33.1 C
Bhubaneswar
Monday, May 6, 2024
Homeଓଡିଶାଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା; ଅଭିଯୁକ୍ତଙ୍କୁ ମାୟାବିନୀଙ୍କ ମେସେଜ୍‌....

ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା; ଅଭିଯୁକ୍ତଙ୍କୁ ମାୟାବିନୀଙ୍କ ମେସେଜ୍‌….

ଭୁବନେଶ୍ୱର : ହାଲୋ.. କେମିତି ଅଛ । ତୁମେ ତ ଭୁଲିଗଲ! ନା’ମ ମୁଁ କାଇଁ ଭୁଲିବି । ଆଉ ତୁମେ ଚାନ୍ଦିପୁରକୁ କେବେ ଡାକୁଛ । ଆସୁନା ଯେବେ ଆସିବା କଥା । ହଉ ତା’ହେଲେ ଏଇ ଶୀତ ଋତୁରେ ଚାନ୍ଦିପୁର ଯିବି । ସତ କହୁଛ ଆସିବ ତ! ଆରେ ହଁ, ସତରେ ଯିବି । ମାୟାବିନୀ ମହିଳା ଓ ଜଣେ ଅଭିଯୁକ୍ତ ମଧ୍ୟରେ ଏଭଳି କଥାବାର୍ତ୍ତା ହୋଇଥିଲା । ସନ୍ଦିଗ୍ଧ ମହିଳା ଜଣକ ଅଭିଯୁକ୍ତଙ୍କ ଚାନ୍ଦିପୁରସ୍ଥିତ ଘରକୁ ଆସି ତାଙ୍କୁ ଦେଖା କରିବାକୁ କଥା ଦେଇଥିବା ନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତି ମହାନିର୍ଦ୍ଦେଶକ ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି । ଏହାସହ ମାୟାବିନୀ ଅଭିଯୁକ୍ତମାନଙ୍କୁ ପ୍ରେମଭରା ସଂଳାପରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ମନରେ ବିଶ୍ୱାସ ଜନ୍ମାଇଥିଲା ।

ପରେ କ୍ଷେପଣାସ୍ତ୍ର ଘାଟି ସମ୍ପର୍କରେ ତଥ୍ୟ ହାତେଇଥିବା ସନ୍ଦେହ କରାଯାଉଛି । ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲାରେ ଗିରଫ ୫ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶନିବାର ଶେଷ ହୋଇଛି । କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ନେଇ ସେମାନଙ୍କ ଠାରୁ ଅନେକ ତଥ୍ୟ ହାସଲ କରିବା ପରେ କୋର୍ଟରେ ହାଜର କରାଇଥିଲା । କୋର୍ଟ ସେମାନଙ୍କୁ ବାଲେଶ୍ୱର ଜେଲ୍ ପଠାଇଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୟୁ.କେ(ସଂଯୁକ୍ତରାଷ୍ଟ୍ର)ର ମାୟାବିନୀ ମହିଳାଙ୍କ ସହ ୨ଜଣ ଅଭିଯୁକ୍ତ ଭିଡିଓ କଲ୍‌ରେ କଥା ହୋଇଥିଲେ । ଏମିତିକି ସନ୍ଦିଗ୍ଧ ମହିଳା ୨ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ଶ୍ରୀ ପଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୭ ଦିନ ଧରି ପୁଙ୍ଖାନୁପୁଙ୍ଖ ଜେରା କରିବାରୁ ସନ୍ଦିଗ୍ଧ ମହିଳା ସମ୍ପର୍କରେ ଅନେକ ତଥ୍ୟ ମିଳିଛି । ମହିଳା ଜଣକ ଫେସବୁକ୍‌ରେ ଭିନ୍ନ ଭିନ୍ନ ୭ଟି ଆକାଉଣ୍ଟ ଖୋଲିଥିଲେ ।

ସେଥିରେ ଭାରତର ବିଭିନ୍ନ ସ୍ଥାନ ଲେଖିବା ସହ ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଦେଇଥିଲେ । ଏମିତିକି ଅଭିଯୁକ୍ତଙ୍କ ସହ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ । ଖାଲି ଫେସବୁକ୍ ନୁହେଁ, ଇନ୍‌ଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ରେ ମଧ୍ୟ ସେ ଆକ୍ଟିଭ୍ ଥିଲେ । ତେବେ ମହିଳାଙ୍କ ୟୁ.କେ ଫୋନ୍ ନମ୍ବର ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ କ୍ରାଇମବ୍ରାଞ୍ଚ ଖୋଳତାଡ୍ କରୁଛି । ଏହାସହ ଦୁବାଇରୁ ଆସିଥିବା ଟଙ୍କା ଦିଗକୁ ମଧ୍ୟ ଫୋକସ୍ କରାଯାଇଛି । ଦୁବାଇରୁ କାହା ଆକାଉଣ୍ଟରୁ ଟଙ୍କା ଆସିଥିଲା, କିଏ ପଠାଇଥିଲା, କାହିଁକି ପଠାଇଥିଲା, ଏହିସବୁ ପ୍ରଶ୍ନର ଉତ୍ତର ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ଟିମ୍‌କୁ ଦେଇନାହିଁ । ତେଣୁ କ୍ରାଇମବ୍ରାଞ୍ଚ ଟଙ୍କା କାରବାରର ଖୋଳତାଡ୍ କରୁଥିବା ଶ୍ରୀ ପଣ୍ଡା କହିଛନ୍ତି । ଏହାସହ ସମ୍ପୃକ୍ତ ମାୟାବିନୀ ମହିଳାଙ୍କ ଅସଲି ପରିଚୟ ଏବଂ ବର୍ତ୍ତମାନର ଅବସ୍ଥିତି ସମ୍ପର୍କରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ ଚଳାଇଛି ।

ଅନ୍ୟପକ୍ଷରେ ମହିଳା ଜଣକ ଜଣେ ଅଭିଯୁକ୍ତଙ୍କୁ ଚାନ୍ଦିପୁର ସ୍ଥିତ ଘରକୁ ଆସି ଦେଖା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସୁଯୋଗ ମିଳିଥିଲେ ସେ ଚାନ୍ଦିପୁର ଆସି କ୍ଷେପଣାସ୍ତ୍ର ଘାଟି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପଛାଇନଥାନ୍ତେ । ଏମିତିକି ଘରକୁ ଆସିବା ପରେ ସମ୍ପର୍କ ବଢ଼ାଇ ଅଭିଯୁକ୍ତଙ୍କୁ ଫସାଇଥାନ୍ତେ । ପରେ ତାଙ୍କ ଜରିଆରେ ଚାନ୍ଦିପୁର ଭିତରକୁ ଯାଇ ବୁଲିଥାନ୍ତେ ବୋଲି କୁହାଯାଉଛି ।
ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବସନ୍ତ ବେହେରା, ଶେଖ୍ ମୁସାଫି, ତାପସ ରଞ୍ଜନ ନାୟକ, ହେମନ୍ତ କୁମାର ମିସ୍ତ୍ରୀ ଓ ସଚିନ୍ କୁମାର ଚେତା । ରିମାଣ୍ଡରେ ଯିବା ପରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ସମେତ ଏୟାରଫୋର୍ସ ଟିମ୍ ଘନଘନ ଜେରା କରିଛନ୍ତି । ସେମାନଙ୍କ ଠାରୁ ଅନେକ ତଥ୍ୟ ହାସଲ ହୋଇଥିବା ବେଳେ ଆଉ କିଛି ବାକି ରହିଯାଇଛି । ତେଣୁ ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କୁ ଆଉ କିଛିଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking