36.1 C
Bhubaneswar
Sunday, May 19, 2024
Homeଓଡିଶାଆସୁଛି ‘ଗୁଲାବ୍‌’ : ପବନ କମ, ବର୍ଷା ପ୍ରବଳ, ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ୍‌

ଆସୁଛି ‘ଗୁଲାବ୍‌’ : ପବନ କମ, ବର୍ଷା ପ୍ରବଳ, ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ୍‌

– ୭କୁ ରେଡ୍‌, ୪କୁ ଅରେଞ୍ଜ୍ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
– ୭ ଜିଲ୍ଲାକୁ ଯିବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ୍‌
– ବାତ୍ୟା ଆଶ୍ରୟସ୍ଥଳୀରେ ଗଞ୍ଜାମ, ଗଜପତି, ପୁରୀର ଶତାଧିକ ଲୋକ
ଭୁବନେଶ୍ୱର : ରାଜ୍ୟକୁ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ିଆସୁଛି । ନିକଟରେ ସଦୃଶ ଲଘୁଚାପ ସକାଶେ ରାଜ୍ୟରେ ଭାରୀ ବର୍ଷା ସହ ବନ୍ୟା ସ୍ଥିତି ଉପୁଜିଛି । କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ନ ହେଉଣୁ ଏବେ ପୁଣି ବାତ୍ୟା ବିପଦ ଘାରିଛି । ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଥମେ ଲଘୁଚାପ ପରେ ସାମୁଦ୍ରିକ ଝଡ଼ ରୂପ ନେଇଥିଲା । ଶନିବାର ଏହା ଗଭୀର ଅବପାତରେ ପରିଣତ ହେବା ପରେ ବାତ୍ୟା ରୂପ ନେଇଛି । ବାତ୍ୟା ‘ଗୁଲାବ’ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଗଞ୍ଜାମର ଗୋପାଳପୁରଠାରୁ କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଆଜି ବିଳମ୍ବିତ ରାତି ସୁଦ୍ଧା ଏହା ଗୋପାଳପୁରଠାରୁ ୩୭୦ କିମି ଓ କଳିଙ୍ଗପଟ୍ଟନମ୍‌ଠାରୁ ୪୪୦ କିମି ଦୂରରେ ରହିଛି । ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ସାଧାରଣତଃ ୬୦ରୁ ୮୦ କିମି ବେଗରେ ରହିବ । ସମୟ ସମୟରେ ଝଟକା ପବନ ୯୦ କିମି ଯାଏ ରହିବ ବୋଲି ପୂର୍ବଆକଳନ କରାଯାଇଥିବା ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ବାତ୍ୟା ପ୍ରଭାବରେ ଉପକୂଳ ତଥା ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲାରେ ଆସନ୍ତା ୨ ଦିନ ଲଗାଣ ବର୍ଷା ଜାରି ରହିବ । ୨୬ ତାରିଖ ଦିନ ୭ ଜିଲ୍ଲାକୁ ରେଡ୍‌, ୪କୁ ଅରେଞ୍ଜ୍ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କେରାପୁଟ ଓ ମାଲକାନାଗିରିକୁ ରେଡ୍ ଜୋନ୍ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡିକୁ ଅରେଞ୍ଜ ଜୋନ୍ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପବନ ସହ ଭାରୀ ବର୍ଷା ହେବାକୁ ଥିବାରୁ କଚ୍ଚାଘର ଭାଙ୍ଗିବା ସମ୍ଭାବନା ରହିଛି । ସେହିପରି ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ ମୋବାଇଲ୍ ଟାୱାର୍ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ସେହିପରି ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ସମ୍ଭାବନା ରହିଥିବା ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।

ଖାଲି ସେତିକି ନୁହେଁ ପ୍ରବଳ ବର୍ଷା ହେବା କାରଣରୁ ମହାନଦୀର ତଳମୁଣ୍ଡରେ ଥିବା ୩ ନଦୀ ଋଷିକୂଲ୍ୟା, ବଂଶଧରା ଓ ନାଗାବଳିିରେ ଜଳସ୍ତର ବଢ଼ିପାରେ । ପାହାଡ଼ି ଅଞ୍ଚଳରେ ଅଧିକ ବର୍ଷା ହେବା ଫଳରେ ଭୁସ୍କଳନ ହେବା ସମ୍ଭାବନା ମଧ୍ୟ ରହିଛି । ଖୁବ୍ କମ୍ ସମୟରେ ଏହି ବାତ୍ୟା ସୃଷ୍ଟି ହୋଇଥିବାବେଳେ ଏଥିରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ପବନର ବେଗ ପୂର୍ବ ବାତ୍ୟା ଅପେକ୍ଷା କମ୍ ରହିବ। ତେଣୁ ଏଥିପ୍ରତି ଦୃଷ୍ଟିି ଦେବାକୁ ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି ଯେ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ସାମାନ୍ୟ ପ୍ରଭାବ ପଡିପାରେ । ଏନେଇ ରାଜ୍ୟ ସରକାର ସଜାଗ ଏବଂ ସଚେତନ ରହିଛନ୍ତି। ବାତ୍ୟାକୁ ଆଖି ଆଗରେ ରଖି ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା ହୋଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼ ରହିଛି । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯିବା ସହ ସଜାଗ ରହିବା ପାଇଁ କୁହାଯାଇଥିବା ଶ୍ରୀ ଜେନା କହିଛନ୍ତି ।

ଗଞ୍ଜାମରେ ଥିବା ରିଜର୍ଭରର ପାଣି ମପା ଯାଇଛି । ଇନ୍ଦ୍ରାବତି, କୋଲାବରେ ପାଣି କମ୍ ଅଛି । ଗଞ୍ଜାମରେ ପାଣି କମ୍ ରହିଛି, ସମସ୍ୟା ହେବ ନାହିଁ । ତିତିଲି ବାତ୍ୟା ବେଳେ ଯେପରି ବର୍ଷା ହୋଇଥିଲା ସେଭଳି ବର୍ଷାକୁ ନଜରରେ ରଖି ପ୍ରସ୍ତୁତି କରାଯାଉଛି । ୪ ଦିଗ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଶ୍ରୀ ଜେନା କହିଛନ୍ତି । ଶନିବାର ସନ୍ଧ୍ୟା ସୁଦ୍ଧା ଗଞ୍ଜାମ, ଗଜପତି ତଥା ଅନ୍ୟ କିଛି ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଫ୍ଲାସ୍ ଫ୍ଲଡ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅତୀତରେ ଗଜପତି ଜିଲ୍ଲାରେ ଭୂସ୍କଳନ ହୋଇଛି । ସେଥିପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି । ଖସଡା ବା ପାହାଡିଆ ସ୍ଥାନରେ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆସରିଛି । ଏହି ସମସ୍ତ ଜିଲ୍ଲାକୁ ୪୨ ଓଡ୍ରାଫ, ୨୪ ଏନଡିଆରଏଫ୍ ଟିମ୍ ପଠାଯିବା ପାଇଁ ବ୍ୟବସ୍ଥା ହୋଇଛି। ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ଡିଜି ଫାୟାର ସର୍ଭିସେସ୍ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।

ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ମୋଟ ୧୦୨ଟି ଫାୟାର ଟିମ ରହିଛି; ଯେଉଁମାନେ କି ସ୍ଥାନେ ସ୍ଥାନେ ମୁତୟନ ରହିବେ । ଅନ୍ୟପକ୍ଷରେ ବତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ଲାଗି ଟୋଲ୍ ଫ୍ରି ନମ୍ବର ୧୫୫୪ ଜାରି ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରାୟ ୭୦ କିଲୋମିଟର ବେଗରେ ପବନର ହେବାର ସମ୍ଭାବନା ଥିବାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି । ପାଟ୍ରୋଲିଂ ଜାହାଜ ଏବଂ ଡୋର୍ନିୟର ବିମାନ ସାହାଯ୍ୟରେ ତଟରକ୍ଷୀ ବାହିନୀ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କ ଉପରେ କଡ଼ା ନଜର ରଖିଥିବା କହିଛନ୍ତି । ବାତ୍ୟା ପାଇଁ ଗଜପତି ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଜରୁରୀ ପରିସ୍ଥିତିର ସାମ୍ନା କରିବା ପାଇଁ ଅଫିସରଙ୍କୁ ହେଡକ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିନା ଅନୁମତିରେ କେହି ହେଡକ୍ୱାଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking