34.1 C
Bhubaneswar
Saturday, May 18, 2024
Homeଓଡିଶା୫ଟି ସଚିବଙ୍କ ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିନ ; କାର୍ଯ୍ୟକାରୀ ହେବ ସୁବର୍ଣ୍ଣରେଖା ସଂସ୍କାର ଯୋଜନା

୫ଟି ସଚିବଙ୍କ ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିନ ; କାର୍ଯ୍ୟକାରୀ ହେବ ସୁବର୍ଣ୍ଣରେଖା ସଂସ୍କାର ଯୋଜନା

ଭୁବନେଶ୍ୱର: ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ଓ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ କାର୍ଯ୍ୟକାରୀ ହେବ ସୁବର୍ଣ୍ଣରେଖା ସଂସ୍କାର ଯୋଜନା । ଏଥିସହ ନଦୀ ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯିବ । ଏଥିସହ ଏସିଆର ସର୍ବବୃହତ ଶିବଲିଙ୍ଗ ଭୁଷଣ୍ଡେଶ୍ୱରଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ ଏହାର ପାରିପାର୍ଶ୍ୱିକ ବିକାଶ କରାଯିବ । ଏହି ସୂଚନା ଦେଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ୫-ଟି ସଚିବ ଭି.କେ ପାଣ୍ଡିଆନ ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିନରେ ବାଲେଶ୍ୱର ସହର ସମେତ ଜଳେଶ୍ୱର, ବସ୍ତା ଓ ଭୋଗରାଇ ଅଞ୍ଚଳ ଗସ୍ତକରିଛନ୍ତି । ପ୍ରାୟ ସବୁଠି ୫-ଟି ସଚିବଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ଭୋଗରାଇର ସଚେତନ ନାଗରିକ, ବୁଦ୍ଧିଜୀବୀ, ଯୁବକ, ଯୁବତୀ ଓ ମା’ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଓ ତାଙ୍କ ଆଗରେ ସଚେତନ ଭୋଗରାଇବାସୀଙ୍କ ତରଫରୁ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ଦିଆଯାଇଥିଲା । ଶ୍ରୀ ପାଣ୍ଡିଆନ ସବୁ କାର୍ଯ୍ୟ ଧାର୍ଯ୍ୟ ସମୟ ଭିତରେ ଶେଷ କରାଯିବ ବୋଲି ପ୍ରକାଶ କରିଥିଲେ ।

ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଏସିଆର ସର୍ବବୃହତ ଶିବଲିଙ୍ଗ ଭୁଷଣ୍ଡେଶ୍ୱରଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ ଏହାର ପାରିପାର୍ଶ୍ୱିକ ବିକାଶ କରାଯିବା ସହିତ ଉଦୟପୁର ଓ ତାଳସାରି ବେଳାଭୂମିର ସୌନ୍ଦର୍ଯ୍ୟକରଣ, ପଥରବନ୍ଧ ଓ ମେରାଇନ ଡ୍ରାଇଭ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ପାଇଁ ପଦକ୍ଷେପନିଆଯିବ । ସେହିପରି ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ପାରିପାର୍ଶ୍ୱିକ ବିକାଶ ହେବା ସହ ବାସୁଳୀ ପୀଠର ବିକାଶ ଏବଂ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯିବ । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଦକ୍ଷିଣ ଭୋଗରାଇର ୩୨ଟି ପଞ୍ଚାୟତର ଜଳ ନିଷ୍କାସନ ସମସ୍ୟା ରହିଛି ଓ ସେହିପରି ଉତ୍ତର ଭୋଗରାଇରେ ବି ଏକାଧିକ ପଞ୍ଚାୟତର ଅନୁରୂପ ଜଳ ନିଷ୍କାସନ ସମସ୍ୟା ରହିଛି ଓ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମୁଚିତ ପଦକ୍ଷେପ ନିଆଯିବ ।

ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ଏବଂ ନଦୀ ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି ନିମନ୍ତେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ ପାନ, ଖଡ଼ି ଓ ଇକଡ଼ ଚାଷକୁ କୃଷିର ମାନ୍ୟତା ଏବଂ ଚାଷୀଙ୍କୁ ସ୍ୱଳ୍ପ ସୁଧରେ କୃଷି ଋଣ ପ୍ରଦାନ ବ୍ୟବସ୍ଥା ସହିତ ଭୋଗରାଇରେ ବିଜ୍ଞାନ ଶିକ୍ଷାର ପ୍ରଚାର ପ୍ରସାର ଏବଂ ଅନ୍ଧବିଶ୍ୱାସ ଦୂରିକରଣ ନିମନ୍ତେ ଏକ ବିଜ୍ଞାନ ଭବନ ନିର୍ମାଣ ପାଇଁ ଯେଉଁ ଦାବି ହୋଇଛି ତାହା ବିଚାର କରାଯିବ ।ତେବେ ଶଙ୍ଖାରୀଠାରେ ନିର୍ମାଣାଧୀନ ମନ୍ମଥ – ମନୋଜ ସ୍ମାରକୀର ନିର୍ମାଣ କାର୍ଯ୍ୟ ଯଥା ସମୟରେ ସମ୍ପନ୍ନ ପାଇଁ ଜରୁରୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଛନ୍ତି । ୫-ଟି ସଚିବଙ୍କ ଗସ୍ତ ଉପରେ ମତ ରଖି ସ୍ଥାନୀୟ ବିଜେଡି ନେତା ତଥା ଦଳୀୟ ମୂଖପାତ୍ର ଗୌତମ ଦାସ କହିଥିଲେ, ଆମର ଦୃଢ଼ ଆଶା ଓ ବିଶ୍ୱାସ ଆମେ ଦେଇଥିବା ଦାବିଗୁଡ଼ିକ ମୁଖ୍ୟମନ୍ତ୍ରୀ ପୂରଣ କରିବା ସହିତ ଅନ୍ୟ ଅନେକ ସମସ୍ୟାର ସମାଧାନ କରିବେ । ଏହା ହେଲେ ଭୋଗରାଇ ବିକାଶର ନୂତନ ଯୁଗ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking