ଦେବଗଡ: ଦେବଗଡ ଜିଲ୍ଲାର ଗରିଆପାଲି ଗାଁରେ ଜଘନ୍ୟକାଣ୍ଡ । ପାରିବାରିକ ବିବାଦ ପରେ ନିଜ ପତ୍ନୀ , ବୋହୂ ଏବଂ ନାତୁଣିଙ୍କୁ ହାତୁଡିରେ ପିଟିପିଟି ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ନାରକୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।ଦେବଗଡ ଜିଲ୍ଲାର କୁଣ୍ଡେଇଗୋଲା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ବସବାସ କରନ୍ତି ୫୨ ବର୍ଷୀୟ ବ୍ୟକ୍ତି ରମେଶ ଗରିଆ । ବୁଧବାର ଦିନ କୌଣସି କାରଣରୁ ଘରୋଇ କଳହ ସୃଷ୍ଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ରାତିରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରି ସେ ଏକ ହାତୁଡିରେ ପତ୍ନୀ ଗୁଲଗରିଆ, ବୋହୂ ଲିପି ମହାକୁଲ ଓ ନିଜ ୪ ବର୍ଷର ନାତୁଣି ଇଶାନୀଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏହି ବର୍ବର କାଣ୍ଡ ଘଟାଇବା ପରେ ରମେଶ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ସୁଚନା ଅନୁସାରେ ଏହି ଘଟଣା ସମୟରେ ଘରେ ପରିବାର ଅନ୍ୟ କୌଣସି ସଦସ୍ୟ ଉପସ୍ଥିତ ନଥିଲେ । ଅଭିଯୁକ୍ତଙ୍କ ପୁଅ ଘରକୁ ଫେରିବା ପରେ ମା, ସ୍ତ୍ରୀ ଓ ଝିଅ କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ । ଅଭିଯୋଗ ପାଇବା ମାତ୍ରେ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଶବ ଗୁଡିକୁ ପୋଷ୍ଟମୋର୍ଟମ ପାଇଁ ହସ୍ପିଟାଲ ପଠାଯାଇଛି । ଏହି ଘଟଣା ପରେ ପୂରା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।










