥିଲେ । ଅନାଦି ଫେରିବା ପରେ ସଞ୍ଜୁଲତା କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ସଞ୍ଜୁଲତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସୋର ଡାକ୍ତରଖାନାକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।