28.1 C
Bhubaneswar
Thursday, June 12, 2025
Homeଓଡିଶାଓଡ଼ିଶାରେ ଶାସନ କିଏ ଚଳାଉଛି? ଅଫିସର ନା ନେତା ?: ଜେ.ପି ନଡ୍ଡା

ଓଡ଼ିଶାରେ ଶାସନ କିଏ ଚଳାଉଛି? ଅଫିସର ନା ନେତା ?: ଜେ.ପି ନଡ୍ଡା

ଭୁବନେଶ୍ୱର : ଓଡ଼ିଶାରେ ଶାସନ କିଏ ଚଳାଉଛି? ଅଫିସର ନା ନେତା ? କାହା ଇଙ୍ଗିତରେ ଓଡ଼ିଶାର ଶାସନ ଚାଲିଛି? ବିରୋଧୀଙ୍କ କଥା ଛାଡନ୍ତୁ ଏଠି ଶାସକ ବିଜେଡିର ବିଧାୟକ ଓ ସାଂସଦଙ୍କ କଥା ମଧ୍ୟ କେହି ଶୁଣନ୍ତି ନାହିଁ । ଅଫିସରମାନେ ଓଡ଼ିଶାରେ ରାଜ୍ କରୁଛନ୍ତି । ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକ ୟେସ୍ ୟେସ୍ କହି ସମସ୍ତ କଥାକୁ ସମର୍ଥନ କରୁଛନ୍ତି । ରାଜ୍ୟ ଶାସନ ବ୍ୟବସ୍ଥା ଏବେ ଆଉଟ ସୋସିଂରେ ଚାଲିଛି । ପ୍ରଶାସନିକ ଅଧିକାରୀ ଏବେ ଆଉଟସୋର୍ସ ପାଉଟିଛନ୍ତି । ନବୀନ ପଟ୍ଟନାୟକ କିମ୍ବା ନିର୍ବାଚିତ ଦଳୀୟ ନେତା ସରକାର ଚଳାଉ ନାହାନ୍ତି । ଜନତା ଭୋଟ କାହାକୁ ଦେଇଛନ୍ତି, ଅଥଚ ସରକାର ଆଉ କିଏ ଚଳାଉଛି! ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱ ନିର୍ବାହ କରିବାରେ ଅସମର୍ଥ ହେତୁ ଜଣେ ଅଧିକାରୀଙ୍କୁ ଠିକାରେ ରଖି ସରକାର ଚଳାଉଛନ୍ତି । ଏଭଳି ସରକାର ଦରକାର ନାହିଁ ବୋଲି ଭବାନିପାଟଣା ମହା ଜନସମ୍ପର୍କ ଅଭିଯାନ ସମାବେଶରେ ଯୋଗଦାନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅତ୍ୟନ୍ତ କଠୋର ଭାବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଶୁକ୍ରବାର ପୂର୍ବାହ୍ନରେ ପ୍ରଥମେ ଶ୍ରୀ ନଡ୍ଡା ଭବାନିପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ନେବା ସହ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ୯ବର୍ଷ ପୂର୍ତ୍ତି ଅବସରରେ ବିଶାଳ ଜନସମାବେଶରେ ‘ଜୟ ଜଗନ୍ନାଥ’ର ଭାବଗମ୍ଭୀର ଧ୍ୱନିଦେଇ ଏବେ ବିଜେଡିର ପତନର ସମୟ ଆସିଗଲାଣି ବୋଲି ଦୃଢ଼ କଣ୍ଠରେ କହିଛନ୍ତି । ଆଗାମୀ ଦିନରେ ଦିଲ୍ଲୀରେ ପୁଣି ଥରେ ବିଜେପି ସରକାର ଗଠନ କରିବା ସହିତ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଠନ କରିବ । ଓଡ଼ିଶାବାସୀ ଚାହୁଁଛନ୍ତି ଓଡ଼ିଶାରେ ଡବଲଇଞ୍ଜନ ସରକାର ହେବ । ଏଭଳି ଭ୍ରଷ୍ଟାଚାରୀ, ଅପାରଗ ଓ ଠିକାରେ ଚାଲୁଥିବା ସରକାରକୁ ୨୦୨୪ରେ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିବେ । ନବୀନ ବାବୁ ଦୀର୍ଘଦିନ ଶାସନ ଗାଦିରେ ରହିଥିଲେ ବି ଏଯାଏ ମୁଣ୍ଡ ପିଛା ଆୟରେ ଓଡ଼ିଶା ସବୁଠୁ କମ, ଚାଷୀଙ୍କ ଆୟ ବି ଓଡ଼ିଶାରେ କମ୍ ହେବା ସହ ମହିଳା ବିରୋଧୀରେ ଓଡ଼ିଶା ୧ନମ୍ବର । ଏବେ ୫୦-୫୦ ପିସିରେ ଚାଲିଛି ଓଡିଶା ସରକାର । ଓଡ଼ିଶାର ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବାକୁ ନବୀନ ବାବୁ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପାଳନ କଲେ ନାହିଁ ।

ଏହି ଅବସରରେ ଦଳର ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଂଚରେ ଉତରୀୟ ପ୍ରଦାନ କରି ଶ୍ରୀ ନଡ୍ଡାଙ୍କୁ ସ୍ୱାର୍ଗତ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ନଡ୍ଡାଙ୍କ ଗୁୁୁରୁଗମ୍ଭୀର ଭାଷଣ ପ୍ରସଙ୍ଗରେ ପ୍ରଥମେ ବାହାନଗାର ମର୍ମନ୍ତୁତ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ, ଟ୍ରେନ ଦୁର୍ଘଟଣା ସ୍ଥଳକୁ ପ୍ରଧାନମନ୍ତ୍ରୀ ଆସିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରି ସମସ୍ତ ବ୍ୟବସ୍ଥା ସହ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏବେ ଭାରତ ବିକାଶଶୀଳ ଦେଶ ନୁହେଁ, ବିକଶିତ ରାଷ୍ଟ୍ର ହେବ । ପ୍ରଧାନମନ୍ତ୍ରୀ ଆମେରିକାରେ ବିଶ୍ୱର ସମସ୍ତ ବିଶିଷ୍ଟ ନେତାମାନଙ୍କୁ ଭେଟିଛନ୍ତି । ମୋଦିଙ୍କ ନେତୃତ୍ୱ ଦେଶକୁ ନୂଆ ଦିଶା ଦେଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ “ବସ୍‌?” ବୋଲି ସମ୍ବୋଧିତ କରିବା ସହ ସମଗ୍ର ବିଶ୍ୱର ରାଷ୍ଟ୍ରସମୂହ ମୋଦିଙ୍କୁ ସମ୍ମାନିତ କରୁଛନ୍ତି । ସବୁଠି ମୋଦିଜୀଙ୍କ ପ୍ରଶଂସାକୁ କଂଗ୍ରେସ ନେତାଙ୍କୁ ଅସହ୍ୟ ହେଉଛି । କେହି କେହି ମୋଦିଙ୍କୁ ସାପ, ବିଛା, ନୀଚ, ଅନପଡ, ଚା ବାଲା ବୋଲି କହୁଛନ୍ତି ହେଲେ ଯାହା କହିଲେ ବି କିଛି ବି ଫରକ ପଡିବ ନାହିଁ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

୧୪୦କୋଟି ଭାରତୀୟଙ୍କ ଭଲ ପାଇବା ମୋଦିଙ୍କ ସହ ଅଛି । ଆଜି ବିହାରର ପାଟଣାଠାରେ ସମସ୍ତ ବିରୋଧୀ ଏକାଠି ହୋଇଛନ୍ତି । କହିବା ବାହୁଲ୍ୟ ଯେ, ଯେଉଁ ଲାଲୁ ପ୍ରସାଦ ଯାଦବ ଓ ନୀତିଶ କୁମାରଙ୍କୁ କଂଗ୍ରେସ ଜେଲ ପଠାଇଥିଲା ସେମାନେ ଆଜି କଂଗ୍ରେସ ଗୁଣଗାନ କରୁଛନ୍ତି । ଏହା କିଭଳି ରାଜନୀତି ଉଦ୍ଧବ ଠାକରେ ମଧ୍ୟ ସେଠାକୁ ଯାଉଛନ୍ତି । ଏହାର ଅର୍ଥ କଣ ହୋଇପାରେ? ଭୋଟ ବ୍ୟାଙ୍କ ରାଜନୀତିରୁ ବାହାରି ବିଜେପି କିନ୍ତୁ ରିପୋର୍ଟ କାର୍ଡକୁ ଲୋକଙ୍କ ପାଖକୁ ନେଇକି ଯାଉଛି । ଏହି ମାତ୍ର ୯ବର୍ଷରେ ୧୮ଲକ୍ଷ କୋଟି ଟଙ୍କା ରେଳ ତଥା ଜାତୀୟ ରାଜପଥ ଭଳି ଭିତିଭୂମି ବିକାଶ କ୍ଷେତ୍ରରେ ଖର୍ଚ୍ଚ ହୋଇଛି । ଓଡ଼ିଶାରେ ପ୍ରାୟ ତିନି ଦଶଦ୍ଦି ଧରି ନବୀନ ପଟ୍ଟନାୟକ ଶାସନ ଗାଦିରେ ବସିଛନ୍ତି, ମୋଦି ସରକାର କେନ୍ଦ୍ରରୁ ଚାଉଳ ପଠାଉଛନ୍ତି ଓ ସାଢ଼େ ୩କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ “ଅନ୍ନ କଲ୍ୟାଣ ଯୋଜନା”ରେ ଚାଉଳ ପାଉଛନ୍ତି ଅଥଚ ଏହା ଓଡ଼ିଶା ସରକାରଙ୍କ ଅନୁଦାନ ବୋଲି ଡିଣ୍ଡିମ ପିଟା ଚାଲିଛି । କେନ୍ଦ୍ର ଯୋଜନାକୁ ନିଜ ନାଁରେ ଠାପା ମାରି ରାଜ୍ୟ ସରକାର ଯେଉଁ ଆତ୍ମପ୍ରଚାର କରୁଛି ସେଥିନେଇ ଶ୍ରୀ ନଡ୍ଡା ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାରଙ୍କ ଏଭଳି ହୀନ କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ବ୍ୟାପକ ଘୋଟଲା ହେଉଛି । ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରୁ ବଂଚିତ ଏହାର ତଦନ୍ତ ହେବା ଦରକାର । ମୁଁ ଗିରିରାଜ ସିଂହଙ୍କୁ କହିବି ଏହାର ତଦନ୍ତ କରିବା ପାଇଁ । “ଦୁଧ କା ଦୁଧ ପାଣି କା ପାଣି” ହୋଇଯାଉ । ଯେଉଁମାନେ ଗରିବ ଲୋକଙ୍କୁ ଘର ନଦେବା ପାଇଁ ଷଡଯନ୍ତ୍ର କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ । ନବୀନ ପଟ୍ଟନାୟକ ଚାହୁଁ ନାହାନ୍ତି ଯେ, କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ଓଡ଼ିଶା ଲୋକଙ୍କୁୁ ସୁବିଧା ମିଳୁ । ଓଡ଼ିଶାରେ ସମସ୍ତ ରେଳ ଟ୍ରାକର ବିଦ୍ୟୁତିକରଣ ହୋଇଛି । ଭୁବନେଶ୍ୱର, କଟକ, ପୁରୀରେ ଷ୍ଟେସନ ଉନ୍ନତିକରଣ ମଧ୍ୟ ହୋଇଛି । ଓଡ଼ିଶାରେ ମୋଦିଜୀଙ୍କ ନେତୃତ୍ୱରେ ଏବେ ସ୍ୱାସ୍ଥ୍ୟସେବା ପାଇଁ ୭ଟି ମେଡିକାଲ କଲେଜ ହୋଇଛି ସେଥିରୁ ୫ଟି କାର୍ଯ୍ୟକାରୀ ହୋଇଛି ଓ ୨ଟି ଖୁବଶୀଘ୍ର ହେବ । କଳାହାଣ୍ଡିର ମେଡିକାଲ କଲେଜ ପାଇଁ ୩୫୦କୋଟି ଟଙ୍କାର ଅନୁଦାନ ମିଳିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଏହି ସମାବେଶରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଡି.ପୁରନ୍ଦେଶ୍ୱରୀ, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, ସାଂସଦ ସଙ୍ଗୀତା ସିଂଦେଓ, ବିଧାୟକ ପ୍ରଦୀପ୍ତ କୁମାର ନାୟକ, ବିଧାୟକ ମୁକେଶ ମହାଲିଙ୍ଗ, କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ନୂଆପଡା ଜିଲ୍ଲା ସଭାପତି ସୁବ୍ରତ ଠାକୁର ପ୍ରମୁଖଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲାର ନେତୃବୃନ୍ଦ ଉପସ୍ଥିତ ଥିଲେ । ସମାବେଶ ପରେ ଶ୍ରୀ ନଡ୍ଡା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଥିଲେ ଏବଂ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ କରିଥିଲେ । ଶ୍ରୀ ନଡ୍ଡା ଶେଷରେ ଭବାନିପାଟଣାରୁ ଝାରସୁଗୁଡା ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking